ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଚଳିତମାସ ୩ ତାରିଖରୁ ଧାନମଣ୍ଡିର ଶୁଭାରମ୍ଭ ହୋଇସାରିଛି । ମାତ୍ର ଜିଲ୍ଲାର ପୁରୁଷୋତ୍ତମପୁର ବ୍ଲକ ବାଘଳା ଗ୍ରାମରେ ଧାନ କିଣାରେ ଅବ୍ୟବସ୍ଥା ନେଇ ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଚାଷୀ । ଯାହାକି ଚାଷୀଙ୍କୁ ଟକେନ୍ ମିଳିଥିଲେ ମଧ୍ୟ ଅଦ୍ୟାବଧି ଧାନ ସଂଗ୍ରହ ହୋଇପାରିନାହିଁ ।ପଞ୍ଚାୟତରେ ଧାନ ସଂଗ୍ରହ ପାଇଁ ଦାୟିତ୍ୱରେ ରହିଥିବା ମହିଳା ସ୍ୱୟଂ ସହାୟିକାମାନେ ଚାଷୀଙ୍କ ଧାନ ନେଉନଥିବା ଅଭିଯୋଗରେ ଧାନ ମଣ୍ଡି ସମୁଖରେ ଚାଷୀ ରାସ୍ତା ଉପରେ ଧାନ ବସ୍ତା ରଖି ରାସ୍ତା ଅବରୋଧ କରିଥିଲେ ।
କାହିଁକି ଏଭଳି ଅବ୍ୟବସ୍ଥା
ଗତ ଅଦିନିଆ ଲଗାଣ ବର୍ଷାରେ ଗଞ୍ଜାମ ଜିଲ୍ଲାର ଚାଷୀକୂଳ ଅନେକ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏହାକୁ ନେଇ ନାନା ଚିନ୍ତାରେ ରହିଛନ୍ତି ଜିଲ୍ଲାର ଚାଷୀମାନେ । ଏଭଳି ସମୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଳମ୍ୱରେ ଅର୍ଥାତ୍ ଗତ ଜାନୁୟାରୀ ୩ ତାରିଖରେ ଏଠାରେ ମଣ୍ଡି ଆରମ୍ଭ କରାଯାଇଥିଲା । ହେଲେ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ବାଘଳା ଗ୍ରାମରେ ଅମଳ ହୋଇଥିବା ଧାନ ନେବା ପାଇଁ ଗତ ୩ ତାରିଖରୁ ଚାଷୀଙ୍କ ପାଇଁ ଟକେନ ଦିଆଯାଇଛି । ଉକ୍ତ ଟକେନଗୁଡିକୁ ଧରି ଚାଷୀମାନଙ୍କ ମଧ୍ୟରେ କେତେକ ଆଣି ଗ୍ରାମର ଏସ୍.ଏସ୍.ଜି ଗ୍ରୁଫ୍ କରିଥିବା ମଣ୍ଡିରେ ଧାନ ରଖିଥିବା ବେଳେ ଆଉ କେତେକ ନିଜ ଘରେ ରଖିଥିଲେ ମଧ୍ୟ ଅଦ୍ୟାବଧି ମଣ୍ଡିରେ ଧାନ ନେଉନାହାନ୍ତି । ଯାହାଫଳରେ ଚାଷୀମାନେ ନିଜର କଷ୍ଟ ଉପାର୍ଜିତ ଧାନକୁ ସୁରକ୍ଷିତ ଭାବେ ରଖିପାରିବେ କି ନାହିଁ ତାହାକୁ ନେଇ ନାନା ଆଶା ଅଶଙ୍କାରେ ରହିଛନ୍ତି ।
- ବାଘଳା-ପୁରୁଷୋତ୍ତମପୁର ମୁଖ୍ୟରାସ୍ତା ଅବରୋଧ କଲେ ଚାଷୀ
ଏନେଇ ଚାଷୀମାନେ ସ୍ଥାନୀୟ ପ୍ରଶାସନକୁ ଜଣାଇଥିଲେ ସୁଦ୍ଧା କେହି କର୍ଣ୍ଣପାତ କରୁନାହାନ୍ତି । ଫଳରେ ବାଧ୍ୟ ହୋଇ ଚାଷୀମାନେ ଏପରି ନିଜର ଅମଳ ଧାନକୁ ଆଣି ରାସ୍ତା ଉପରେ ରଖି ଆନ୍ଦୋଳନ କରିଥିବା କହିଛନ୍ତି । ବାଘଳା ପଞ୍ଚାୟତର ଚାଷୀମାନେ ଧାନ ବସ୍ତାକୁ ରାସ୍ତା ଉପରେ ରଖି ସମବାୟ ସମିତି କାର୍ଯ୍ୟାଳୟ ସମ୍ମୁଖରେ ବସିବା ସହିତ ବାଘଳା-ପୁରୁଷୋତ୍ତମପୁର ମୁଖ୍ୟରାସ୍ତାକୁ ଅବରୋଧ କରିଥିଲେ ଚାଷୀ ମାନେ ।
- ଆନ୍ଦୋଳନତ ଚାଷୀଙ୍କ ଦାବି:
ଉକ୍ତ ଗ୍ରାମର ପାଣି ପଞ୍ଚାୟତର ସଭାପତି ତଥା ଚାଷୀ ରାଜକୁମାର ବସ୍ତିଆ ନିଜ ପ୍ରତିକ୍ରିୟାରେ ଚାଷୀମାନଙ୍କ ମୁଖ୍ୟ ଦାବି ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି । ଗତ ତିନି ତାରିଖରୁ ଟେକନ୍ ମିଳିଥିବା ବେଳେ ଅଦ୍ୟାବଧି ଧାନ କ୍ରୟ ହୋଇପାରୁ ନଥିବା ବେଳେ ସରକାରଙ୍କ ନିର୍ଦ୍ଧାରିତ ଯେଉଁ ଦର ରହିଛି କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ସେହି ଦରରେ ଧାନ ଦେବା ସହିତ ଚାଷୀ ମାନେ କଟନୀ ଛଟନୀ ପାଇଁ ରାଜି ନଥିବା କହିଛନ୍ତି । ଏପରିକି ଧାନ ସଂଗ୍ରହ ସମୟରେ ଅଖା ମଧ୍ୟ ପ୍ରଦାନ କରିବାକୁ ଦାବି କରିଛନ୍ତି । ଏହି ଦାବି ପ୍ରତି ଗୁରୁତ୍ୱ ଦିଆନଗଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି କହିଛନ୍ତି ।ଏପରିକି ଗ୍ରାମରେ ଆଜି ପର୍ଯ୍ୟନ୍ତ ଧାନ ସଂଗ୍ରହ କରିନଥିବା କହିଛନ୍ତି । ଏ ନେଇ ଗତ ୧୨ ଦିନ ଧରି ଅପେକ୍ଷା କରି ରହିବା ପରେ ଶେଷରେ ଆନ୍ଦୋଳନକୁ ଓଲ୍ଲାଇଥିବା କହିଛନ୍ତି । ଏଥିପ୍ରତି ତୁରନ୍ତ ପଦକ୍ଷେପ ଗ୍ରହଣ ନକଲେ ଆଗମୀ ଦିନରେ ଆହୁରି ଆନ୍ଦୋଳନ କରାଯିବ ବୋଲି କହିଛନ୍ତି ।
ସେପଟେ ବାଘଳା ଅଞ୍ଚଳର ଚାଷୀ ବିପ୍ର ପ୍ରଧାନଙ୍କ କହିବା କଥା ଆମର ଧାନ ବିକ୍ରି କରିବାକୁ ଟୋକେନ୍ ଆସିଯାଇଛି ହେଲେ ମଣ୍ଡିରୁ ଧାନ ଯାଉନି । ଯାହାକୁ ନେଇ ହଇରାଣ ହେଉଛୁ । ଏପରିକି କୌଣସି କଥାର ପ୍ରତିଶୃତି ଦିଆଯାଉନାହିଁ । ବିପ୍ରଙ୍କର ୧୫୦ କୁଇଣ୍ଟାଲ ଧାନ ରହିଥିବା କହିଛନ୍ତି । ସେପଟେ ଅନ୍ୟ ଏକ ଗ୍ରାମର ଚାଷୀ କେଉଁ କାରଣ ପାଇଁ ଗ୍ରାମରେ ଧାନ ସଂଗ୍ରହ ପାଇଁ ନିଯୋଜିତ ହୋଇଥିବା ଏସ୍.ଏସ୍.ଜି ଗ୍ରୁଫ୍ ଧାନ ସଂଗ୍ରହ କରୁନାହାନ୍ତି କିମ୍ୱା ଏ ନେଇ କୌଣସି ସ୍ପଷ୍ଟ ସୂଚନା ଦେଉନାହାନ୍ତି ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।
