ଓଡିଶା

odisha

ETV Bharat / bharat

ଜମ୍ମୁ-କାଶ୍ମୀରରେ ବଡ ଧରଣର ଆତଙ୍କୀ ହାମଲା; ସେନା ଅଧିକାରୀଙ୍କ ସମେତ 4 ଯବାନ ଶହୀଦ - Soldiers Killed In Encounter - SOLDIERS KILLED IN ENCOUNTER

Doda Encounter: ଜମ୍ମୁ-କାଶ୍ମୀର ଡୋଡାରେ ଏନକାଉଣ୍ଟର । ଆତଙ୍କବାଦୀଙ୍କ ଆକ୍ରମଣରେ ଜଣେ ସେନା ଅଧିକାରୀଙ୍କ ସମେତ 4 ଯବାନ ଶହୀଦ । ପଢନ୍ତୁ ପୁରା ଖବର

ଜମ୍ମୁ-କାଶ୍ମୀରରେ ଏନକାଉଣ୍ଟର; ଆତଙ୍କବାଦୀଙ୍କ ଆକ୍ରମଣରେ ୪ ଯବାନ ଶହୀଦ
ଜମ୍ମୁ-କାଶ୍ମୀରରେ ଏନକାଉଣ୍ଟର; ଆତଙ୍କବାଦୀଙ୍କ ଆକ୍ରମଣରେ ୪ ଯବାନ ଶହୀଦ (ETV Bharat Odisha)

By ETV Bharat Odisha Team

Published : Jul 16, 2024, 7:41 AM IST

Updated : Jul 16, 2024, 12:00 PM IST

ଶ୍ରୀନଗର: ଜମ୍ମୁ-କାଶ୍ମୀରରୁ ପୁଣି ଆସିଲା ଦୁଃଖଦ ଖବର । ଆତଙ୍କବାଦୀଙ୍କ ଆକ୍ରମଣରେ ଶହୀଦ ହୋଇଯାଇଛନ୍ତି ୪ ଭାରତୀୟ ଯବାନ । ଗତକାଲି (ସୋମବାର) ସନ୍ଧ୍ୟାରେ ଡୋଡା ଜିଲ୍ଲାର ଡେସା ଜଙ୍ଗଲରେ ଆତଙ୍କବାଦୀ ଓ ସୁରକ୍ଷାବାହିନୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ଜଣେ ସେନା ଅଧିକାରୀଙ୍କ ସମେତ 4 ଜଣ ଯବାନଙ୍କ ଦେହରେ ଗୁଳି ବାଜିବାରୁ ଗୁରୁତର ଆହତ ହୋଇପଡିଥିଲେ । ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ 4 ଜଣ ଯବାନଙ୍କ ମୃତ୍ୟୁ ହୋଇଯାଇଛି ।

ସୂଚନା ମୁତାବକ, ଡେସା ଜଙ୍ଗଲ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚିଥିବାର ଖବର ପାଇ ଗତକାଲି ସନ୍ଧ୍ୟାରେ ସେନା ଏବଂ ଜମ୍ମୁ-କାଶ୍ମୀର ପୋଲିସର ସ୍ପେଶାଲ ଅପେରସନ ଗ୍ରୁପର ଯବାନ ମିଳିତ ସର୍ଚ୍ଚ ଅପରେସନ ଚଳାଇଥିଲେ । ରାତି ପାଖାପାଖି ୭ଟା ୪୫ ବେଳକୁ ଆତଙ୍କବାଦୀଙ୍କ ସହ ସୁରକ୍ଷାବଳର ଏନକାଉଣ୍ଟର ଆରମ୍ଭ ହୋଇଥିଲା । ପ୍ରାୟ ୨୦ ମିନିଟ୍ ଧରି ଏନକାଉଣ୍ଟର ଚାଲିଥିଲା । ଏଥିରେ ଜଣେ ସେନା ଅଧିକାରୀଙ୍କ ସମେତ ୫ ଜଣ ଯବାନ ଗୁରୁତର ହୋଇପଡିଥିଲେ ।

