ନୂଆଦିଲ୍ଲୀ:ଆଜି ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ଥିଲା । 27 ତାରିଖରେ ନିର୍ବାଚନ ହେବାକୁ ଥିବା ବେଳେ ଆଜି ଏକାଧିକ ଆସନରେ ପ୍ରତିଦ୍ବନ୍ଦ୍ବିତା ନଥିବାରୁ ପ୍ରାର୍ଥୀମାନେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଶାସକ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଓ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପ୍ରମୁଖ ରହିଛନ୍ତି । ବିଜେପି ମୁଖ୍ୟ ନଡ୍ଡା ଗୁଜୁରାଟରୁ ନିର୍ବାଚନ ଲଢିଥିଲେ । ଆଜି ନଡ୍ଡାଙ୍କ ସମେତ ଦଳୀୟ 4 ପ୍ରାର୍ଥୀ ମଧ୍ୟ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି । ହୀରା ବ୍ୟବସାୟୀ ଗୋବିନ୍ଦ ଭାଇ ଢୋଲକିଆ, ଯଶବନ୍ତ ସିଂ ପରମାର ଓ ମୟଙ୍କ ନାୟକ ମଧ୍ୟ ନିର୍ବାଚିତ ହୋଇଛନ୍ତି ।
ସେହିପରି ରାଜସ୍ଥାନରୁ ନାମାଙ୍କନ ଭରିଥିବା କଂଗ୍ରେସ ଭେଟେରାନ ତଥା ଦଳର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମଧ୍ୟ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି । ଲୋକସଭାକୁ 6ଥର ନିର୍ବାଚିତ ହୋଇଥିବା ସୋନିଆ ଚଳିତଥର ପ୍ରଥମ କରି ଉଚ୍ଚସଦନ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ନିଜ ପାରମ୍ପରିକ ଆସନ ଉତ୍ତର ପ୍ରଦେଶର ରାଏ-ବରେଲୀରୁ ଝିଅ ତଥା ଦଳର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ନିର୍ବାଚନ ଲଢିବାକୁ ଯାଉଥିବା ଚର୍ଚ୍ଚା ହେଉଛି ।
ସେହିପରି ଓଡିଶାର 3 ଆସନରେ ପ୍ରାର୍ଥୀମାନେ ନିର୍ଦ୍ବନ୍ଦ୍ବରେ ବିଜୟୀ ହୋଇଛନ୍ତି । 3 ପ୍ରାର୍ଥୀଙ୍କ ମଧ୍ୟରେ ବିଜେପି ପ୍ରାର୍ଥୀ ତଥା ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ମଧ୍ୟ ଥିଲେ । ରାଜ୍ୟରେ ଚଳିତ ପର୍ଯ୍ୟାୟରେ ମୋଟ 3 ଆସନ ଖାଲି ହେଉଥିବା ବେଳେ ଶାସକ ବିଜୁ ଜନତା ଦଳ (ବିଜେଡି) 2 ଆସନରେ ପ୍ରାର୍ଥୀ ଦେଇଥିଲା । ତୃତୀୟ ଆସନରେ ବିଜେପି ପ୍ରାର୍ଥୀ ବୈଷ୍ଣବଙ୍କୁ ବିଜେଡି ସମର୍ଥନ ଘୋଷଣା କରିଥିଲା ।