ଶ୍ରୀନଗର:ଆଜି ଜମ୍ମୁ କାଶ୍ମୀର ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଶ୍ରୀନଗରରେ ପର୍ଯ୍ୟଟନ, କୃଷି, ନିଯୁକ୍ତି ଭିତ୍ତିଭୂମି ସମ୍ପର୍କିତ ଏକାଧିକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବା ପରେ ପ୍ରଧାନମନ୍ତ୍ରୀ ମୋଦି ଏକ ବିଶାଳ ଜନସଭାକୁ ମଧ୍ୟ ସମ୍ବୋଧିତ କରିଛନ୍ତି । କାଶ୍ମୀରର ପ୍ରାକୃତିକ ସୌନ୍ଦର୍ଯ୍ୟର ଅନୁଭୂତିକୁ ଅବର୍ଣ୍ଣନୀୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । କାଶ୍ମୀରବାସୀଙ୍କ ଶ୍ରଦ୍ଧା ଓ ସମ୍ମାନକୁ ସେ କେବେ ଭୁଲିପାରିବେନାହିଁ ବୋଲି କହିଛନ୍ତି । କାଶ୍ମୀରର କେବଳ ଏକ ଭୂଖଣ୍ଡ ନୁହେଁ ବରଂ ଭାରତର ମସ୍ତକ ବୋଲି କହିବା ସହ ସୁଉଚ୍ଚ ମସ୍ତକ ବିକାଶ ଓ ସମ୍ମାନର ପ୍ରତୀକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ଜାମ୍ମୁ କାଶ୍ମୀରର ଗ୍ରୀଷ୍ମ ରାଜଧାନୀ କୁହାଯାଉଥିବା ଶ୍ରୀନଗରର ବକ୍ସି ଷ୍ଟାଡିୟମରେ ବିଶାଳ ସାଧାରଣ ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, "କାଶ୍ମୀରରୁ ଧାରା 370 ଉଚ୍ଛେଦ ହେବା ପରେ ଘାଟି ଏବେ ଖୋଲା ପବନରେ ନିଶ୍ବାସ ମାରିବାକୁ ଅବସର ପାଇଛି । ଦଶନ୍ଧି ଧରି କଂଗ୍ରେସ ଏବଂ ଏହାର ସହଯୋଗୀମାନେ ଜମ୍ମୁ କଶ୍ମୀର ଏବଂ ସମଗ୍ର ଦେଶବାସୀଙ୍କୁ 370 ଧାରା ସମ୍ପର୍କରେ ବିଭ୍ରାନ୍ତ କରିଆସିଛନ୍ତି । ଧାରା-370 ଜାମ୍ମୁ କାଶ୍ମୀରର ଲୋକଙ୍କୁ ନୁହେଁ ବରଂ ଘାଟିର ନିର୍ଦ୍ଦିଷ୍ଟ ପରିବାରର ଲୋକଙ୍କୁ ଉପକୃତ କରୁଥିଲା । ଲୋକମାନେ ବୁଝି ସାରିଛନ୍ତି ଯେ ସେମାନେ ଅନ୍ୟ ଦଳଙ୍କ ଦ୍ବାରା ଭ୍ରମିତ ହୋଇଛନ୍ତି । ଏବେ ଘାଟିରେ 370 ନାହିଁ । ତେଣୁ ଜାମ୍ମୁ କାଶ୍ମୀରର ଯୁବପୀଢିଙ୍କ ଆକାଂକ୍ଷା ପୂରଣ ହେଉଛି ଏବଂ ସେମାନେ ଦେଶର ଅନ୍ୟ ଭାଗ ପରି ନୂତନ ସୁଯୋଗ ପାଇଛନ୍ତି । ଏବେ କାଶ୍ମୀରରେ ସମସ୍ତଙ୍କ ପାଇଁ ସମାନ ଅଧିକାର ଏବଂ ସୁଯୋଗ ରହିଛି ।"
ପ୍ରଧାନମନ୍ତ୍ରୀ କହିଛନ୍ତି, ପୁରା ବିଶ୍ବରେ କାଶ୍ମୀର ପର୍ଯ୍ୟାଟନର ଭିନ୍ନ ଏକ ପରିଚୟ ରହିଛି । ଏହାକୁ କେନ୍ଦ୍ର ସରକାର ଆହୁରି ପ୍ରଭାବୀ ସ୍ତରକୁ ନେବାପାଇଁ ପ୍ରୟାସ ଜାରି ରଖିଛନ୍ତି । ପର୍ଯ୍ୟଟନର ବିକାଶ ହେଲେ ସ୍ଥାନୀୟ ଲୋକଙ୍କୁ ରୋଜଗାର ମିଳିବ । ‘ସ୍ବଦେଶ ଦର୍ଶନ’ ପରିଯୋଜନାର ଆରମ୍ଭ ହୋଇଛି । ଦେଶର ଅନ୍ୟ ପର୍ଯ୍ୟଟନ ସ୍ଥାନ ପାଇଁ 30 ପରିଯୋଜନାର ଶୁଭାରମ୍ଭ କରାଯାଇଛି । ‘ପ୍ରସାଦ ପରିଯୋଜନା’ରେ ଅଧିନରେ 3 ଯୋଜନାର ଶୁଭାରମ୍ଭ ହୋଇଛି ।