ସେପଟେ ମଣ୍ଡି ଦାୟିତ୍ୱରେ ରହିଥିବା ବାଙ୍କେଶ୍ଵର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର କର୍ମକର୍ତ୍ତାଙ୍କ କହିବା କଥା ଆମକୁ ପ୍ରଥମେ ପ୍ରଶାସନ ପକ୍ଷରୁ ଏକ ହଜାର କୁଇଣ୍ଟାଲ ଧାନ ସଂଗ୍ରହ କରିବାକୁ ଟାର୍ଗେଟ ଆସିଥିଲା । ଏହାକୁ ନେଇ ଏହି ମଣ୍ଡି ପାଇଁ ପାଞ୍ଚୋଟି ମିଲରକୁ ଦିଆଯାଇଥିଲା । ଏହାକୁ ନେଇ ଗତ ତିନି ତାରିଖରେ ୨୭ ଜଣ ଚାଷୀ ରହିଥିବା ବେଳେ ଏକ ହଜାର କୁଇଣ୍ଟାଲ ମଧ୍ୟରେ ସମସ୍ତେ ଧାନ ଦେବା ପାଇଁ କହିଥିବା ବେଳେ ମଣ୍ଡିକୁ ଆଣିବାକୁ କହିଥିବା କହିଛନ୍ତି । ସେମାନେ ଆଣିବା ପରେ ହିଁ ମିଲରଙ୍କୁ ଜଣାଇବୁ ଆସିକି ନେବା ପାଇଁ । ଗତ ତିନି ତାରିଖ ଟୋକେନରେ ରହିଥିବା ସମସ୍ତ ଚାଷୀଙ୍କୁ ଏ ନେଇ ଅବଗତ କରାଯାଇଥିବା କହିଛନ୍ତି । ହେଲେ ଧାନ ସଂଗ୍ରହ କରିବା ଆରମ୍ଭ ହୋଇଛି କି ବୋଲି ପ୍ରଶ୍ନରେ ସେ ନେଇ ଧାନ ନେବା ଆରମ୍ଭ ହୋଇନଥିବା କହିଛନ୍ତି ଦାୟିତ୍ୱରେ ରହିଥିବା କର୍ମକର୍ତ୍ତା ।
ସେପଟେ ଚାଷୀମାନେ ପୂର୍ବରୁ ଯେଉଁ ଦୁଇ କିଲୋଗ୍ରାମ ଅତିରିକ୍ତ ଦେଉଥିଲେ ତାହାକୁ ଚଳିତଥର ଦେବେ ନାହିଁ କେବଳ ଶହେ କିଲୋଗ୍ରାମ ଲେଖାଏଁ ଦେବେ ବୋଲି କହୁଥିବା ବେଳେ ଆମେ ମଧ୍ୟ ସରକାରଙ୍କ ଦରରେ ନେବୁ ବୋଲି କହିବା ସହିତ ଭଲ ଧାନ ଦେବାକୁ କହୁଥିବା କହିଛନ୍ତି । ସେପଟେ ବ୍ଲକ କର୍ତ୍ତୁପକ୍ଷ ଧାନ ସଂଗ୍ରହ ବେଳେ କୌଣସି କୋହଳ କଥା କହିନଥିବାରୁ ଏଫ୍.ଏ.କ୍ୟୁ ଧାନ ଆଣିବାକୁ ହିଁ କୁହାଯାଉଥିବା କହିଛନ୍ତି । ଧାନ ସଂଗ୍ରହ ହୋଇଛି ହେଲେ ମଣ୍ଡିରେ ତାହାକୁ ରହିଥିବା ବେଳେ କ୍ରୟ କରାଯାଇନଥିବା କହିଛନ୍ତି । ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ଟାର୍ଗେଟ ବୃଦ୍ଦି ପାଇଥିବା ବେଳେ ୪୩୭୦ କୁଇଣ୍ଟାଲରେ ପହଞ୍ଚିଥିବା କୁହାଯାଇଛି । ଅନ୍ୟପଟେ ଗତ ବର୍ଷ ଏହି ଗ୍ରାମରୁ ଧାନ ସଂଗ୍ରହ କାର୍ଯ୍ୟରେ ନିୟୋଜିତ ରହିଥିବା ବାଙ୍କେଶ୍ଵର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ପକ୍ଷରୁ ୧୦ ହଜାର ୩୫ କୁଇଣ୍ଟାଲ ଧାନ କ୍ରୟ କରାଯାଇଥିବା କହିଛନ୍ତି । ଖୁବଶୀଘ୍ର ଚାଷୀଙ୍କ ଠାରୁ ଧାନ ନିଆଯିବ ବୋଲି କହିଛନ୍ତି ମଣ୍ଡି ଦାୟିତ୍ୱରେ ଥିବା ସ୍ବୟଂ ସହାୟିକା ଗୋଷ୍ଠୀର ସଭାପତି ।
ଇଟିଭି ଭାରତ, ବ୍ରହ୍ମପୁର