ରାୟପୁର: ଦେଶରେ ସାଧାରଣ ନିର୍ବାଚନ ପ୍ରକ୍ରିୟା ଜାରି ରହିଥିବା ବେଳେ ଛତିଶଗଡରେ ନକ୍ସଲ ବିରୋଧୀ ଅପରେସନ ମଧ୍ୟ ଅନୁରୂପ ଭାବେ ସକ୍ରିୟତାର ସହ ଜାରି ରହିଛି । ନିକଟରେ ପ୍ରଥମ ପର୍ଯ୍ୟାୟ ଭୋଟିଂ ପୂର୍ବରୁ ଏକ ବଡ ଅପରେସନରେ ସୁରକ୍ଷାକର୍ମୀ କାଙ୍କେର ଜିଲ୍ଲାରେ 29 ନକ୍ସଲଙ୍କୁ ନିପାତ କରିବାରେ ସଫଳତା ପାଇଥିବା ବେଳେ ଆଜି (ରବିବାର) ପୁଣି ନକ୍ସଲ ବିରୋଧୀ ଅପରେସନ ଆରମ୍ଭ ହୋଇଛି । ଅନ୍ୟତମ ପ୍ରମୁଖ ନକ୍ସଲ ପ୍ରବଣ ଅଞ୍ଚଳ ବିଜାପୁରର ଭୈରମଗଡ ଜଙ୍ଗଲରେ ଏହି ଅପରେସନ ଜାରି ରହିଛି । ଏଥିରେ ଜଣେ ନକ୍ସଲ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛି । ଏବେ ବି ଉଭୟପଟୁ ଗୁଳି ବିନିମୟ ଜାରି ରହିଛି ।
ଇନପୁଟ ସୂଚନା ଆଧାରରେ ସ୍ଥାନୀୟ ପୋଲିସ ଓ କେନ୍ଦ୍ରୀୟ ଫୋର୍ସର ଟିମ୍ ଏହି ମିଳିତ ଅପରେସନ ଜାରି ରଖିଛନ୍ତି । ଏବେ ସୁଦ୍ଧା ଗୁଳି ବିନିମୟ ଜାରି ରହିଥିବା ବେଳେ ଜଣେ ନକ୍ସଲ ପ୍ରାଣ ହରାଇଥିବା ସ୍ଥାନୀୟ ଏସପି ଜିତେନ୍ଦ୍ର ଯାଦବ ସ୍ପଷ୍ଟ କରିଛନ୍ତି । କେଶକୁଟୁଲ ନିକଟବର୍ତ୍ତୀ ଜଙ୍ଗଲରେ ଏହି ଅପରେସନ ଜାରି ରହିଛି । ଘଟଣାସ୍ଥଳରୁ ଜଣେ ନକ୍ସଲର ମୃତଦେହ ସହ ଏକାଧିକ ଅସ୍ତ୍ରଶସ୍ତ୍ର ଓ ବହୁ ମାଓସାମଗ୍ରୀ ମଧ୍ୟ ଜବତ କରାଯାଇଛି ।
ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଛତିଶଗଡର ସର୍ବାଧିକ ନକ୍ସଲ ପ୍ରବଣ ବସ୍ତର ଲୋକସଭା ନିର୍ବାଚନ ମଣ୍ଡଳୀରେ ମତଦାନ ଶେଷ ହୋଇଛି । 26 ତାରିଖରେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂରେ କାଙ୍କେର, ମହାସମୁନ୍ଦ ଏବଂ ରାଜନନ୍ଦଗାଓଁ ଲୋକସଭା ଆସନରେ ଭୋଟ ଗ୍ରହଣ ହେବାକୁ ଯାଉଛି । ନିକଟରେ କାଙ୍କେର ଜିଲ୍ଲାର ଛୋଟାବେଥିଆ ଅଞ୍ଚଳରେ ସୁରକ୍ଷାବଳ ଏବଂ ନକ୍ସଲଙ୍କ ମଧ୍ୟରେ ବଡଧରଣର ଗୁଳି ବିନିମୟ ହୋଇଥିଲା । ଏଥିରେ ଏକାଧିକ ହାର୍ଡକୋର ନକ୍ସଲ କମାଣ୍ଡରଙ୍କ ସମେତ ମୋଟ 29 ଜଣ ନକ୍ସଲ ନିପାତ ହୋଇଥିଲେ । ଛତିଶଗଡ ଇତିହାସରେ ଗତ 15ବର୍ଷ ମଧ୍ୟରେ ଏହା ସବୁଠୁ ବଡ ନକ୍ସଲ ଅପରେସନ ଥିଲା ।