ବାଲେଶ୍ବର: ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ ଘାଟିରୁ ଅଗ୍ନି ପ୍ରାଇମ୍ ନିୟୁ ଜେନେରେସନ ବାଲାଷ୍ଟିକ୍ ମିସାଇଲର ସଫଳ ପରୀକ୍ଷଣ ହୋଇଛି । ଭାରତର ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡ ଏବଂ DRDO ମିଳିତ ଭାବେ ଓଡ଼ିଶା ବାଲେଶ୍ବର ସ୍ଥିତ ଏପିଜେ ଅବଦୁଲ କଲାମ ଦ୍ୱୀପରେ ଅଗ୍ନି-ପ୍ରାଇମ୍ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପରୀକ୍ଷା କରିଛନ୍ତି । ଏହି ପରୀକ୍ଷଣ ଗତକାଲି ଅର୍ଥାତ ଏପ୍ରିଲ 3 ତାରିଖରେ କରାଯାଇଥିଲା । ବୁଧବାର ସନ୍ଧ୍ୟା 7ଟାରେ ଏହି ପରୀକ୍ଷଣ କରାଯାଇଛି । ତେବେ ପରୀକ୍ଷଣ ମଧ୍ୟ ସଫଳ ହୋଇଥିବା କୁହାଯାଉଛି । ଏହା ପୂର୍ବରୁ ଜୁନ 8 ତାରିଖରେ ଏହାର ପରୀକ୍ଷଣ କରାଯାଇଥିଲା । ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମାଣ ହୋଇଛି ଏହି ମିଶାଇଲ । ଏହି କ୍ଷେପଣାସ୍ତ୍ର ଉଚ୍ଚ-ତୀବ୍ର ବିସ୍ଫୋରକ, ଥର୍ମୋବାରିକ୍ କିମ୍ବା ଆଣବିକ ୱାରହେଡ୍ ବହନ କରିବାର ସକ୍ଷମ ।
ଶୁଭେଚ୍ଛା ଜଣାଇଲେ ପ୍ରତିରକ୍ଷା ମନ୍ତ୍ରୀ:ଏନେଇ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି, ପରୀକ୍ଷଣ ସମୟରେ ଅଗ୍ନି ପ୍ରାଇମ କ୍ଷେପଣାସ୍ତ୍ର ଏହାର ସମସ୍ତ ପାରାମିଟର ଏବଂ ଉଦ୍ଦେଶ୍ୟ ପୂରଣ କରିଥିଲା । ପରୀକ୍ଷଣ ସମୟରେ ବିଭିନ୍ନ ସେନ୍ସର ସ୍ଥାପନ କରାଯାଇଥିଲା । ଏଥିରେ ମିଶାଇଲ ପରୀକ୍ଷଣ ସମ୍ବନ୍ଧୀୟ ସମସ୍ତ ଡାଟା ସଂଗ୍ରହ କରାଯାଇଥିଲା। ମିସାଇଲ୍ ପରୀକ୍ଷଣ ସମୟରେ ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡର ମୁଖ୍ୟ ସିଡିଏସ୍ ଜେନେରାଲ୍ ଅନିଲ ଚୌହାନଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ । ଅଗ୍ନି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡକୁ ଶୁଭେଚ୍ଛା ଜଣାଇଛନ୍ତି । ଏନେଇ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, "ଏହି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ପ୍ରତିରକ୍ଷା ବାହିନୀକୁ ଆହୁରି ମଜଭୁତ କରିବ । ଅଗ୍ନି ପ୍ରାଇମ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ପାଇଁ ସିଡିଏସ ଜେନେରାଲ ଅନିଲ ଚୌହାନ ଏବଂ DRDO ଚେୟାରମ୍ୟାନ୍ ସମୀର ଭି କାମତ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି ।