ଚଣ୍ଡିଗଡ:ପଞ୍ଜାବରୁ ଆସିଛି ଏକ ଆଶ୍ଚର୍ଯ୍ୟଜନକ ଖବର । ବିଭାଗ ହିଁ ନଥିଲା କିନ୍ତୁ ଥିଲେ ମନ୍ତ୍ରୀ । ଦିନେ କି ବର୍ଷେ ନୁହେଁ, ଦୀର୍ଘ 20 ମାସ କାଳ ରହିଲେ ବିଭାଗ ଦାୟିତ୍ୱରେ । ଶେଷରେ ହେଲା ଖୁଲାସା । ବିନା ବିଭାଗରେ 20 ମାସ କାଳ ମନ୍ତ୍ରୀ ଥିଲେ ପଞ୍ଜାବ ଆପ ସରକାରରେ କୂଲଦୀପ ସିଂ ଧଲିଓ୍ବାଲ୍ । ପ୍ରଶାସନିକ ସଂସ୍କାର ନାମକ ଏକ ବିଭାଗ ନଥିବା ବେଳେ ଦୀର୍ଘ 20 ମାସ ଧରି ଏହାର ଦାୟିତ୍ୱରେ ଥିଲେ କୂଲଦୀପ ସିଂ ଧଲିଓ୍ବାଲ୍ । ଘଟଣାର ଖୁଲାସା ବର୍ତ୍ତମାନ ହୋଇଛି । ଗତକାଲି ଏକ ସରକାରୀ ବିଜ୍ଞପ୍ତି ପ୍ରକାଶ କରି ପଞ୍ଜାବ ସରକାର ଏହି ବିଭାଗ ନଥିବା ସ୍ପଷ୍ଟ କରିଛନ୍ତି । ଆଉ ଏହା ପରେ ଧଲିଓ୍ବାଲ୍ ଙ୍କ ପାଖରେ କେବଳ ଏନଆରଆଇ ବ୍ୟାପାର ପୋର୍ଟଫୋଲିଓ (NRI Affairs portfolio) ରହିବେ ।
ପ୍ରାରମ୍ଭରୁ ଧଲିଓ୍ବାଲଙ୍କ ଅଧିନରେ ଥିଲା କୃଷି ଏବଂ କୃଷକ କଲ୍ୟାଣ ବିଭାଗ । ପରେ 2023 ମେ ମାସରେ ଭଗବନ୍ତ ମାନ ସରକାରରେ ହୋଇଥିଲା କ୍ୟାବିନେଟ ଅଦଳବଦଳ । ଏହି କ୍ୟାବେନଟ ଅଦଳ ବଦଳରେ ତାଙ୍କ ଠାରୁ କୃଷି ଏବଂ କୃଷକ କଲ୍ୟାଣ ବିଭାଗ ନେଇ ଏନଆରଆଇ ବ୍ୟାପାର ପୋର୍ଟଫୋଲିଓ ଦେଇଥିଲେ ମୁଖ୍ୟମନ୍ତ୍ରୀ ମାନ । ଏହା ପରେ ତାଙ୍କୁ ପ୍ରଶାସନିକ ସଂସ୍କାର ନାମକ ଏକ ଅତିରିକ୍ତ ବିଭାଗର ଦାୟିତ୍ୱ ଦିଆଯାଇଥିଲା । ତେବେ ପରବର୍ତ୍ତୀ ସମୟରେ ଏହି ବିଭାଗ ହିଁ ନଥିବା ଜଣାପଡିଥିଲା ।