ନୂଆଦିଲ୍ଲୀ:ଅବକାରୀ ଘୋଟାଲା ମାମଲାରେ କେନ୍ଦ୍ରୀୟ ସଂସ୍ଥା ଦ୍ବାରା ଗିରଫ ହେବା ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇନାହାନ୍ତି କେଜ୍ରିଓ୍ବାଲ । ଜେଲ ଭିତରୁ ସେ ସରକାରୀ କାମ ମଧ୍ୟ ଜାରି ରଖିଛନ୍ତି । ତେବେ ସେ ଇସ୍ତଫା ଦେବାର କୌଣସି ଆବଶ୍ୟକତା ନାହିଁ । ସେହିିପରି ଏହି ସଂକ୍ରାନ୍ତରେ କୌଣସି ସାମ୍ବିଧାନିକ ନିୟମ ମଧ୍ୟ ନାହିଁ । ତେଣୁ ସେ ମୁଖ୍ୟମନ୍ତ୍ରୀ ଥିଲେ, ଆଗକୁ ମଧ୍ୟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିବେ ବୋଲି ଦଳର ଅନ୍ୟତମ ବରିଷ୍ଠ ନେତ୍ରୀ ତଥା କେଜ୍ରିଓ୍ବାଲଙ୍କ କ୍ୟାବିନେଟ ସହଯୋଗୀ ଅତିଶୀ କହିଛନ୍ତି ।
କେଜ୍ରିଓ୍ବାଲ ଏବେ 6 ଦିନିଆ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରିମାଣ୍ଡରେ ରହିଛନ୍ତି । 28 ତାରିଖରେ ତାଙ୍କୁ ପୁଣି ଥରେ କୋର୍ଟରେ ହାଜର କରାଯିବ । ତେବେ ସେ କେତେଦିନ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଦାୟିତ୍ବରେ ରହିବେ,ତାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି । ଆସନ୍ତା ଶୁଣାଣିରେ ଯଦି ତାଙ୍କ ବେଲ ଆବେଦନ ଖାରଜ ହୁଏ, ତେବେ ପୁଣିଥରେ ଦ୍ବିତୀୟ ପର୍ଯ୍ୟାୟ ଇଡି ରିମାଣ୍ଡରେ ଯାଇପାରନ୍ତି । ସେତେବେଳେ କେଜ୍ରିଓ୍ବାଲ ଇସ୍ତଫା ଦେଇପାରନ୍ତି । ଦଳ ତାଙ୍କ ସ୍ଥାନରେ ଆଉ ଜଣଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରିପାରେ ବୋଲି ଚର୍ଚ୍ଚା ହେଉଛି ।
ଆଜି ଏହି ସମ୍ପର୍କିତ ପ୍ରଶ୍ନରେ ଅତିଶୀ କହିଛନ୍ତି, ‘‘କେଜ୍ରିଓ୍ବାଲଙ୍କ ଇସ୍ତଫାର ପ୍ରଶ୍ନ ଉଠୁନି । ଏହା ସମ୍ବିଧାନରେ ମଧ୍ୟ ସ୍ପଷ୍ଟ ଭାବେ ଉଲ୍ଲେଖ ହୋଇଛି । କୌଣସି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଦୁଇବର୍ଷ ପର୍ଯ୍ୟନ୍ତ ଦଣ୍ଡାଦେଶ ନହେବା ପର୍ଯ୍ୟନ୍ତ ଇସ୍ତଫାର କୌଣସି ସାମ୍ବିଧାନିକ ନିୟମ ମଧ୍ୟ ନାହିଁ । ତେଣୁ କେଜ୍ରିଓ୍ବାଲ ମୁଖ୍ୟମନ୍ତ୍ରୀ ଥିଲେ, ଏବେ ରହିଛନ୍ତି ଓ ଆଗକୁ ମଧ୍ୟ ରହିବେ ।’’