ବେଙ୍ଗାଲୁରୁ: ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଏୟାର ଇଣ୍ଡିଆ ବିମାନ ।ମଝି ଆକାଶରେ ଏୟାର ଇଣ୍ଡିଆର ଏକ ବିମାନ ଇଞ୍ଜିନରେ ନିଆଁ ଲାଗିଯିବାରୁ ବିମାନଟି ବେଙ୍ଗାଲୁରୁରେ ଜରୁରୀ ଅବତରଣ କରିଛି । ଗତକାଲି (ଶନିବାର) ପ୍ରାୟ ମଧ୍ୟରାତ୍ରିରେ ବେଙ୍ଗାଲୁରୁର କେମ୍ପାଗୌଡା ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଏହି ଏମରଜେନ୍ସି ଲ୍ୟାଣ୍ଡିଂ ହୋଇଛି । ବିମାନଟି ବେଙ୍ଗାଲୁରୁର କୋଚି ଅଭିମୁଖେ ଉଡାଣ ଭରିଥିଲା । ତେବେ ଟେକ-ଅଫର କିଛି ମିନିଟ ମଧ୍ୟରେ ଏହାର ଗୋଟିଏ ଇଞ୍ଜିନରେ ନିଆଁ ଲାଗିଯାଇଥିବା ଦେଖାଯାଇଥିଲା । ବିମାନଟି ଏୟାର ଟ୍ରାଫିକ ନିୟନ୍ତ୍ରଣ (ଏଟିସି) ସହ ଯୋଗାଯୋଗ କରିବା ସହ ପୁନର୍ବାର ଲ୍ୟାଣ୍ଡିଂ ପାଇଁ ଅନୁମତି ମାଗିଥିଲା । ସୁରକ୍ଷିତ ଭାବେ ବିମାନ ଅବତରଣ କରିଥିବା ସହ କେହି ଯାତ୍ରୀ କିମ୍ବା କ୍ର୍ୟୁ ସଦସ୍ୟ ଆହତ ହୋଇନଥିବା ବିମାନ ବନ୍ଦର କର୍ତ୍ତପକ୍ଷ ସ୍ପଷ୍ଟ କରିଛନ୍ତି ।
‘ଏୟାର ଇଣ୍ଡିଆ ଏକ୍ସପ୍ରେସ’ ଏୟାରଲାଇନ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ବିମାନଟି (ସଂଖ୍ୟା-IX 1132) 6 କ୍ର୍ୟୁ ସଦସ୍ୟ ଓ 179 ଯାତ୍ରୀଙ୍କ ସହ ବେଙ୍ଗାଲୁରୁରୁ କେରଳର କୋଚି ଅଭିମୁଖେ ଉଡାଣ ଭରିଥିଲା । ଟେକ-ଅଫ କରିବାର କିଛି ମିନିଟ ମଧ୍ୟରେ ଏହାର ଗୋଟିଏ ଇଞ୍ଜିନରୁ ନିଆଁ ବାହାରୁଥିବା ଦେଖିବାକୁ ମିଳିଥିଲା । ଘଟଣା ସମ୍ପର୍କରେ ଜଣାପଡିବା ପରେ ତୁରନ୍ତ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରାଯାଇଥିଲା । ଏମରଜେନ୍ସି ଲ୍ୟାଣ୍ଡିଂ ଅନୁମତି ମିଳିବା ପରେ ରାତି ପ୍ରାୟ 11.32 ମିନିଟରେ ବିମାନଟି ସଫଳତାର ସହ ଲ୍ୟାଣ୍ଡିଂ କରିଛି । ସମସ୍ତଙ୍କୁ ସୁରକ୍ଷିତ ବିମାନରୁ ବାହାର କରାଯାଇ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି । ଘଟଣାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛି ଏୟାର ଲାଇନ୍ସ । ବୈଷୟିକ ଟିମ୍ ବିମାନକୁ ଯାଞ୍ଚ କରୁଛନ୍ତି ।