ହାଇଦ୍ରାବାଦ: ମୁକେଶ ଏବଂ ନୀତା ଅମ୍ବାନିଙ୍କ ସାନପୁଅ ଅନନ୍ତ ଅମ୍ୱାନିଙ୍କ ବିବାହ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଚଳିତ ବର୍ଷ ଜୁଲାଇ ମାସ ୧୨ ତାରିଖରେ ରାଧିକା ମର୍ଚ୍ଚାଣ୍ଟଙ୍କୁ ସାତ ଜନ୍ମର ସାଥୀ କରିବେ ଅନନ୍ତ । ତେବେ ବିବାହ ପୂର୍ବରୁ ଉଭୟଙ୍କ ପ୍ରି-ୱେଡିଂ ସମାରୋହ ଗୁଜୁରାଟର ଜାମନଗରରେ ଆୟୋଜନ ହେବ । ମାର୍ଚ୍ଚ ୧ରୁ ୩ ଯାଏଁ ୩ ଦିନ ଧରି ସେଠାରେ ଗ୍ରାଣ୍ଡ ସମାରୋହରେ ଉଭୟଙ୍କ ପ୍ରି-ୱେଡିଂ ସେଲିବ୍ରେସନ କରାଯିବ । ଏହି ସମାରୋହରେ ଭାରତ ଏବଂ ବିଦେଶରୁ ପ୍ରାୟ ୧୦୦୦ ଲୋକ ଅଂଶଗ୍ରହଣ କରିବେ । ଅନ୍ତର୍ଜାତୀୟ ନେତା ତଥା ସେଲିବ୍ରିଟିମାନେ ଏହି ଉତ୍ସବରେ ସାମିଲ ହେବେ । କେବଳ ଏତିକି ନୁହେଁ ଏହି ଗ୍ରାଣ୍ଡ ଇଭେଣ୍ଟର ଖାଦ୍ୟ ମେନୁ ମଧ୍ୟ ସ୍ୱତନ୍ତ୍ର ହେବାକୁ ଯାଉଛି । ଅତିଥିଙ୍କୁ ୨୫୦୦ ପ୍ରକାର ଖାଦ୍ୟ ପରସା ଯିବ ବୋଲି ଜଣାପଡିଛି ।
ଜାମନଗରରେ ପହଞ୍ଚିଲେ ହଲିଉଡ ଗାୟିକା
ଏଥିସହ ଏହି ଗ୍ରାଣ୍ଡ ୱେଡିଂ ସମାରୋହରେ ଦେଶ ତଥା ବିଦେଶରୁ ଅନେକ ଉଦ୍ୟୋଗପତି, ଫିଲ୍ମଷ୍ଟାର, କ୍ରିକେଟର, ସେଲିବ୍ରିଟିଙ୍କ ସମେତ ଅନ୍ୟ ମାନ୍ୟଗନ୍ୟ ବ୍ୟକ୍ତି ଯୋଗ ଦେବାର ସୂଚନା ରହିଛି । ଏହାରି ମଧ୍ୟରେ ବଲିଉଡ ଟାରୁ ଆରମ୍ଭ କରି ହଲିଉଡର ଅନେକ କଣ୍ଠଶିଳ୍ପୀ ମଧ୍ୟ ଏଥିରେ ସାମିଲ ହୋଇ ପ୍ରଦର୍ଶନ କରିବେ ବୋଲି ଜଣାପଡିଛି । ଏହି ସମାରୋହରେ ସାମିଲ ହେବାକୁ ଭାରତକୁ ଛୁଟିଲେଣି ଲୋକେ । ଏହି ଅବସରରେ ଗ୍ଲୋବାଲ ଷ୍ଟାର ଗାୟିକା ରିହାନାଙ୍କ ଟିମ ଆଜି ଜାମନଗରରେ ପହଞ୍ଚିଛନ୍ତି । ଯାହାଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ପ୍ରି-ୱେଡିଂରେ ଏଠାକାର ରୋଷେୟା କରିବେ ଖାଦ୍ୟ ପ୍ରସ୍ତୁତି
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଅନନ୍ତ ଏବଂ ରାଧିକାଙ୍କ ପ୍ରି-ୱେଡିଂକୁ ସ୍ୱତନ୍ତ୍ର କରିବା ପାଇଁ ଅମ୍ବାନି ପରିବାର ଇନ୍ଦୋରରୁ ୬୫ ଜଣ ରୋଷେୟାଙ୍କୁ ଡାକିଛନ୍ତି । ଏହି ଇନ୍ଦୋରୀ ରୋଷେୟାମାନେ ଗୁଜୁରାଟର ଜାମନଗରରେ ଇନ୍ଦୋରୀ ଖାଦ୍ୟର ସ୍ୱାଦ ପରିବେଷଣ କରିବେ । ଖବର ଅନୁଯାୟୀ, ସମସ୍ତ ରୋଷେୟା ଇନ୍ଦୋରର ଜାର୍ଡିଆନ୍ସ ହୋଟେଲରୁ ଆସିଛନ୍ତି, ଯେଉଁମାନେ ପ୍ରି-ୱେଡିଂ ପାଇଁ ଇନ୍ଦୋରୀ ଖାଦ୍ୟ ପ୍ରସ୍ତୁତ କରିବାକୁ ସ୍ୱତନ୍ତ୍ର ଭାବେ ଡକାଯାଇଛି ।