ନ୍ୟୁୟର୍କ:2023 ଅକ୍ଟୋବର ମାସ 7 ତାରିଖରେ ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଥିଲା । ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧକୁ ଇତି ମଧ୍ୟରେ 5 ମାସ ବିତି ଯାଇଛି । ଇସ୍ରାଏଲ ଉପରେ ପ୍ରଥମେ ରକେଟ ମାଡ ପରେ ଇସ୍ରାଏଲ ଯୁଦ୍ଧ ଘୋଷଣା କରିଥିଲା । ଏହି ଆକ୍ରମଣରେ ଗାଜା ଷ୍ଟ୍ରିପରେ 23 ହଜାରରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ଏହାରି ଭିତରେ ଯୁଦ୍ଧ ବନ୍ଦ କରିବା ପାଇଁ ଅନେକ ଦେଶ ଚେଷ୍ଟା କରିବା ସହିତ ନୂତନ ପ୍ରସ୍ତାବ ଅଣାଯାଉଛି । ତଥାପି ପରିସ୍ଥିତିରେ ସୁଧାର ଆସୁନାହିଁ । ଏହି ସମୟରେ ଜାତିସଂଘର ଭାରତୀୟ ସ୍ଥାୟୀ ପ୍ରତିନିଧୀ ରୁଚିରା କମ୍ବୋଜ କହିଛନ୍ତି, ଭାରତ ଦୁଇ ରାଷ୍ଟ୍ରର ସମାଧାନର ସମର୍ଥନ କରିବା ପାଇଁ ପ୍ରତିବଦ୍ଧ ଅଟେ । ଇସ୍ରାଏଲର ସୁରକ୍ଷା ଆବଶ୍ୟକତାକୁ ଦୃଷ୍ଟିରେ ରଖି ପାଲେଷ୍ଟାଇନୀୟମାନେ ଏକ ସ୍ବତନ୍ତ୍ର ଦେଶରେ ମୁକ୍ତ ଭାବରେ ବଞ୍ଚିପାରିବେ ।
ଭାରତର ଆଭିମୁଖ୍ୟ ସ୍ପଷ୍ଟ: ସୋମବାର ମିଳିତ ଜାତିସଂଘ ସାଧାରଣ ସଭାରେ ସମ୍ବୋଧିତ କରି ଭାରତର ପ୍ରତିନିଧି ରୁଚିରା କମ୍ବୋଜ କହିଛନ୍ତି, ବିବାଦ ଉପରେ ଭାରତର ଆଭିମୁଖ୍ୟ ସ୍ପଷ୍ଟ ହୋଇଛି । ଅନେକ ଥର ଏହା ସ୍ପଷ୍ଟ ମଧ୍ୟ କରାଯାଇଛି ।
ପ୍ରତ୍ୟକ୍ଷ ଏବଂ ଗଠନ ମୂଳକ ଆଲୋଚନାଆବଶ୍ୟକ: ସେ ଆହୁରି ମଧ୍ୟ କହିଛନ୍ତି ଯେ, "ଉଭୟ ପକ୍ଷର ପ୍ରତ୍ୟକ୍ଷ ଏବଂ ଅର୍ଥପୂର୍ଣ୍ଣ ବାର୍ତ୍ତାଳାପ ଜରିଆରେ ହାସଲ ହୋଇଥିବା କେବଳ ଦୁଇ-ଦେଶର ସମାଧାନ ହିଁ ସ୍ଥାୟୀ ଶାନ୍ତି ଆଣିବ । ଦୁଇ ଦେଶ ମଧ୍ୟରେ ସମାଧାନକୁ ସମର୍ଥନ କରିବା ପାଇଁ ଭାରତ ପ୍ରତିବଦ୍ଧ । ପାଲେଷ୍ଟାଇନ ଲୋକମାନେ ଇସ୍ରାଏଲର ସୁରକ୍ଷା ଆବଶ୍ୟକତାକୁ ସମ୍ମାନ ଦେଇ ସୁରକ୍ଷିତ ସୀମା ମଧ୍ୟରେ ଏକ ସ୍ୱାଧୀନ ଦେଶରେ ମୁକ୍ତ ଭାବରେ ବସବାସ କରିପାରିବେ ।"