ନୂଆଦିଲ୍ଲୀ:ଅବକାରୀ ଘୋଟାଲା ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଗିରଫଦାରୀକୁ ବିରୋଧ କରି ଆଜି ସାମୁହିକ ଉପବାସ ରଖିବେ ଆମ ଆଦମୀ ପାର୍ଟିର କର୍ମୀ । ଦିଲ୍ଲୀର ଜନ୍ତରମନ୍ତର ଏବଂ ପଞ୍ଜାବର ଖଟକର କାଲାନରେ ସମର୍ଥକଙ୍କ ଏକ ସଭା ଅନୁଷ୍ଠିତ ହେବ । ଯେଉଁ ଠାରେ AAP ନେତା ତଥା ଦଳର କର୍ମକର୍ତ୍ତାମାନେ ଉପବାସ ପାଳନ କରିବେ । ଏନେଇ ସୂଚନା ଦେଇଛନ୍ତି ବରିଷ୍ଠ ଆପ ନେତା ଗୋପାଳ ରାୟ । ଆଜି ଦିନ 11ଟା ସମୟରେ ଦଳର ସମସ୍ତ ବିଧାୟକ ଓ କର୍ମୀ ଜନ୍ତର ମନ୍ତରରେ ଏକାଠି ହେବେ । ଆପ ଦଳର ସାମୁହିକ ଉପବାସକୁ ଦୃଷ୍ଟିରେ ରଖି ବିରୋଧ ସ୍ଥଳକୁ ଯାଉଥିବା ରାସ୍ତାରେ ସୁରକ୍ଷାକୁ କଡାକଡି କରାଯାଇଛି । ଭାରି ବ୍ୟାରିକେଡ୍ ଯୋଗୁଁ କେନ୍ଦ୍ରୀୟ ଦିଲ୍ଲୀର କିଛି ଅଞ୍ଚଳରେ ଟ୍ରାଫିକ୍ ସମସ୍ୟା ମଧ୍ୟ ଦେଖାଦେଇଛି ।
ଜେଲରେ କେଜ୍ରିୱାଲ, ଆଜି ଅନଶନ କରିବେ ଆପ ନେତା ଓ କର୍ମୀ - AAP Mass Fast Campaign - AAP MASS FAST CAMPAIGN
AAP Mass Fast Campaign: କେଜ୍ରିଓ୍ବାଲଙ୍କ ଗିରଫଦାରୀକୁ ବିରୋଧ କରି ଆଜି ସାମୁହିକ ଉପବାସ ରଖି ଧାରଣା ଦେବେ ଆପ କର୍ମୀ । ଦିଲ୍ଲୀର ଜନ୍ତର ମନ୍ତରରେ ଧାରଣାରେ ବସିବେ କର୍ମୀ । ଅଧିକ ପଢନ୍ତୁ
Published : Apr 7, 2024, 9:28 AM IST
|Updated : Apr 7, 2024, 9:35 AM IST
ଗୋପାଳ ରାୟ କହିଛନ୍ତି ଯେ, ଦେଶର 25ଟି ରାଜ୍ୟ ସହିତ ନ୍ୟୁୟର୍କ, ବୋଷ୍ଟନ୍, ଟୋରୋଣ୍ଟୋ, ୱାଶିଂଟନ୍ ଡିସି, ମେଲବର୍ଣ୍ଣ ଏବଂ ଲଣ୍ଡନ ସମେତ ପ୍ରମୁଖ ଅନ୍ତର୍ଜାତୀୟ ସ୍ଥରରେ ଥିବା AAP ସମର୍ଥକମାନେ ଉପବାସ ମାଧ୍ୟମରେ କେଜ୍ରିୱାଲଙ୍କୁ ସମର୍ଥନ କରିବେ । କେଜ୍ରିୱାଲଙ୍କ ଗିରଫଦାରୀକୁ ବିରୋଧ କରୁଥିବା ତଥା “ଦେଶର ଗଣତନ୍ତ୍ରକୁ ଯେଉଁ ମାନେ ବଞ୍ଚାଇବାକୁ ଚାହୁଁଛନ୍ତି” ସେମାନେ ମଧ୍ୟ ବିଭିନ୍ନ ସ୍ଥାନରେ ସାମୂହିକ ଉପବାସରେ ଭାଗ ନେବାକୁ ଅନୁରୋଧ । ଘର, ଗ୍ରାମ, ପଡ଼ୋଶୀ, ବ୍ଲକ ମୁଖ୍ୟାଳୟ, ତହସିଲ, ଜିଲ୍ଲା ଏବଂ ରାଜ୍ୟ ରାଜଧାନୀରେ ସାମୁହିକ ଉପବାସ କରିପାରିବେ । ଏହି ସମୟରେ ସମସ୍ତେ ଭକ୍ତି ଗୀତ “ରଘୁପତି ରାଘବ ରାଜା ରାମ”କୁ ଏକତ୍ରିତ ହୋଇ ପ୍ରାର୍ଥନା କରିବା ସହ ଶୁଣିବାକୁ ସମସ୍ତଙ୍କୁ ଅନୁରୋଧ । ଆସନ୍ତୁ ସାମୂହିକ ଭାବରେ ଗାନ କରିବା ଏବଂ ଆମେ ସମସ୍ତେ ପ୍ରାର୍ଥନା କରିବା, ଯାହା ଦ୍ବାରା କେଜ୍ରିଓ୍ବାଲଙ୍କ ଶକ୍ତି ବଢିବ ଓ ସେ ଜେଲରେ ଥାଇ ମଧ୍ୟ ଅତ୍ୟାଚାର ବିରୁଦ୍ଧରେ ଲଢି ପାରିବେ । ସତ୍ୟକୁ ସାମ୍ନାକୁ ଆଣିବା ପାଇଁ ଆମେ ଲଢେଇ କରିବା । କେଜ୍ରିୱାଲଙ୍କ ଗିରଫଦାରୀକୁ ବିରୋଧ କରି ଅନଶନ କରୁଥିବା ଲୋକେ kejriwalkoaashirvaad.comରେ ଫଟୋ ପଠାଇବାକୁ ଦଳ ପକ୍ଷରୁ କୁହାଯାଇଛି ।
ଗତ ମାର୍ଚ୍ଚ 21 ତାରିଖରେ ଅବକାରୀ ଘୋଟାଲା ମାମଲାରେ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଗିରଫ କରିଥିଲା ଇଡି । ଏବେ ବିଚାର ବିଭାଗୀୟ ଜେଲରେ ଅଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଦୁଇଟି ପର୍ଯ୍ୟାୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରିମାଣ୍ଡରେ ନେଇ ଜେରା କରିବା ପରେ ତିହାର ଜେଲକୁ ତାଙ୍କୁ ପଠାଇ ଦିଆଯାଇଛି । ଏହି ଗିରଫଦାରୀକୁ ବେଆଇନ ଦର୍ଶାଇ କେଜ୍ରିଓ୍ବାଲ ଦିଲ୍ଲୀ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ । ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ଶେଷ ହେବା ପରେ ରାଉଜ ଆଭେନ୍ୟୁ କୋର୍ଟ କେଜ୍ରିଓ୍ବାଲଙ୍କୁ 15 ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ । ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ସେ ହାଜତରେ ରହିବେ ।