ନୂଆଦିଲ୍ଲୀ:ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଇଡି ଦ୍ୱାରା ଗିରଫ ହେବା ପରେ ସୁପ୍ରିମକୋର୍ଟର ଦ୍ବାରସ୍ତ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଆପ୍ର ଲିଗାଲ ଟିମ୍ ଦିଲ୍ଲୀ ହାଇକୋର୍ଟଙ୍କ ଆଦେଶକୁ ସର୍ବୋଚ୍ଚ ଅଦାଲତରେ ଚ୍ୟାଲେଞ୍ଜ କରିଛି । ଏଥିସହ ଇଡି ଗିରଫଦାରୀ ମାମଲାର ଜରୁରୀ ଶୁଣାଣି ପାଇଁ ଆବେଦନ କରିଛି । ତେବେ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁଯାୟୀ, କେଜ୍ରିୱାଲଙ୍କ ଆବେଦନର ଶୁଣାଣି ପାଇଁ ଗୁରୁବାର ରାତିରେ କୌଣସି ସ୍ବତନ୍ତ୍ର ଖଣ୍ଡପୀଠ ଗଠନ ହୋଇନାହିଁ । ତଥାପି ସୁପ୍ରିମକୋର୍ଟ ଆଜି ଏହି ମାମଲାର ଶୁଣାଣି କରିପାରନ୍ତି ବୋଲି କୁହାଯାଉଛି ।
ଏହାକୁ ନେଇ ବରିଷ୍ଠ ଆପ୍ ନେତ୍ରୀ ତଥା ଦିଲ୍ଲୀ ମନ୍ତ୍ରୀ ଆତିଶୀ ଗଣମାଧ୍ୟମକୁ କହିଛନ୍ତି, ''ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡିର ବେଆଇନ ଗିରଫଦାରୀ ବିରୋଧରେ ଆମେ ସୁପ୍ରିମକୋର୍ଟରେ ଆବେଦନ ଦାୟର କରିଛୁ । ଶୁକ୍ରବାର(ଆଜି) ସକାଳେ ଏହା ସର୍ବୋଚ୍ଚ ଅଦାଲତରେ ଉଲ୍ଲେଖ କରାଯିବ । ଆମର ଆଶା, ସୁପ୍ରିମକୋର୍ଟ ଗଣତନ୍ତ୍ରର ସୁରକ୍ଷା କରିବେ ।'' ଆହୁରିମଧ୍ୟ ସେ କହିଛନ୍ତି ଯେ, ଗତ ୨ ବର୍ଷ ହେଲା ଅବକାରୀ ଦୁର୍ନୀତି ତଦନ୍ତରେ ସିବିଆଇ କିମ୍ବା ଇଡି ଟଙ୍କାଟିଏ ମଧ୍ୟ ପାଇନାହିଁ । ବିଜେପି ଭଲ ଭାବେ ଜାଣିଛି ଯେ, କେଜ୍ରିୱାଲ ହେଉଛି ସବୁଠୁ ଲୋକପ୍ରିୟ ନେତା, ଯିଏକି ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚ୍ୟାଲେଞ୍ଜ କରିବାର କ୍ଷମତା ରଖନ୍ତି । ସେଥିପାଇଁ ତାଙ୍କୁ ବେଆଇନ ଭାବେ ଗିରଫ କରାଯାଇଛି ।