ପାଟନା:ଆସ୍ଥାଭୋଟରେ ଜିତିଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ମୋଟ ୧୨୯ ବିଧାୟକଙ୍କ ସମର୍ଥନରେ ନୀତିଶ କୁମାର ଆସ୍ଥାଭୋଟ ଜିତିଛନ୍ତି । ପ୍ରସ୍ତାବ ବିରୋଧରେ କୌଣସି ଭୋଟ ପଡିନଥିବା ସୂଚନା ମିଳିଛି । ବିରୋଧୀ ଭୋଟିଂ ପୂର୍ବରୁ ଗୃହତ୍ୟାଗ କରିଛନ୍ତି । 3 ଆରଜେଡି ବିଧାୟକ କ୍ରସଭୋଟିଂ କରି ନୀତିଶଙ୍କୁ ସମର୍ଥନ କରିଛନ୍ତି । ଆରଜେଡି, କଂଗ୍ରେସ ଓ ବାମଦଳର ବିଧାୟକମାନେ ଭୋଟିଂରେ ଅଂଶଗ୍ରହଣ ନକରି କକ୍ଷତ୍ୟାଗ କରିଛନ୍ତି ।
ବିଳମ୍ବିତ ଅପରାହ୍ନରେ ଆସ୍ଥାଭୋଟ ପୂର୍ବରୁ ପୂର୍ବାହ୍ନରେ ବାଚସ୍ପତି ଥିବା ବରିଷ୍ଠ ଆରଜେଡି ନେତା ଅବୋଧ ବିହାରୀ ଚୌଧୁରୀଙ୍କୁ ପଦରୁ ହଟାଯାଇଥିଲା । ଏନଡିଏ ମେଣ୍ଟ ପକ୍ଷରୁ ଆଗତ ହୋଇଥିବା ଏହି ପ୍ରସ୍ତାବକୁ ମୋଟ 125 ବିଧାୟକ ସମର୍ଥନ କରିଥିଲେ । ଏହା ପରେ ବିଧାନସଭା ଉପାଧ୍ୟକ୍ଷ ମହେଶ୍ବର ହଜାରୀ ଗୃହକାର୍ଯ୍ୟ ପରିଚାଳନା କରିଥିଲେ । ଆରଜେଡି ବିଧାୟକ ଚେତନ ଆନନ୍ଦ, ନିଲମ ଦେବୀ, ପ୍ରହ୍ଲାଦ ଯାଦବ ଗୃହରେ ଶାସକ ମେଣ୍ଟର ସଦସ୍ୟଙ୍କ ସହ ବସିଥିଲେ । ସେମାନେ କ୍ରସଭୋଟିଂ କରିବା ନେଇ ସ୍ପଷ୍ଟ ଅନୁମାନ କରାଯାଉଥିଲା । ଏହାକୁ ବେଆଇନ କହି ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ନିଜ ସମ୍ବୋଧନରେ ଆପତ୍ତି ଦର୍ଶାଇଥିଲେ । ହେଲେ ଏହାକୁ ଉପାଧ୍ୟକ୍ଷ ଗ୍ରହଣ କରିନଥିଲେ । ଏହି ତିନି ଆରଜେଡି ବିଧାୟକ ନୀତିଶଙ୍କ ସପକ୍ଷରେ ଭୋଟଦାନ କରିଥିବା ସୂଚନା ମିଳିଛି । ଆରଜେଡି ଏମାନଙ୍କ ଉପରେ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ ।