ଜୟପୁର: ପୁଣି ସାମ୍ନାକୁ ଆସିଲା ବୋରଓ୍ବେଲ ଟ୍ରାଜେଡି । ବୋରଓ୍ବେଲରେ ଖସି ପଡ଼ି ଚାଲିଗଲା ଆଉ ଏକ କଅଁଳ ଶିଶୁର ଜୀବନ । 150 ଫୁଟ ଗଭୀର ବୋରୱେଲରେ ଖସିପଡି 5 ବର୍ଷର ଶିଶୁର ମୃତ୍ୟୁ ହୋଇଥିବା ସୂଚନା । 3 ଦିନ ଧରି ବୋରୱେଲରେ ଅଟକି ରହିବା ପରେ ଶେଷରେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି ରାଜସ୍ଥାନର ଆର୍ଯ୍ୟନ । ବୁଧବାର ରାତିରେ ଶିଶୁଟିକୁ ଚେତାଶୂନ୍ୟ ଅବସ୍ଥାରେ ବୋରୱେଲରୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।
ବୃଥା ଗଲା ୫୫ ଘଣ୍ଟା ପରିଶ୍ରମ:
ଗତ ଡିସେମ୍ବର 9 ତାରିଖରେ କାଲିଖାଦ ଗ୍ରାମରେ ଶିଶୁଟି ତାଙ୍କ ଘର ନିକଟରେ ଖେଳୁଥିବା ବେଳେ ହଠାତ ବୋରୱେଲ ମଧ୍ୟକୁ ଖସିପଡିଥିଲା । ଏନେଇ ଖବର ପାଇବା ପରେ ସଙ୍ଗେ ସଙ୍ଗେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିବା ନାଙ୍ଗଲ ସର୍କଲ ଅଧିକାରୀ ଚାରୁଲ ଗୁପ୍ତା କହିଛନ୍ତି । 55 ଘଣ୍ଟାରୁ ଅଧିକ ସମୟ ଧରି ଉଦ୍ଧାର କାର୍ଯ୍ୟ ଜାରି ରହିବା ପରେ ଶିଶୁଟିକୁ ଉଦ୍ଧାର କରାଯାଇଥିଲା । କିନ୍ତୁ ଡାକ୍ତରଖାନାରେ ଶିଶୁଟି ବଞ୍ଚାଇବାରେ ଡାକ୍ତରଙ୍କ ସମସ୍ତ ଉଦ୍ୟମ ବ୍ୟର୍ଥ ହୋଇଥିଲା । ବୋରୱେଲରେ ପଡ଼ିବାର ଏକ ଘଣ୍ଟା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ଆର୍ଯ୍ୟନଙ୍କ ପାଖରେ ପହଞ୍ଚିବା ପାଇଁ ଉଦ୍ଧାର କାର୍ଯ୍ୟରେ ଡ୍ରିଲିଂ ମେସିନ୍ ବ୍ୟବହାର କରାଯାଇ ଗାତ ଖୋଳାଯାଇଥିଲା । ଜାତୀୟ ବିପର୍ଯ୍ୟୟ ମୁକାବିଲା ବଳ (NDRF)ର ଜଣେ ସଦସ୍ୟ କହିଛନ୍ତି ଯେ, ଉଦ୍ଧାର କାର୍ଯ୍ୟ ଚ୍ୟାଲେଞ୍ଜିକ ଥିଲା, ଯେଉଁଥିରେ ଜଳ ସ୍ତର ପ୍ରାୟ 160 ଫୁଟ ହେବା ଅନୁମାନ କରାଯାଉଛି।