ରାଞ୍ଚି: ଜେଏମଏମ ନେତା ଚମ୍ପାଇ ସୋରେନ ଝାଡ଼ଖଣ୍ଡର ୧୨ ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଘୋଡ଼ା ବେପାର ଭୟରେ ରାଞ୍ଚିରୁ ହାଇଦ୍ରାବାଦ ଯାତ୍ରା କରିଥିବା ମହାମେଣ୍ଟ ବିଧାୟକ ହାଇଦ୍ରାବାଦରେ ପହଞ୍ଚିଛନ୍ତି । ଜେଏମଏମ ଓ ଝାଡ଼ଖଣ୍ଡ କଂଗ୍ରେସର ମୋଟ ୪୩ ଜଣ ବିଧାୟକ ହାଇଦ୍ରାବାଦ ଏୟାରପୋର୍ଟରେ ପହଞ୍ଚିଛନ୍ତି । ବିମାନ ବନ୍ଦରରେ ପହଞ୍ଚିବା ପରେ ସେମାନେ ଏକ ବସ ଯୋଗେ ଏୟାରପୋର୍ଟରୁ ବାହାରିଥିବା ଦେଖିବାକୁ ମିଳିଛି । ତେଲେଙ୍ଗାନାରେ କଂଗ୍ରେସ କ୍ଷମତାରେ ଥିବାରୁ ଏହି ମହାମେଣ୍ଟ ବିଧାୟକଙ୍କୁ ଘୋଡ଼ା ବେପାରରୁ ବଞ୍ଚାଇବା ଲାଗି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ଥ ରେଡ୍ଡୀଙ୍କୁ ଦାୟିତ୍ବ ଦିଆଯାଇଛି ।
ଦିନକୁ ଦିନ ଝାଡଖଣ୍ଡ ରାଜନୀତି ରୋଚକ ହେବାରେ ଲାଗିଛି । ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଜେଏମଏମ ନେତା ଚମ୍ପାଇ ସୋରେନ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଚମ୍ପାଇ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ମଧ୍ୟ ବିପଦ ଟଳିନାହିଁ । କାରଣ ମୁଖ୍ୟମନ୍ତ୍ରୀ ସୋରେନଙ୍କୁ ଆସନ୍ତା ୧୦ ଦିନ ଭିତରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ପଡ଼ିବ । ଝାଡଖଣ୍ଡ ବିଧାନସଭାର ଆସନ ସଂଖ୍ୟା ୮୧ ଥିବା ବେଳେ ଚମ୍ପାଇଙ୍କ ନିକଟରେ ୪୩ ଜଣ ବିଧାୟକଙ୍କ ସମର୍ଥନ ରହିଛି । ହେଲେ ଏହି ୧୦ ଦିନ ଭିତରେ ବିଜେପି କୌଣସି ଗୋଟି ଚାଳନା କରିବା ଆଶଙ୍କା କରି ମହାମେଣ୍ଟ ବିଧାୟକଙ୍କୁ ହାଇଦ୍ରାବାଦ ପଠାଇ ଦିଆଯାଇଛି ।
ଏହା ବି ପଢନ୍ତୁ- ଗଢ଼ିଲେ ସରକାର, ଟଳିନି ସଂକଟ: ଘୋଡ଼ା ବେପାର ଭୟରେ ରାଞ୍ଚିରୁ ହାଇଦ୍ରାବାଦ ଚାଲିଲେ ମହାମେଣ୍ଟ ବିଧାୟକ