ଏହା ମଧ୍ୟ ପଢନ୍ତୁ: ଜମ୍ମୁ-କାଶ୍ମୀରରେ ଏନକାଉଣ୍ଟର; ଜଣେ ଯବାନ ଶହୀଦ, 4 ଆତଙ୍କୀ ନିପାତ - Jammu Kashmir Encounter

୫ ଜଣଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲକୁ ନିଆଯାଇଥିବାବେଳେ ସମସ୍ତଙ୍କର ଅବସ୍ଥା ଗୁରୁତର ରହିଥିଲା । ହସ୍ପିଟାଲରେ ସେନା ଅଧିକାରୀ ସମେତ ୪ ଜଣ ଯବାନଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି । ଆଉ ଜଣେ ଯବାନଙ୍କ ଅବସ୍ଥା ମଧ୍ୟ ଏବେ ବି ସଙ୍କଟାପନ୍ନ ରହିଥିବା ସୂଚନା ମିଳିଛି । ଏହି ଘଟଣା ପରେ ଡୋଡାରେ ସୁରକ୍ଷା କଡାକଡି କରାଯାଇଥିବା ବେଳେ ଡେସା ଅଞ୍ଚଳକୁ କର୍ଡନ କରାଯାଇ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି । ତେବେ ଆତଙ୍କବାଦୀ ସଂଗଠନ କାଶ୍ମୀର ଟାଇଗର୍ସ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି । ପାକିସ୍ତାନୀ ଆତଙ୍କୀ ସଂଗଠନ ଜୈସ-ଇ-ମହମ୍ମଦ ସହ ଏହି ସଂଗଠନର ସମ୍ପର୍କ ରହିଛି ।

ଘାଟିରେ ପୁଣି ବଢିଲାଣି ଆତଙ୍କୀ ଉପଦ୍ରବ:

ଗତ କିଛି ଦିନ ହେବ ଜମ୍ମୁ-କାଶ୍ମୀରରେ ପୁଣିଥରେ ଆତଙ୍କବାଦୀ ଆକ୍ରମଣ ବଢିଯାଇଛି । କେତେବେଳେ ଆତଙ୍କୀ ସାଧାରଣ ଜନତାଙ୍କୁ ଟାର୍ଗେଟ କରୁଛନ୍ତି ତ ଆଉ କେତେବେଳେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିବର୍ଷା କରୁଛନ୍ତି । ଜୁଲାଇ 8ରେ କାଠୁଆ ଜିଲ୍ଲାରେ ସେନା ଗାଡି ଉପରକୁ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ଏଥିରେ 5 ଜଣ ଯବାନ ଶହୀଦ ହୋଇଯାଇଥିଲେ ଓ 5 ଜଣ ଆହତ ହୋଇଥିଲେ । ଏହାପୂର୍ବରୁ ଡୋଡା ଜିଲ୍ଲାରେ ଜୁନ 11 ଓ 12 ତାରିଖରେ ଆତଙ୍କୀ ହାମଲା ହୋଇଥିଲା । ଜୁନ 11ରେ ଛରଗାଲାର ଚେକପୋଷ୍ଟରେ ଆତଙ୍କବାଦୀଙ୍କ ଆକ୍ରମଣରେ 6 ଜଣ ସୁରକ୍ଷାକର୍ମୀ ଆହତ ହୋଇଥିଲେ । ଜୁନ 12ରେ କୋଠା ଟପ୍‌ଠାରେ ହୋଇଥିବା ଏନକାଉଣ୍ଟରରେ ଜଣେ ପୋଲିସ ଆହତ ହୋଇଥିଲେ । ସେହିପରି ଜୁନ 9ରେ ରିଆସି ଜିଲ୍ଲାରେ ଏକ ତୀର୍ଥଯାତ୍ରୀ ବସ୍ ଉପରକୁ ଆତଙ୍କବାଦୀମାନେ ଅନ୍ଧାଧୂନ ଗୁଳିମାଡ କରିଥିଲେ । ଏହି ଘଟଣାରେ ବସରେ ଥିବା ଜଣେ ଶିଶୁ ସହିତ 10 ଜଣଙ୍କର ମୃତ୍ୟୁ ହୋଇଥିଲା ଓ 30 ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 16, 2024, 12:00 PM IST

ABOUT THE AUTHOR

...view details