ମୁମ୍ବାଇ:ଥାନାରେ ଭିତରେ ଫୁଟିଲା ଗୁଳି । ପୋଲିସ ସାମ୍ନାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଗୋାଷ୍ଠୀର ଶିବସେନା ନେତାଙ୍କୁ ଗୁଳି କଲେ ବିଜେପି ବିଧାୟକ । ଶୁକ୍ରବାର ବିଳମ୍ବିତ ରାତିରେ ମହାରାଷ୍ଟ୍ର ଉଲ୍ଲାସନଗର ଥାନାରେ ଏହି ଗୁଳିକାଣ୍ଡ ଘଟିଛି । ବିଜେପି ବିଧାୟକ ଗଣପତ ଗାଏକ୍ବାଡ ସିନ୍ଦେ ସେନା ନେତା ମହେଶ ଗାଏକ୍ବାଡଙ୍କୁ ଗୁଳିମାଡ କରିଛନ୍ତି । ଏଥିରେ ମହେଶ ଗାଏକ୍ବାଡଙ୍କ ସମେତ ୨ ଜଣ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏନେଇ ପୋଲିସ ମାମଲା ରୁଜୁ କରିବା ସହିତ ବିଜେପି ବିଧାୟକଙ୍କ ସହ ଆଉ ୨ ଜଣଙ୍କୁ ଗିରଫ କରିଛି । ଘଟଣାରେ ଅଧିକ ତଦନ୍ତ ଜାରି ରହିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।
ଗତକାଲି(ଶୁକ୍ରବାର) ଶିବସେନା ନେତା ମହେଶ ଗାଏକ୍ବାଡ ଏବଂ ବିଜେପି ନେତା ଗଣପତ ଗାଏକ୍ବାଡଙ୍କ ମଧ୍ୟରେ କୌଣସି କଥାକୁ ନେଇ ମତଭେଦ ହୋଇଥିଲା । କଥା ଏତେ ଆଗକୁ ବଢିଯାଇଥିଲା ଯେ, ଉଭୟ ନେତା ନିଜ ସମର୍ଥକଙ୍କୁ ନେଇ ପରସ୍ପର ବିରୋଧରେ ଏତଲା ଦେବାକୁ ରାତିରେ ଉଲ୍ଲାସନଗର ହିଲ୍ ଲାଇନ ଥାନାକୁ ଯାଇଥିଲେ । ସେଠାରେ ମଧ୍ୟ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏହି ସମୟରେ ବିଜେପି ବିଧାୟକ ସିନ୍ଦେ ସେନା ନେତାଙ୍କ ଉପରକୁ ଗୁଳି ଚଳାଇଥିଲେ । ଗୁଳିମାଡରେ ମହେଶ ଗାଏକ୍ବାଡ ଗୁରୁତର ଆହତ ହୋଇଛନ୍ତି ।
ଏହା ମଧ୍ୟ ପଢନ୍ତୁ: କାର୍ ପାର୍କିଂ ନେଇ ଗୁଳିକାଣ୍ଡ, ଉତ୍ତ୍ୟକ୍ତ ଲୋକ ୩ ଜଣଙ୍କୁ ପିଟି ପିଟି ମାରି ଦେଲେ