ନୂଆଦିଲ୍ଲୀ: ହରିୟାଣା ସରକାର ଦିଲ୍ଲୀକୁ ଆବଶ୍ୟକ ମାତ୍ରାରେ ଜଳ ଛାଡିବା ଦାବିରେ ଆମରଣ ଅନଶନରେ ବସିଥିବା ଦିଲ୍ଲୀ ମନ୍ତ୍ରୀ ଆତିଶୀଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିଛି । ତାଙ୍କୁ ଆଜି ଦିଲ୍ଲୀର ଜୟପ୍ରକାଶ ନାରାୟଣ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । 22 ତାରିଖରୁ ଆତିଶୀ ହରିୟାଣା ସରକାର ଦିଲ୍ଲୀକୁ ପର୍ଯ୍ୟାପ୍ତ ପରିମାଣର ଜଳ ଛାଡିବା ଦାବିରେ ଆମରଣ ଅନଶନ ଆରମ୍ଭ କରିଥିଲେ । ଏବେ ତାଙ୍କ ଶରୀରରେ ଗ୍ଲୁକୋଜ ମାତ୍ରା କମିବା ଫଳରେ ସେ ଦୁର୍ବଳ ହୋଇପଡିଛନ୍ତି । ତାଙ୍କୁ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ଚିକିତ୍ସା କରୁଛି । ଆମ ଆଦମୀ ପାର୍ଟି କହିଛି, ଆତିଶୀ ଦିଲ୍ଲୀବାସୀଙ୍କ ଅଧିକାର ପାଇଁ ନିଜ ଜୀବନକୁ ବାଜି ଲଗାଇ ଆନ୍ଦୋଳକୁ ଓହ୍ଲାଛନ୍ତି । ତେବେ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରୀ ଟିମ୍ର ସୂଚନା ଅନୁସାରେ, ତାଙ୍କ ଶରୀରରେ ରକ୍ତଚାପ ସହ ଗ୍ଲୁକୋଜର ମାତ୍ରା ମଧ୍ୟ ହ୍ରାସ ପାଇଛି । ସେ ଏବେ ସଙ୍ଗୀନ ସ୍ଥିତିରେ ଅଛନ୍ତି ।
ଏବେ ରାଜଧାନୀ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଜଳ ସଙ୍କଟ ଲାଗିରହିଛି । ଦିଲ୍ଲୀର ଉପରମୁଣ୍ଡରେ ରହିଛି ହରିୟାଣା । ସ୍ଥାନୀୟ ସରକାରଙ୍କ ନିଷ୍ପତ୍ତିକୁ ଦାୟୀ କରୁଛି ଦିଲ୍ଲୀ । ହରିୟାଣାରେ ଥିବା ହସ୍ତିନୀକୁଣ୍ଡ ବ୍ୟାରେଜରୁ ଦିଲ୍ଲୀକୁ ପର୍ଯ୍ୟାପ୍ତ ପରିମାଣର ଜଳରାଶି ଛଡା ନଯିବାରୁ ଏପରି ସ୍ଥିତି ଦେଖାଦେଉଥିବା ଦିଲ୍ଲୀ ସରକାର ବାରମ୍ବାର ଅଭିଯୋଗ କରୁଛନ୍ତି । ଦିଲ୍ଲୀର ଲୋକସଂଖ୍ୟା ପ୍ରାୟ 28ଲକ୍ଷରୁ ଅଧିକ ହୋଇଥିବା ବେଳେ ଦୈନିକ ପ୍ରାୟ 100 ମିଲୟନ ଗ୍ୟାଲେନ (MGD) ଜଳର ଆବଶ୍ୟକତା ରହିଛି । ହେଲେ ହରିୟାଣା ସରକାର ଏହାଠୁ ଅଳ୍ପ ପରିମାଣରେ ଜଳ ଛାଡୁଛନ୍ତି ।