ହାଇଦ୍ରାବାଦ: ଭାରତୀୟ ବଂଶୋଦ୍ଭବ ତଥା ନାସା ମହାକାଶଚାରୀ ସୁନୀତା ୱିଲିୟମ୍ସ ଜୁନ 2024ରେ ମହାକାଶକୁ 8ଦିନ ପାଇଁ ଯାଇ 237 ଦିନ ହେଲାଣି ଫସି ରହିଛନ୍ତି । ସେ ଖୁବଶୀଘ୍ର ପୃଥିବୀକୁ ଫେରିବାକୁ ଥିବାରୁ କିପରି ସେ ଚାଲନ୍ତି ତାହାକୁ ମନେ ପକାଉଛନ୍ତି । ମହାକାଶରେ ଶୂନ୍ୟ ମାଧ୍ୟାକର୍ଷଣ ଶକ୍ତି ଯୋଗୁଁ ଗତ 237 ଦିନ ଧରି ଭାସୁଛନ୍ତି ସୁନୀତା । ଏଣୁ ସେ ପୃଥିବୀରେ ଥିବାବେଳେ କିପରି ଚାଲୁଥିଲେ ତାହାକୁ ମନେ ପକାଉଛନ୍ତି । ସେପଟେ ଖୁବଶୀଘ୍ର ଦୁଇ ଆମେରିକୀୟ ମହାକାଶଚାରୀଙ୍କୁ ଫେରାଇ ଆଣିବାକୁ ଏଲନ ମସ୍କଙ୍କୁ କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।
- ସ୍କୁଲ ପିଲାଙ୍କୁ କଣ କହିଲେ ସୁନୀତା ?
ଆମେରିକାର ନିଧାମ ବାସିନ୍ଦା ସୁନୀତା ସେହି ଅଞ୍ଚଳର ଏକ ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ସହ ଗତ ଜାନୁଆରୀ 27 ତାରିଖରେ ବାର୍ତ୍ତାଳାପ କରିଥିଲେ । ଏହି ସମୟରେ ସ୍ପେଶ ଷ୍ଟେସନରେ ସେ କିପରି ବସବାସ କରୁଛନ୍ତି ସେ ସମ୍ପର୍କରେ ଆଲୋଚନା କରିଥିଲେ । ଏ ନେଇ ସୁନୀତା କହିଥିଲେ, "ମୁଁ ଏଠାରେ ବହୁ ସମୟ ଧରି ଅଛି । ଏବେ ମୁଁ ଚାଲନ୍ତି କିପରି ତାହା ମନେ ପକାଉଛି । ମୁଁ ଚାଲିପାରୁନି, ବସିପାରୁନି କି ଶୋଇ ପାରୁନି । ଏପରି କରିବାର ଆବଶ୍ୟକତା ବି ନାହିଁ । କାରଣ ଆପଣ ଏଠାରେ କେବଳ ଭାସିପାରିବେ ।"
ୱିଲିୟମ୍ସ ଆହୁରି କହିଛନ୍ତି ଯେ ସେ ମହାକାଶରେ ସହଯୋଗୀ ବଚ୍ ୱିଲମୋରଙ୍କ ସହିତ ଏତେ ଦିନ ଫସିଯିବେ ବୋଲି କେବେ କଳ୍ପନା କରିନଥିଲେ । ଏହା ତାଙ୍କ ପାଇଁ ସାମାନ୍ୟ ଝଟକା ଥିଲା । ପ୍ରଥମେ ସେ ଏହି ମିଶନରେ ମାସେ ରହିପାରନ୍ତି ବୋଲି ଆଶଙ୍କା କରୁଥିଲେ କିନ୍ତୁ ଏହି ସମୟ ବୃଦ୍ଧି ପାଇବା ପରେ ଉଭୟଙ୍କ ପାଇଁ ଏହା ଭିନ୍ନ ଅନୁଭବ ଥିଲା ବୋଲି ସେ କହିଛନ୍ତି ।
- ଚାଲିବା ମନେ ପକାଉଛନ୍ତି ସୁନୀତା
59 ବର୍ଷୀୟ ମହାକାଶଚାରୀ ସୁନୀତା ମହାକାଶରେ 61 ବର୍ଷୀୟ ୱିଲମୋରଙ୍କ ସହିତ ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନରେ ଫସି ରହିଛନ୍ତି । ସେ ମହାକାଶକୁ ଯାଇଥିବା ବୋଇଙ୍ଗ ଷ୍ଟାରଲାଇନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ସେ ଘରକୁ ଫେରିପାରୁନାହାନ୍ତି । ମାର୍ଚ୍ଚ 2025ରେ ସେମାନେ ଘରକୁ ଫେରିପାରନ୍ତି । ଏଥିଲାଗି ଚାଲନ୍ତି କିପରି ତାହାକୁ ସେ ମନେ ପକାଉଥିବା କହିଛନ୍ତି ।
The @POTUS has asked @SpaceX to bring home the 2 astronauts stranded on the @Space_Station as soon as possible. We will do so.
— Elon Musk (@elonmusk) January 28, 2025
Terrible that the Biden administration left them there so long.
- ଏଲନ ମସ୍କଙ୍କୁ ସାହାଯ୍ୟ ମାଗିଲେ ଟ୍ରମ୍ପ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର କହିଛନ୍ତି ଯେ ଏଲନ ମସ୍କଙ୍କ ସ୍ପେଶଏକ୍ସ ଖୁବଶୀଘ୍ର ଏକ ମିଶନ ଲଞ୍ଚ କରି ଫସିରହିଥିବା ଦୁଇ ମହାକାଶଚାରୀଙ୍କୁ ପୃଥିବୀ ଫେରାଇଆଣିବ । ଏ ନେଇ ସେ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଲେଖିଛନ୍ତି, "ଏଲନ ଖୁବଶୀଘ୍ର ମିଶନ ଆରମ୍ଭ କରିବାକୁ ଯାଉଛନ୍ତି । ଆଶା ଏହା ସୁରକ୍ଷିତ ଭାବେ ହେବ । ଏଲନଙ୍କୁ ଏଥିଲାଗି ଶୁଭକାମନା ।" କିନ୍ତୁ ଏହି ମିଶନ କେତେ ଆରମ୍ଭ ହେବ ସେ ସମ୍ପର୍କରେ ଟ୍ରମ୍ପ ଉଲ୍ଲେଖ କରିନାହାନ୍ତି । ସେପଟେ ଏଲନ ମସ୍କ ମଧ୍ୟ ଏ ନେଇ X ସାଇଟ୍ରେ ଏକ ପୋଷ୍ଟ କରି ସୂଚନା ଦେଇଛନ୍ତି ।