ପାଟନା: ୱେବ୍ ସିରିଜ 'ଖାକି: ଦ ବିହାର ଚାପ୍ଟର' ବିଷୟରେ ଅନେକ ଜାଣିଥିବେ । ଏହି ୱେବ୍ ସିରିଜର ରିୟଲ ଭିଲିଆନ ଅଶୋକ ମେହେତୋ ଅର୍ଥାତ୍ ବିହାରର ଯେଉଁ ଅପରାଧି ଉପରେ ୱେବସିରିଜଟି ନିର୍ମାଣ ହୋଇଥିଲା, ସେ ଏବେ ୬୦ ବର୍ଷ ବୟସରେ ବିବାହ କରିଛନ୍ତି । ବିହାର ନୱାଦା ଜେଲ ବ୍ରେକ କାଣ୍ଡ ଏବଂ ଜେଡିୟୁ ବିଧାୟକ ଉପରେ ଆକ୍ରମଣ ମାମଲାରେ ୧୭ ବର୍ଷ ଜେଲରେ ଥିବା ଅଶୋକ ଆସନ୍ତା ଲୋକସଭା ନିର୍ବାଚନରେ ଲଢିବା ପାଇଁ ତରବରିଆ ଭାବେ ବାହା ହୋଇଛନ୍ତି । ଆଇନଗତ ପ୍ରତିବନ୍ଧକ କାରଣରୁ ସେ ନିଜେ ନିର୍ବାଚନ ଲଢିପାରିବ ନାହିଁ, ତେଣୁ ନିଜ ପତ୍ନୀଙ୍କୁ ନିର୍ବାଚନ ମୈଦାନରେ ଓହ୍ଲାଇବାକୁ ଚାହୁଁଛନ୍ତି । ଅଶୋକଙ୍କ ପତ୍ନୀ ରାଷ୍ଟ୍ରୀୟ ଜନତା ଦଳ (JDU)ରୁ ପ୍ରାର୍ଥୀ ହୋଇପାରନ୍ତି । ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କ ପରାମର୍ଶରେ ଏହି ଅପରାଧୀ ତରବରିଆ ଭାବେ ବିବାହ କରିଥିବା କୁହାଯାଉଛି ।
୬୦ ବର୍ଷ ବୟସରେ ବିବାହ: କୁଖ୍ୟାତ ଅପରାଧୀ ଅଶୋକ ମେହେତୋ ପାଟନା ଜିଲ୍ଲାର ବଖସ୍ତିଆରପୁର ସ୍ଥିତ ଜଗଦମ୍ବା ମନ୍ଦିରରେ ମଙ୍ଗଳବାର ଦିନ ବିବାହ କରିଛି । ତା' ପତ୍ନୀଙ୍କ ଘର ମୁଙ୍ଗେର ଜିଲ୍ଲାର ବରିୟାରପୁର ଗାଁରେ ଏବଂ ସେ ଦିଲ୍ଲୀରେ ରହି ଚାକିରି କରନ୍ତି ।
ଅଶୋକ ମେହତୋ କିଏ ?ବିହାରର ଚର୍ଚ୍ଚିତ ଅପରାଧୀ ଅଶୋକ ନୱାଦା ଜିଲ୍ଲାର କୋନନପୁର ନିବାସୀ ଅଟେ । ୬୦ ବର୍ଷର ଅଶୋକ ଗତ ବର୍ଷ ୧୭ ବର୍ଷର ସଜ୍ଜା କାଟି ଜେଲରୁ ବାହାରିଥିଲା । ନୱାଦା ଜେଲ ବ୍ରେକ କାଣ୍ଡ ଏବଂ ଶେଖପୁରା ଜେଡିୟୁ ବିଧାୟକ ରଣଧୀର କୁମାର ସୋନିଙ୍କୁ ମରଣାନ୍ତକ ଆକ୍ରମଣ ମାମଲାରେ ସେ ଦୋଷୀ ଥିଲେ । ୨୦୦୫ରେ ସାଂସଦ ରାଜୋ ସିଂ ହତ୍ୟାକାଣ୍ଡ ମାମଲାରେ ମଧ୍ୟ ତାଙ୍କୁ ଦାୟୀ କରାଯାଇଥିଲା ।