ଓଡିଶା

odisha

By ETV Bharat Odisha Team

Published : Mar 24, 2024, 10:56 AM IST

ETV Bharat / bharat

ସାମାନ୍ୟ ଝଗଡାରୁ ଜଘନ୍ୟ କାଣ୍ଡ, ୫ ଜଣଙ୍କ ଉପରେ ଡମ୍ଫର ଚଢାଇ ମାରିଦେଲେ - Rajasthan Murder

5 Killed Over Mutual dispute: ସାମାନ୍ୟ ଝଗଡାରୁ ନାରକୀୟ କାଣ୍ଡ । ପାଟିତୁଣ୍ଡ ହେବାରୁ ୫ ଜଣଙ୍କୁ ଡମ୍ଫର ଚଢାଇ ମାରିଦେଲା ଅଭିଯୁକ୍ତ । ଅଧିକ ପଢନ୍ତୁ

Etv Bharat
Etv Bharat

ରାଜସ୍ଥାନ(ଜୟପୁର):ରାଜସ୍ଥାନରେ ଚାଞ୍ଚଲ୍ୟକର ଘଟଣା । ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦକୁ କେନ୍ଦ୍ରକରି ୫ ଜଣଙ୍କୁ ଡମ୍ଫର ଚଢାଇ ହତ୍ୟା । ଗଣ୍ଡଗୋଳ ପରେ ସେହି ୫ ଜଣ ଯାକ ଥାନାରେ ଅଭିଯୋଗ କରିବାକୁ ବାଇକରେ ଯାଉଥିଲେ । ବାଟରେ ଅପର ଗୋଷ୍ଠୀର କିଛି ଲୋକେ ସେମାନଙ୍କ ଉପରେ ଡମ୍ଫର ମଡାଇ ଦେଇଥିଲେ । ଏଥିରେ ଘଟଣାସ୍ଥଳରେ ହିଁ ସମସ୍ତଙ୍କର ମୃତ୍ୟୁ ଘଟିଛି । ଗତକାଲି (ଶନିବାର) ବିଳମ୍ବିତ ରାତିରେ ଝାଲାବାଡ ଜିଲ୍ଲା ପଗାରିୟା ଥାନା ଅଞ୍ଚଳରେ ଏଭଳି ବୀଭତ୍ସ କାଣ୍ଡ ଘଟିଛି, ଯାହାକି ଚାରିଆଡେ ଆଲୋଡନ ସୃଷ୍ଟି କରିଛି ।

ପୋଲିସ ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ପଗାରିୟା ଥାନା ଅନ୍ତର୍ଗତ ବିନାୟଗା ଗାଁରେ କୌଣସି ଘଟଣାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରବଳ ଗଣ୍ଡଗୋଳ ହୋଇଥିଲା । ଏହି ଝଗଡା କ୍ରମଶଃ ଉଗ୍ର ରୂପ ନେଇଥିଲା । ଏହାପରେ ବିଳମ୍ବିତ ରାତିରେ ଗୋଟିଏ ଗୋଷ୍ଠୀର ୫ ଜଣ ବ୍ୟକ୍ତି ଥାନାରେ ଅଭିଯୋଗ କରିବାକୁ ଦୁଇଟି ବାଇକରେ ଯାଉଥିଲେ । ଏହି ସମୟରେ ଅପରଗୋଷ୍ଠୀର କିଛି ଲୋକେ ଡମ୍ଫରରେ ସେମାନଙ୍କ ପିଛା କରିଥିଲେ ଏବଂ ଅଧାବାଟରେ ସମସ୍ତଙ୍କ ଉପରେ ଡମ୍ଫର ଚଢାଇ ବୀଭତ୍ସ ଭାବେ ହତ୍ୟା କରିଥିଲେ । ଏହି ହତ୍ୟାକାଣ୍ଡ ଘଟାଇବା ପରେ ଅଭିଯୁକ୍ତମାନେ ଫେରାର୍ ହୋଇଯାଇଥିଲେ । ଖବର ପାଇ ପୋଲିସ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚିଥିଲା । ତେବେ କ'ଣ ପାଇଁ ଦୁଇ ଗୋଷ୍ଠୀ ଭିତରେ ଝଗଡା ହୋଇଥିଲା ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

ଏହା ମଧ୍ୟ ପଢନ୍ତୁ: ମୋବାଇଲ ପାଇଁ ଯୁବକଙ୍କୁ ହତ୍ୟା, ମାଟି ତଳୁ ଉଦ୍ଧାର ହେଲା ମୃତଦେହ

ମୃତକମାନଙ୍କ ମଧ୍ୟରେ ଦୁଇ ଭାଇ ଥିବା ଜଣାପଡିଛି । ଏହି ଘଟଣା ନେଇ ସମଗ୍ର ଗାଁରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି । ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଏବେ ଗାଁରେ ବହୁସଂଖ୍ୟାରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଅନ୍ୟପଟେ ଏହି ଜଘନ୍ୟ ହତ୍ୟାକାଣ୍ଡ ପରେ ଅଭିଯୁକ୍ତମାନେ କୁଆଡେ ଫେରାର୍ ହୋଇଯାଇଛନ୍ତି । ରାଜସ୍ଥାନ ସୀମାକୁ ଲାଗି ଥିବା ମଧ୍ୟପ୍ରଦେଶକୁ ପଳାୟନ କରିଥିବା ଅନୁମାନ କରାଯାଉଥିବାରୁ ସେମାନଙ୍କୁ ଖୋଜିବାକୁ ରାଜ୍ୟ ବାହାରକୁ ପୋଲିସ ଟିମ୍ ପଠାଯାଇଛି ।

ଏନେଇ ଭବାନୀମଣ୍ଡି ଡିଏସପି ପ୍ରେମ ଚୌଧୁରୀ କହିଛନ୍ତି, ମୃତକମାନଙ୍କ ମୃତଦେହ ଉଦ୍ଧାର କରାଯାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପଠାଯାଇଛି । ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ । ଏହି ଜଘନ୍ୟ କାଣ୍ଡ ଘଟାଇଥିବା ଅଭିଯୁକ୍ତମାନଙ୍କୁ ଧରିବାକୁ ପୋଲିସ ଟିମ୍ ଚାରିଆଡେ ତନାଘନା ଜାରି ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details