ପୁରୀ: ବଡ଼ଦାଣ୍ଡରୁ ଉଚ୍ଛେଦ ହୋଇଥିବା ଉଠା ଦୋକାନୀଙ୍କୁ ବଡ଼ଦାଣ୍ଡରେ ବ୍ୟବସାୟ କରିବାକୁ ଲୋଡିଲେ ଅନୁମତି । ଥଇଥାନ ପାଇଁ ମିଳିଥିବା ଶ୍ରୀସେତୁ ନିକଟ ସ୍ଥାନକୁ ସେମାନେ ନାପସନ୍ଦ କରିଛନ୍ତି । ସେଠାରେ ଜନଗହଳି ନଥିବାରୁ ରୋଜଗାର ହେଉନଥିବା କହିଛନ୍ତି ଉଠାଦୋକାନୀ । ସେପଟେ ଏହି ଦାବି ପୂରଣ ସମ୍ଭବ ନୁହେଁ ବୋଲି କହିଛି ପ୍ରଶାସନ ।
ବଡ଼ଦାଣ୍ଡରେ ବ୍ୟବସାୟ ଅନୁମତି ଦାବି:
ଜଣେ ଉଠାଦୋକାନୀ ନିରଞ୍ଜନ ସିଂ କହିଛନ୍ତି, "2023ରୁ ଆମକୁ ବଡଦାଣ୍ଡରୁ ସରକାର ଉଚ୍ଛେଦ କରିଥିଲେ । ଏହାରି ମଧ୍ୟରେ ବର୍ଷେ ବିତିଲାଣି । ହେଲେ ଆଜି ପର୍ଯ୍ୟନ୍ତ ସରକାର ଆମକୁ ଥାଇଥାନ କଲେନି । ସରକାର ଆମକୁ ଥଇଥାନ ପାଇଁ ଯେଉଁ ଶ୍ରୀସେତୁ ନିକଟରେ ସ୍ଥାନ ଦେଇଛନ୍ତି ଆମେ ସେଠାକୁ ଯିବାପାଇଁ ଚାହୁଁନୁ। କାରଣ ସେଠାକୁ ଭକ୍ତ, ପର୍ଯ୍ୟଟକଙ୍କ ଯାତାୟାତ ନାହିଁ। ଏଣୁ ସେଠାରେ ବ୍ୟବସାୟ ହୋଇ ପାରିବ ନାହିଁ। ଲୋକ ମାନେ ଶ୍ରୀମନ୍ଦିରକୁ ବଡଦାଣ୍ଡ ଦେଇଯିବେ । ଏଣୁ ବଡଦାଣ୍ଡରେ ହିଁ ଆମକୁ ବ୍ୟବସାୟ ଅନୁମତି ଦେଲେ ଆମେ ରୋଜଗାରକ୍ଷମ ହୋଇପାରିବୁ । ଆମ ଜୀବନ ଜୀବିକା ସୁରକ୍ଷିତ ହୋଇ ପାରିବ। ବଡଦାଣ୍ଡ ଓ ସମୁଦ୍ର କୂଳକୁ ଛାଡ଼ିଲେ ଆମର ଆନ୍ୟ କୌଣସି ସ୍ଥାନରେ ବ୍ୟବସାୟ ହେବ ନାହିଁ। କିଛି ବ୍ୟବସାୟୀ ଙ୍କ ଆର୍ଥିକ ସ୍ଥିତି ଖରାପ ଥିବାରୁ ସେମାନେ ପ୍ରଶାସନଠାରୁ ଆର୍ଥିକ ସାହାଯ୍ୟ ନେଇ ଶ୍ରୀସେତୁ ତଳେ ବ୍ୟବସାୟ ପାଇଁ ରାଜି ହୋଇଛନ୍ତି । ହେଲେ କାହାର ଆନ୍ତରିକତା ନାହିଁ । ଉଚ୍ଛେଦ ଉଠା ଦୋକାନୀଙ୍କୁ ଥଇଥାନ ନହେବା ଯାଏ ଦିଆଯାଉଥିବା ମାସିକ 15 ହଜାର ଟଙ୍କା ସହାୟତା ରାଶି ମଧ୍ୟ ବନ୍ଦ କରିଦିଆଯାଇଛି । ଘର ଚଳାଇବା, ପିଲାଙ୍କୁ ପାଠ ପଢ଼ାଇବା, ରୋଗୀ ବାପା ମା'ଙ୍କୁ ଔଷଧ ଟିକେ ଦେଇ ପାରୁନାହାନ୍ତି ଅନେକ ଲୋକ। ଆମକୁ ବଡ଼ ଦାଣ୍ଡରେ ବ୍ୟବସାୟ ଅନୁମତି ନମିଳିଲେ ଆମେ ବଡ଼ ଦାଣ୍ଡରେ ମୁଣ୍ଡ ପିଟି ପିଟି ମରିଯିବୁ ପଛେ ଆମେ ବଡ଼ଦାଣ୍ଡ ଛାଡି ଯିବୁନାହିଁ।"
