ପାଟନା(ବିହାର): ବାପା ଥିଲେ ଦିନେ ନକ୍ସଲ କମାଣ୍ଡର । ଗର୍ଜୁଥିଲା ବନ୍ଧୁକ । ଥର ହର ହେଉଥିଲେ ଲୋକେ । ସେହି ପରିବାରର ପୁଅ ଆଜି ଅନ୍ୟ ପାଇଁ ସାଜିଛନ୍ତି ଉଦାହରଣ । ଯୁବକ ଜଣକ ହେଲେ ବିହାର ନକ୍ସଲ ପ୍ରବଣ ଅଞ୍ଚଳ ଭାବେ ପରିଚିତ ଗୁରାରୁ ଅଞ୍ଚଳର ରବି କୁମାର ଚଞ୍ଚଳ । ରବି ଏବେ MBBS ଡିଗ୍ରୀ ହାସଲ କରି ହୋଇଛନ୍ତି ଡାକ୍ତର । ତାଙ୍କୁ ନେଇ ଏବେ ଜୋରଦାର ଚର୍ଚ୍ଚା ।
ପୂର୍ବତନ ନକ୍ସଲ କମାଣ୍ଡରଙ୍କ ପୁଅ ହେଲେ ଡାକ୍ତର:
ରବି କୁମାରଙ୍କ ବାପା ହେଲେ ସୁଧିର କୁମାର ଓରଫ ବିନୋଦ ମରାଣ୍ଡି । ପୂର୍ବରୁ ସୁଧିର ନକ୍ସଲ ନେତା ଭାବେ କାମ କରୁଥିଲେ । ପରେ ସମୟ ସ୍ରୋତରେ ସମାଜର ମୁଖ୍ୟଧାରାରେ ସାମିଲ ହୋଇଥିଲେ । ସେ କେବଳ ନିଜ ଜୀବନ ପରିବର୍ତ୍ତନ କରିନାହାନ୍ତି ପୁଅର ଭବିଷ୍ୟତ ରାସ୍ତା ମଧ୍ୟ କଢାଇ ନେଇଥିଲେ । ପାଠ ପଢି ଆଜି ସେ ଡାକ୍ତର ହୋଇପାରିଛନ୍ତି ।
ନକ୍ସଲଗଡ଼ରେ ନୂଆ କ୍ରାନ୍ତି:
ରବି କୁମାରଙ୍କ ଜନ୍ମ ଗୁରାରୁର ଡିହା ଗାଁରେ ହୋଇଥିଲା । ଯାହାକି ନକ୍ସଲ ଗଡ଼ ଭାବେ ପରିଚିତ । ତାଙ୍କ ବାପା ବିନୋଦ ମରାଣ୍ଡି ଏକଦା ଭାକପା ମାଓବାଦୀ ସଂଗଠନର କମାଣ୍ଡର ଥିଲେ । 1997 ମସିହାରେ ସେ ନକ୍ସଲରେ ସାମିଲ ହୋଇଥିଲେ । ପରେ 2005ରେ RCC (ରିଭ୍ୟୁଲୁସନାରୀ କମ୍ୟୁନିଷ୍ଟ ସେଣ୍ଟର) ନାମରେ ଏକ ସଂଗଠନ ତିଆରି କଲେ । ତାହାର ମୁଖ୍ୟ ହେଲେ । ପରେ 2009ରେ ତାଙ୍କୁ ପୋଲିସ ଗିରଫ କରିଥିଲା । ଜେଲରୁ ବାହାରିବା ପରେ ନକ୍ସଲରୁ ଦୂରେଇ ଗଲେ । ପରେ ରାଜନୀତିରେ ବି ପ୍ରବେଶ କରିଥିଲେ ।
ଶିକ୍ଷା ବଦଳାଇ ଦେଲା ଭାଗ୍ୟ :
ରବି ଓ ତାଙ୍କ ଭାଇଙ୍କୁ ପିଲାଟି ବେଳୁ ହିଁ ନକ୍ସଲବାଦରୁ ଦୂରେଇ ରଖାଯାଇଥିଲା । ରବିଙ୍କ ଶିକ୍ଷା କଥା ଯଦି କହିବା, ସେ ଝାଡଖଣ୍ଡର ବୋକାରୋରେ ସ୍କୁଲ ଶିକ୍ଷା ସମାପନ କରିଛନ୍ତି । ସେଇଠୁ ସେ ଦେଖିଥିଲେ ଡାକ୍ତର ହେବାର ସ୍ବପ୍ନ । ରବିଙ୍କ ବାପା ଚାହୁଁଥିଲେ କି ରବି ଓକିଲ ହୁଅନ୍ତୁ । କିନ୍ତୁ ଡାକ୍ତର ହେବା ସ୍ବପ୍ନ ରବିଙ୍କୁ ଶୁଆଇ ଦେଉନଥିଲା । ଜୀବନଟା ତାଙ୍କର କଠିନ ପରିସ୍ଥିତି ମଧ୍ୟରେ ଗତି କରିଥିଲେ ବି ପାଠପଢା ସମାପନ କରିଥିଲେ ।
ବିଦେଶରେ ପଢିଲେ MBBS:
ରବି କୁମାର ଝାଡଖଣ୍ଡରେ ଯୁକ୍ତ ଦୁଇ ପର୍ଯ୍ୟନ୍ତ ପଢିଥିଲେ । ପରେ ନୂଆଦିଲ୍ଲୀ ଆସି ନିଟ୍ ପରୀକ୍ଷା ପାଇଁ ପ୍ରସ୍ତୁତି କରିଦେଇଥିଲେ । ଦୁଇ ଥର ବିଫଳ ହେବା ପରେ ହାର ମାନି ନଥିଲେ । ୟୁକ୍ରେନରେ MBBS କରିବା 2018ରେ ବାହାରି ପଡିଥିଲେ । ସେ ସମୟରେ ତାଙ୍କ ବାପା ଜେଲରେ ଥିଲେ । ପରିସ୍ଥିତି ଚାପରେ ହାର୍ ନ ମାନି ଆଗକୁ ବଢିଥିଲେ ରବି ।
କଣ କୁହନ୍ତି ରବି କୁମାର ?
