ଲକ୍ଷ୍ନୌ: କଥାରେ ଅଛି 'ଯାହାକୁ ରଖିବେ ଅନନ୍ତ, କି କରି ପାରେ ବଳବନ୍ତ' । ଏମିତି ଏକ ଘଟଣା ଉତ୍ତର ପ୍ରଦେଶ ଲକ୍ଷ୍ନୌର ଚାରବାଗ ରେଲୱେ ଷ୍ଟେସନରେ । ଯେଉଁଠି ଟ୍ରେନ ଚକ ଉପରେ ବସି ଦୀର୍ଘ 100କିମି ଯାତ୍ରା କରିଛି 5 ବର୍ଷର ନାବାଳକ । ଏହି ନାବାଳକ ଜଣକ ଖେଳୁ ଖେଳୁ ଚାରବାଗ ରେଳ ଷ୍ଟେସନରେ ଲାଗିଥିବା ମାଲଗାଡି ଟ୍ରେନରେ ପହଞ୍ଚିଥିଲା । ଏହି ସମୟରେ ମାଲଗାଡି ଟ୍ରେନଟି ଚାଲିବା ପରେ ନାବାଳକ ଜଣକ ଟ୍ରେନରୁ ବାହାରି ପାରିନଥିଲା ।
ରେଳ ଚକ ମଝିରେ ଫସିଥିଲା ନାବାଳକ:-ପିଲାଟି ଚାରବାଗ ରେଳ ଷ୍ଟେସନରେ ଟ୍ରେନର ଚକ ମଧ୍ୟରେ ଶୋଇଥିଲା । ଏହା ପରେ ମାଲବାହୀ ଟ୍ରେନ ଗଡ଼ିବା ଆରମ୍ଭ କରିଥିଲା ଏବଂ ପିଲାଟି ଭୟରେ ସେହିପରି ଶୋଇ ରହିଥିଲା । ପିଲାଟି ସୌଭାଗ୍ୟବଶତଃ ଟ୍ରେନ ତଳକୁ ଯିବାକୁ ଚେଷ୍ଟା କରିନାହିଁ, ନଚେତ ଅଘଟଣ ଘଟିବାର ଆଶଙ୍କା ରହିଥିଲା । ଟ୍ରେନ ପ୍ରାୟ 102 କିଲୋମିଟର ଆଗକୁ ହରଦୋଇରେ ପହଞ୍ଚିଥିଲା । ଏଠାରେ ଟ୍ରେନ ଅଟକାଇବା ପରେ ରେଳବାଇ ସୁରକ୍ଷା ବାହିନୀର କର୍ମଚାରୀମାନେ ଶିଶୁଟିକୁ ଦେଖିବା ପରେ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ ।
ପିତା ସହ ଷ୍ଟେସନରେ କରୁଥିଲା ଭିକ୍ଷା:-ମିଳିଥିବା ସୂଚନା ଅନୁସାରେ ପିଲାଟି ମା' ଛେଉଣ୍ଡ । ସେ ତାର ପିତା ସହ ରେଳ ଷ୍ଟେସନରେ ଭିକ୍ଷା ମାଗିଥାଏ । ଏନେଇ ରେଳ ଅଧିକାରୀ କହିଛନ୍ତି, "ହରଦୋଇ ରେଳ ଷ୍ଟେସନରେ ଯାଞ୍ଚ କରିବା ସମୟରେ ଏହି ପିଲାଟିକୁ ମାଲବାହୀ ଟ୍ରେନର ଚକ ମଧ୍ୟରେ ଫସି ଥିବାର ଦେଖିଲି । ଏହି ସୂଚନା ହରଦେଇ ରେଳ ସୁରକ୍ଷା ବଳକୁ ଦିଆଯାଇଥିଲା ।" ଏହାପରେ ଆରପିଏଫ କର୍ମଚାରୀମାନେ ଶିଶୁକୁ ସୁରକ୍ଷିତ ଭାବେ ମାଲବାହୀ ଟ୍ରେନରୁ ବାହାର କରି ଉଦ୍ଧାର କରିଥିଲେ ।