ଶ୍ରୀମନ୍ଦିର ଉତ୍ତର ଦ୍ଵାର ନିକଟରୁ ଉଚ୍ଛେଦ ହୋଇଥିବା ଜଣେ ମହିଳା ଉଠା ଦୋକାନୀ କହିଛନ୍ତି, "ମୁଁ ଶ୍ରୀମନ୍ଦିର ଉତ୍ତର ଦ୍ଵାର ନିକଟରେ ଉଠା ଦୋକାନ କରି ଘର ପ୍ରତିପୋଷଣ କରୁଥିଲି। ହେଲେ ଦୋକାନ ଉଚ୍ଛେଦ ପରେ ଆମେ ବହୁତ ହଇରାଣ ହେଉଛୁ । ରୋଜଗାର ନଥିବାରୁ ଆମେ ଘର ଭଡ଼ା ଦେଇପାରୁନାହୁଁ । ନିଜ ପେଟକୁ ଗଣ୍ଡେ ଦାନା ଦେଇପାରୁନାହୁଁ। ଶାଶୁ ଶଶୁରଙ୍କୁ ଔଷଧ ଦେଇ ପାରୁନାହୁଁ । ଆମକୁ ଶ୍ରୀସେତୁ ନିକଟରେ ବ୍ୟବସାୟ ପାଇଁ ପ୍ରଶାସନ କହିଛି । ସେଠାକୁ ଲୋକଙ୍କ ଯାତାୟାତ ନାହିଁ। ଆମେ କିଭଳି ବ୍ୟବସାୟ କରି ଘର ଚଳାଇବୁ। ଆମ ଜୀବନ ଜୀବିକା ପାଇଁ ଆମକୁ ସରକାର ବଡ଼ଦାଣ୍ଡରେ ବ୍ୟବସାୟ ପାଇଁ ଅନୁମତି ଦିଅନ୍ତୁ । "
ଏହା ବି ପଢନ୍ତୁ...ଶ୍ରୀମନ୍ଦିର 75 ମିଟର ସୁରକ୍ଷା ଜୋନରେ ପୁଣି ଆରମ୍ଭ ହେଲା ଉଚ୍ଛେଦ ପ୍ରକ୍ରିୟା ଏହା ବି ପଢନ୍ତୁ...ହଟିଲା କର୍ଫ୍ୟୁ, ତୃତୀୟ ଲାଇନ ରେଳ ଧାରଣା ପାଇଁ ଜବର ଦଖଲ ଉଚ୍ଛେଦ |
'ଦାବିକୁ ପୂରଣ ସମ୍ଭବପର ନୁହେଁ'
ସେପଟେ ପୁରୀ ପୌରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀ କହିଛନ୍ତି, "ବଡ଼ଦାଣ୍ଡକୁ ଟ୍ରାଫିକ ମୁକ୍ତ କରିବା ପାଇଁ ଶ୍ରୀମନ୍ଦିରଠାରୁ ମେଡିକାଲ ଛକ ଯାଏଁ ନୋ ଭେଣ୍ଡିଙ୍ଗ ଜୋନ ସରକାର କରିଛନ୍ତି । ଉଚ୍ଛେଦ ହୋଇଥିବା ୧୨୦୮ ଉଠା ଦୋକାନୀଙ୍କୁ ଏଥିପାଇଁ କ୍ଷତିପୂରଣ ରାଶି ମଧ୍ୟ ପ୍ରଦାନ କରାଯାଇଛି । ତେବେ ସେମାନଙ୍କର ଥଇଥାନ ପାଇଁ ଚିହ୍ନଟ ହୋଇଥିବା ଶ୍ରୀସେତୁ ନିକଟରେ ମଧ୍ୟ ଭିତିଭୂମିର ବ୍ୟବସ୍ଥା କରାଯାଇଛି । ଉଚ୍ଛେଦ ହୋଇଥିବା ୧୨୦୮ ଉଠା ଦୋକାନୀଙ୍କ ମଧ୍ୟରୁ ୯୫୦ ଉଠା ଦୋକାନୀ ସରକାରଙ୍କ କ୍ଷତିପୂରଣ ରାଶି ନେଇ ଶ୍ରୀସେତୁ ତଳେ ବ୍ୟବସାୟ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଲେଣି । ଏଣୁ ଅଳ୍ପ କିଛି ଉଠା ଦୋକାନୀ ବଡ଼ଦାଣ୍ଡରେ ବ୍ୟବସାୟ ପାଇଁ ଅନୁମତି ମାଗିବା ଠିକ୍ ନୁହେଁ । ଏହି ଦାବିକୁ ପୂରଣ କରାଯିବା ସମ୍ଭବପର ନୁହେଁ । ଆନ୍ଦୋଳନ ନକରି ଅନ୍ୟ ଉଠା ଦୋକାନୀଙ୍କ ଭଳି ସରକାରଙ୍କ କ୍ଷତିପୂରଣ ରାଶିକୁ ଗ୍ରହଣ କରି ନେଇ ଶ୍ରୀସେତୁ ନିକଟରେ ବ୍ୟବସାୟ ଆରମ୍ଭ କରିବା ଉଚିତ୍ ।"
ଇଟିଭି ଭାରତ, ପୁରୀ