ରାୟପୁର:କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରା ଏବେ ଛତିଶଗଡ଼ରେ ପହଞ୍ଚିଛି । ଏହି ଯାତ୍ରାରେ ରାହୁଲ ବିଭିନ୍ନ ଜନସଭାକୁ ସମ୍ବୋଧିତ କରିବା ସହ ଲଗାତାର ଭାବେ ବିଜେପି ସରକାର ଉପରେ ବର୍ଷୁଛନ୍ତି । ପୁଣି ବିଜେପି ନେତୃତ୍ବାଧୀନ କେନ୍ଦ୍ରକୁ ଟାର୍ଗେଟ କରି ଆଜି (ରବିବାର) ରାହୁଲ କହିଛନ୍ତି ଯେ ଦେଶରେ ବିଜେପି ଓ ଆରଏସଏସ ଘୃଣା ସୃଷ୍ଟି କରୁଛନ୍ତି, ହେଲେ ଭାରତବାସୀଙ୍କ ଡିଏନଏରେ ପ୍ରେମଭାବ ରହିଛି ।
ରାଇଗଡ଼ରେ କେବଦାବାଡି ଛକରେ ଏକ ଜନସଭାକୁ ସମ୍ବୋଧିତ କରି ରାହୁଲ କହିଛନ୍ତି, " ହିନ୍ଦୁସ୍ତାନର ଆଗାମୀ ପିଢିଙ୍କ ଲାଗି ଘୃଣା କିମ୍ବା ହିଂସାଭାବ ଲାଗି ସ୍ଥାନ ରହିବ ନାହିଁ । ସମ୍ପ୍ରତି ଦେଶର କୋଣ ଅନୁକୋଣରେ ହିଂସା ଓ ଘୃଣାଭାବ ସୃଷ୍ଟି କରାଯାଉଛି । କିଛି ଲୋକ କହୁଛନ୍ତି, ସେମାନେ ଭାଷା ଆଳରେ ଅନ୍ୟ ଲୋକଙ୍କୁ ପସନ୍ଦ କରୁନାହାନ୍ତି । ସେପଟେ ଆଉ କିଛି ଲୋକ ରାଜ୍ୟ ଭିନ୍ନ ହୋଇଥିବାରୁ ଉକ୍ତ ଲୋକଙ୍କୁ ପସନ୍ଦ କରୁନଥିବା କହୁଛନ୍ତି । ଏଭଳି ମନୋଭାବ ଦେଶକୁ ଦୁର୍ବଳ କରୁଛି । ଭାରତୀୟ ଜନତା ପାର୍ଟି ଓ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ଘୃଣାଭାବ ସୃଷ୍ଟି କରୁଛି । ହେଲେ ଆମ ଭାରତୀୟଙ୍କ ଡିଏନଏରେ ରହିଛି ପ୍ରେମଭାବ । ଆମ ଦେଶରେ ବିବିଧତା ମଧ୍ୟରେ ଶାନ୍ତି, ସ୍ନେହ ଓ ପ୍ରେମଭାବ ରହିଛି ।"
ଏହା ବି ପଢନ୍ତୁ- ‘RSS ଦେଶରେ ହିଂସା ଓ ଘୃଣା ବିସ୍ତାର କରିବାର ଦାୟିତ୍ବ ପ୍ରଧାନମନ୍ତ୍ରୀଙ୍କୁ ଦେଇଛି, ତାହା ହିଁ ସେମାନଙ୍କ ବିଚାରଧାରା’
ସେ ପୁଣି ଥରେ ମଣିପୁର ପ୍ରସଙ୍ଗକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି । ଏ ନେଇ ରାହୁଲ କହିଛନ୍ତି, " ମୁଁ ଯେତେବେଳେ ମଣିପୁର ଗସ୍ତ କରିଥିଲି, ସେତେବେଳେ କ୍ୟାମ୍ପ ଭିତରକୁ କୌଣସି କୁକି ସମ୍ପ୍ରଦାୟର ସୁରକ୍ଷାକର୍ମୀଙ୍କୁ ସାଙ୍ଗରେ ନ ଆଣିବାକୁ ମୈତେଇ ସମ୍ପ୍ରଦାୟ କହୁଥିଲେ । ସେପଟେ କୁକି ସମ୍ପ୍ରଦାୟ ମଧ୍ୟ ସମାନ କଥା କହୁଥିଲେ । ମୁଁ 'ମହବ୍ବତ କି ହିନ୍ଦୁସ୍ତାନ' ଚାହୁଁଛି, କାରଣ ମୁଁ ମୋ ଦେଶକୁ ବହୁତ ଭଲ ପାଏ ।" ଏହା ସହିତ ଅଗ୍ନିବୀର ଯୋଜନାକୁ ନେଇ ମଧ୍ୟ କେନ୍ଦ୍ର ଉପରେ ବର୍ଷିଥିଲେ ରାହୁଲ । ଏହାସହିତ ଆଦାନି ପ୍ରସଙ୍ଗ ଉଠାଇ ରାହୁଲ କହିଥିଲେ ଯେ ସେ ଯେତେବେଳେ ଏହି ପ୍ରସଙ୍ଗ ସଂସଦରେ ଉଠାଇଥିଲେ, ତାଙ୍କ ସଦସ୍ୟତା ରଦ୍ଦ କରାଯାଇଥିଲା । ଏପରିକି ତାଙ୍କୁ ଦିଲ୍ଲୀ ସ୍ଥିତ ସରକାରୀ ବାସଭବନ ଖାଲି କରିବାକୁ କୁହାଯାଇଥିଲା । ଏଣୁ ସେ ତାଙ୍କ ଘରେ ନ ରହି, ବରଂ ଦେଶବାସୀଙ୍କ ହୃଦୟରେ ରହିବାକୁ ପସନ୍ଦ କରିବେ ବୋଲି କହିଛନ୍ତି ରାହୁଲ ।
ସୂଚନା ଥାଉ କି ଦୁଇ ଦିନର ବିଶ୍ରାମ ପରେ ରବିବାର ପୁଣି ପଦଯାତ୍ରା ଆରମ୍ଭ କରିଛନ୍ତି । ସେ ଆଜିର କାର୍ଯ୍ୟକ୍ରମ ଆରମ୍ଭ କରିବା ପୂର୍ବରୁ ଗାନ୍ଧୀ ଛକରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଏହାପରେ ସେ ଯାତ୍ରା ଆରମ୍ଭ କରି ଖାରସିଆ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଭିମୁଖେ ବାହାରିଥିଲେ । ଏହି ଯାତ୍ରାରେ ଅନେକ କଂଗ୍ରେସ ନେତା ଓ ସମର୍ଥକ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ଇନଚାର୍ଜ ସଚିନ ପାଇଲଟ, ରାଜ୍ୟ କଂଗ୍ରେସ ମୁଖ୍ୟ ଦୀପକ ବୈଜ ଓ ବିରୋଧୀ ଦଳ ନେତା ଚରଣ ସିଂ ମହନ୍ତ ଉପସ୍ଥିତ ଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