ରବି କୁମାର କହିଛନ୍ତି, ‘ବୋକାରୋରେ ଇଣ୍ଟରମିଡିଏଟ ପର୍ଯ୍ୟନ୍ତ ପଢିବା ପରେ ଦିଲ୍ଲୀରେ ନିଟ୍ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିଲି । 2 ଥର ବିଫଳ ହେବା ପରେ ବି ହାର୍ ମାନିନଥିଲି । 2018ରେ ୟୁକ୍ରେନ ଯାଇଥିଲି ଏମବିବିଏସ କରିବାକୁ । ସେହି ସମୟରେ ବାପା ଜେଲରେ ଥିଲେ । ମାଆ ଭାବୁଥିଲେ ଏସବୁ କିପରି ସମ୍ଭବ ହେବ । କିନ୍ତୁ ବାପା ଆମର ମନୋବଳକୁ ବଢାଇଥିଲେ ସବୁ କିଛି ସମ୍ଭବ ହେଲା ।’
FMGE କଣ ?
Foreign Medical Graduate Examination (FMGE) ପରୀକ୍ଷାରେ ଛାତ୍ରଛାତ୍ରୀ ପାସ୍ ହେବା ପରେ ତାଙ୍କୁ ଦେଶରେ ପ୍ରାକ୍ଟିସ କରିବାକୁ ଅନୁମତି ଦିଆଯାଇଥାଏ । ରବି 2024ରେ ୟୁକ୍ରେନରେ MBBS ଡିଗ୍ରୀ ହାସଲ କରିବା ପରେ ଭାରତରେ FMGE ପରୀକ୍ଷା ଦେଇଥିଲେ । ସେଥିରେ ସେ ସଫଳତା ହାସଲ କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ: ଜେଲରୁ MA ପଢ଼ିବେ ମାଓନେତା ସବ୍ୟସାଚୀ ବଦଳୁଛି ସ୍ବାଭିମାନ ଅଞ୍ଚଳର ଚିତ୍ର: ଥିଲେ ମାଓବାଦୀ, ଏବେ କରିବେ ଲୋକସେବା |
ରବି ଦେଲେ ସମାଜକୁ ବାର୍ତ୍ତା:
ରବିଙ୍କ ସଫଳତା ଦେଖିଲେ ଗୋଟିଏ କଥା ଅନୁମେୟ । ଦୃଢ ଇଚ୍ଛା ଶକ୍ତି ଥିଲେ ପରିସ୍ଥିତି ବି ଆପଣଙ୍କ ସାହାଯ୍ୟ କରିବ । ଯାହାର ଉଦାହରଣ ହେଉଛନ୍ତି ରବି କୁମାର । ପ୍ରତିକୂଳ ପରିସ୍ଥିତିରେ ଗତି କରିବି ନିଜ ଦୃଢ ଇଚ୍ଛା ଶକ୍ତି ପାଇଁ ଆଜି ସେ ଡାକ୍ତର ହୋଇପାରିଛନ୍ତି । ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ।
ସମାଜରେ ମୁଖ୍ୟ ସ୍ରୋତରେ ସାମିଲ ହେବାର ଉପକାରିତା:
ବିନୋଦ ମରାଣ୍ଡି ନକ୍ସଲ ସ୍ରୋତରୁ ବାହାରି କେବଳ ନୂଆ ଜୀବନ ପାଇନାହାନ୍ତି । ପରିବାରକୁ ଏକ ଉଜ୍ବଳ ଭବିଷ୍ୟତ ପ୍ରଦାନ କରିଛନ୍ତି । ଯାହା ଏକ ଉଦାହରଣ ।