ହାଇଦ୍ରାବାଦ: ଅନୁସୂଚିତ ଜାତି ଓ ଜନଜାତି (ଏସସି/ଏସଟି) ସଂରକ୍ଷଣ ମାମଲାରେ ସର୍ବୋଚ୍ଚ କୋର୍ଟ ଦେଇଥିବା ରାୟକୁ ବିରୋଧ କରି ଆଜି ଦେଶବ୍ୟାପୀ 12 ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି । ‘ସଂରକ୍ଷଣ ବଞ୍ଚାଓ ସଂଘର୍ଷ ସମିତି’ ଏହି ଡାକରା ଦେଇଛି । ଏହାକୁ ଏକାଧିକ ପଛୁଆ ବର୍ଗର ସମାଜିକ ଓ ରାଜନୈତିକ ସଂଗଠନ ମଧ୍ୟ ସମର୍ଥନ ଘୋଷଣା କରିଛନ୍ତି । ଫଳରେ ସକାଳୁ ସକାଳୁ ଦେଶର ବିଭିନ୍ନ ସ୍ଥାନରେ ଏହାର ପ୍ରଭାବ ଦେଖିବାକୁ ମିଳିଲାଣି । ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । କୌଣସି ସ୍ଥାନରେ ହିଂସା ପରି ସ୍ଥିତି ସୃଷ୍ଟି ହେଲେ ପୋଲିସକୁ ତୁରନ୍ତ କାର୍ଯ୍ୟାନଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ମିଳିଛି ।
- କ’ଣ ଥିଲା ସର୍ବୋଚ୍ଚ କୋର୍ଟଙ୍କ ରାୟ:
ନିକଟରେ ସୁପ୍ରିମକୋର୍ଟ ଅନୁସୂଚିତ ଜାତି ଓ ଜନଜାତି ବର୍ଗ କ୍ଷେତ୍ରରେ ଉପ-ବର୍ଗୀକରଣ (ସବ-କ୍ୟାଟାଗୁରୀ) କରାଯିବା ଉଚିତ୍ ବୋଲି କହିଥିଲେ । ସଂରକ୍ଷଣ ଲାଭ ପାଉଥିବା ଏହି ବର୍ଗଗୁଡିକ ମଧ୍ୟରେ ସମସ୍ତେ ସମାନ ନୁହନ୍ତି । ସେମାନଙ୍କ ମଧ୍ୟରେ ଆର୍ଥିକ ଦୃଷ୍ଟିକୋଣରୁ ଭିନ୍ନତା ରହିଛି ବୋଲି କୋର୍ଟ କହିଥିଲେ । କିଛି ଜାତି ବା ବର୍ଗ ଅତି ପଛୁଆ ଶ୍ରେଣୀରେ ଅଛନ୍ତି ଓ ଅନ୍ୟ କିଛି ବର୍ଗର ଆର୍ଥିକ ସ୍ଥିତି ଭଲ ଅଛି । ‘କ୍ରିମି-ଲେୟାର’ ବା ଆର୍ଥିକ ସ୍ବଚ୍ଛଳ ବର୍ଗର ଉପ-ବର୍ଗୀକରଣ କରି ସେମାନଙ୍କୁ ସଂରକ୍ଷଣରୁ ବାଦ ଦିଆଯାଇ ପାରିବ ବୋଲି ସର୍ବୋଚ୍ଚ କୋର୍ଟ କହିଥିଲେ । ଏହାକୁ ନେଇ ଏବେ ବିବାଦ ସୃଷ୍ଟି ହୋଇଛି । ଉଭୟ ‘ଏସସି’ ଓ ‘ଏସଟି’ ସମାଜ ଏହାକୁ ବରୋଧ କରୁଛନ୍ତି । ସୁପ୍ରିମକୋର୍ଟଙ୍କ ଏପରି ରାୟ ସେମାନଙ୍କ ସଂରକ୍ଷଣ ସୁବିଧାକୁ ସଙ୍କୁଚିତ କରୁଛି ବୋଲି ସେମାନେ ଅଭିଯୋଗ କରିଛନ୍ତି ।
- ଏହି ତିନି ରାଜ୍ୟରେ ସର୍ବାଧିକ ପ୍ରଭାବ ସମ୍ଭାବନ :-
ରାଜସ୍ଥାନ, ଉତ୍ତର ପ୍ରଦେଶ କେରଳରେ ଏହାର ପ୍ରଭାବ ଅଧିକ ଅନୁଭୂତ ହେବା ନେଇ ପୂର୍ବାନୁମାନ କରାଯାଉଛି । କାରଣ ଏହି ରାଜ୍ୟମାନଙ୍କରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ସାମାଜିକ ଓ ରାଜନୈତିକ ପ୍ରଭାବ ରହିଛି । ତେଣୁ ସେହିସବୁ ରାଜ୍ୟରେ ଏନେଇ ସୁରକ୍ଷା ବ୍ୟବସ୍ଥାକୁ କଡା କଡି କରାଯାଇଛି ।