ଭୁବନେଶ୍ବର: ମହିଳା ନିବେଶକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କଲେ ବଡ଼ ଘୋଷଣା । ଆଜି(ବୁଧବାର) ଉତ୍କର୍ଷ ଓଡ଼ିଶା କନକ୍ଲେଭର ଦ୍ବିତୀୟ ଦିନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହିଳା ନିବେଶକଙ୍କ ପାଇଁ ଦୁଇଟି ବଡ଼ ଘୋଷଣା କରିଛନ୍ତି । ରାଜ୍ୟରେ ମହିଳା ନିବେଶକଙ୍କ ପାଇଁ ଏକ୍ସକଲ୍ୟୁସିଭ ଇଣ୍ଡଷ୍ଟ୍ରିଆଲ ପାର୍କ କରିବେ ରାଜ୍ୟ ସରକାର । ଏହାସହ ଇପିକଲରେ ମହିଳା ନିବେଶକଙ୍କ ପାଇଁ ଖୋଲିବ ସ୍ୱତନ୍ତ୍ର ସେଲ । ମହିଳା ନିବେଶକଙ୍କ ସହ ଆଲୋଚନାବେଳେ ଏହା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।
ମହିଳା ଉଦ୍ୟୋଗୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା:
ମହିଳା ଶିଳ୍ପ ଉଦ୍ୟୋଗୀମାନଙ୍କୁ ନେଇ ରାଉଣ୍ଡ ଟେବୁଲ ବୈଠକରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜ୍ୟ ତଥା ଦେଶର ସଫଳ ମହିଳା ବ୍ୟବସାୟୀଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିରେ ରୁଚି ଫୁଡ ଲାଇନ, ମିଲକ ମନ୍ତ୍ରା, ଲୁମିନସ ପାୱାର, ଜିଭାଦା ଭେଞ୍ଚରସ, ଇନଡଲଜ ପ୍ରାଇଭେଟ୍ ଲିମିଟେଡ ଭଳି ଓଡ଼ିଶା ଆଧାରିତ କମ୍ପାନୀର ମୁଖ୍ୟମାନେ ଯୋଗ ଦେଇଛନ୍ତି । ସଫଳ ମହିଳା ଉଦ୍ୟୋଗୀମାନଙ୍କୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ । "ମହିଳାମାନେ ପୂର୍ବରୁ ଅନେକ ଥର ପ୍ରମାଣିତ କରିଛନ୍ତି, ସେମାନେ ପୁରୁଷମାନଙ୍କଠାରୁ ମଧ୍ୟ ଅଧିକ କରିପାରିବେ । ଅନେକ ଲୋକ ସାଇକେଲ ଚଳାଇ ଜାଣିନାହାନ୍ତି । କିନ୍ତୁ ଆମ ମହିଳାମାନେ ଫାଇଟର ପ୍ଲେନ ବି ଚଳାଉଛନ୍ତି" ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
'ମହିଳା ସଶକ୍ତିକରଣକୁ ଗୁରୁତ୍ବ'
ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆହୁରି କହିଛନ୍ତି, "ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ମହିଳାମାନେ ଅତିରିକ୍ତ 10 ପ୍ରତିଶତ ସବସିଡି ପାଉଛନ୍ତି । ମହିଳା ସଶକ୍ତିକରଣ ଉପରେ ସରକାର କାମ କରୁଛନ୍ତି । ମହିଳାମାନଙ୍କୁ ଉଦ୍ୟୋଗୀ କରିବା ପାଇଁ ରାସ୍ତା ସୁଗମ କରିଛନ୍ତି ରାଜ୍ୟ ସରକାର । ବଜେଟରେ ମଧ୍ୟ 75 ହଜାର କୋଟିରୁ ଅଧିକ ଟଙ୍କା ମହିଳାମାନଙ୍କ କଲ୍ୟାଣ ପାଇଁ ମଞ୍ଜୁର କରାଯାଇଛି । ସୁଭଦ୍ରା ଯୋଜନା ମହିଳା ସଶକ୍ତିକରଣ ଦିଗରେ କାର୍ଯ୍ୟ କରୁଛି । ଯାହାଦ୍ବାରା ମହିଳାମାନେ ଛୋଟ ଛୋଟ ବ୍ୟବସାୟ କରୁଛନ୍ତି ।