ପାଟନା: ବିହାର ରାଜନୀତିରେ ବାହୁବଳୀ ନେତାଙ୍କ ଇତିହାସ ପୁରୁଣା । ନିର୍ବାଚନ ଆସିଲେ ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି ବାହୁବଳୀ ବିଧାୟକ । ଅନେକ ବାହୁବଳୀ ନେତା ନିର୍ବାଚନ ଜିତିବା ପରେ ଲୋକସଭା ଏବଂ ବିଧାନସଭାକୁ ଯାଇଛନ୍ତି । ତେବେ କେଉଁ ବାହୁବଳୀ ବିଧାୟକ ନିଜେ ନିର୍ବାଚନ ଲଢୁଥିବା ବେଳେ ଆଉ କିଏ ପରିବାର ଲୋକଙ୍କୁ ଛିଡା କରାଇଛନ୍ତି । ଅନ୍ୟପଟେ ଆଉ ଜଣେ ବିଧାୟକ ନିର୍ବାଚନ ପାଇଁ 60 ବର୍ଷରେ ବିବାହ କରିଛନ୍ତି । ଅଜୟ ସିଂ, ମୋହଦ୍ ତସଲିମୁଦ୍ଦିନ, ସୟଦ ଶାହବୁଦ୍ଦିନ, ପପୁ ଯାଦବ, ଆନନ୍ଦ ମୋହନ, ସୁରଜଭାନ ସିଂ, ରାମ କିଶୋର ସିଂ, ମୁନ୍ନା ଶୁକ୍ଲା, ରିତଲାଲ ଯାଦବଙ୍କ ସମେତ ଅନେକ ନାମ ରହିଛି ଯେଉଁମାନେ ରାଜନୀତିରେ ନିଜର ପ୍ରଭାବ ପ୍ରଦର୍ଶନ କରିଥିଲେ । ତେବେ 2024 ଲୋକସଭା ନିର୍ବାଚନରେ ମଧ୍ୟ ବାହୁବଳୀ କିମ୍ବା ସେମାନଙ୍କ ପରିବାର ସଦସ୍ୟଭଙ୍କୁ ଦେଖିବାକୁ ମିଳିବ । ତେବେ ସମସ୍ତ ବାହୁବଳୀ ବ୍ୟକ୍ତି ଦଳରେ ନିଜର ଉପସ୍ଥିତି ଜାହିର କରିବା ପାଇଁ ବ୍ୟସ୍ତ ରହିଛନ୍ତି । କୌଣସି ପାର୍ଟିରୁ ଅଫର ନମିଳିଲେ ସ୍ବାଧୀନ ଭାବେ ନିର୍ବାଚନ ଲଢିବା ପାଇଁ ସ୍ଥିର କରିଛନ୍ତି ।
ବାହୁବଳୀ ସୟଦ ଶାହାବୁଦ୍ଦିନ:ବିହାର ରାଜନୀତିରେ ଯଦି କୌଣସି ଶକ୍ତିଶାଳୀ ବ୍ୟକ୍ତିଙ୍କର ସର୍ବାଧିକ ପ୍ରଭାବ ରହିଥାଏ ତାହେଲେ ସିଓ୍ବାନର ପୂର୍ବତନ ସାଂସଦ ସୟଦ ଶାହାବୁଦ୍ଦିନଙ୍କ ନାମ ପ୍ରଥମେ ଆସିଥାଏ । ଅପରାଧ ଜଗତରୁ ରାଜନୀତି ପର୍ଯ୍ୟନ୍ତ ଶାହାବୁଦ୍ଦିନ 1990 ବିଧାନସଭା ନିର୍ବାଚନରେ ସ୍ବାଧୀନ ଭାବେ ଲଢି ବାଜି ମାରିଥିଲେ । ଏହାପରେ 1995 ମସିହାରେ ଆରଜେଡିରୁ ନିର୍ବାଚନ ଲଢି ବାଜି ମାରିଥିଲେ ଏବଂ ଦ୍ବିତୀୟ ଥର ପାଇଁ ବିଧାୟକ ହୋଇଥିଲେ । ତେବେ 1996ରେ ପ୍ରଥମ ଥର ପାଇଁ ସାସଂଦ ହେବା ପରେ ଲଗାତାର 4 ଥର ବାଜି ମାରିଛନ୍ତି । ତେବେ ବର୍ତ୍ତମାନ ତାଙ୍କ ସ୍ତ୍ରୀ ହିନା ସାହବ ରାଜନୀତିରେ ପାଦ ଥାପିଛନ୍ତି । ତେବେ ସେ ଚଳିତ ଥର ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବା ପାଇଁ ନିଷ୍ପତ୍ତି ଦେଇଛନ୍ତି ।
ପୂର୍ଣ୍ଣିଆରୁ ପପୁ:ବିହାରର ଚର୍ଚ୍ଚିତ ଲୋକସଭା ଆସନ ପୂର୍ଣ୍ଣିଆ । ବିହାର ରାଜନୀତିରେ ଶକ୍ତିଶାଳୀ ରାଜନେତାଙ୍କ ମଧ୍ୟରେ ପପୁ ଯାଦବଙ୍କ ଭାବମୂର୍ତ୍ତି ରହିଛି । 36 ବର୍ଷର ରାଜନୈତିକ କ୍ୟାରିୟର ମଧ୍ୟରେ ପପୁ ଯାଦବ ଥରେ ବିଧାୟକ ଏବଂ ପାଞ୍ଚ ଥର ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ। ସେ 1991, 1996, 1999, 2004 ଏବଂ 2014 ରେ ଲୋକସଭାର ସଦସ୍ୟ ରହିଥିଲେ । ସେ ତାଙ୍କ ଦଳ ଜାପକୁ କଂଗ୍ରେସ ସହିତ ମିଶାଇଛନ୍ତି । ଏଥର ସେ କଂଗ୍ରେସରୁ ପୂର୍ଣ୍ଣିଆରୁ ଲଢିବା ନେଇ ଚର୍ଚ୍ଚା ହେଉଛି ।
ବାହୁବଳୀ ଅଜୟ ସିଂ:ଅଜୟ ସିଂ ସିୱାନର ବାହୁବଳୀ ମଧ୍ୟରେ ଲୋକପ୍ରିୟ । ତାଙ୍କ ପତ୍ନୀ କବିତା ସିଂ ବର୍ତ୍ତମାନ ସିୱାନର ସାଂସଦ ରହିଛନ୍ତି । ତେବେ ଚଳିତ ଥର ତାଙ୍କୁ ଟିକେଟ ମିଳିବ କି ନାହିଁ ସେ ନେଇ ଚର୍ଚ୍ଚା ଜୋର ଧରିଛି ।
ବହାବଳୀ ଆନନ୍ଦ ମୋହନ:ଯଦି ବିହାର ରାଜନୀତିରେ ବାହୁବଳୀ ନେତାଙ୍କ ବିଷୟରେ ଆଲୋଚନା କରାଯାଏ, ତେବେ ଆନନ୍ଦ ମୋହନଙ୍କ ନାମ ସର୍ବଦା ଶୀର୍ଷରେ ରହିଥାଏ । 1990ରେ ସେ ପ୍ରଥମ ଥର ପାଇଁ ବିଧାୟକ ହୋଇଥିଲେ । ସେ ଦବଙ୍ଗ ନେତା ଭାବେ ଜଣାଶୁଣା । 1994 ରେ ଆନନ୍ଦ ମୋହନଙ୍କ ପତ୍ନୀ ଲଭଲି ଆନନ୍ଦ ନିର୍ବାଚନରେ ବାଜି ମାରିଥିଲେ । ଆନନ୍ଦ ମୋହନ ନିଜେ 1996 ଏବଂ 1998 ରେ ଶିବହର ଲୋକସଭା କ୍ଷେତ୍ରରୁ ନିର୍ବାଚିତ ହୋଇଥିଲେ । ତେବେ ଚଳିତ ଥର ଲଭଲୀ ଜେଡିୟୁ ପକ୍ଷରୁ ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ହେଉଛି ।