ଓଡିଶା

odisha

By ETV Bharat Odisha Team

Published : Feb 13, 2024, 8:35 AM IST

ETV Bharat / bharat

6 ମାସରେ ଦେଶରେ ବାହାହେବେ 42 ଲକ୍ଷ ଲୋକ, 5.5 ଲକ୍ଷ କୋଟି କାରବାର ଆଶା: CAIT

CAIT Survey On Indian Wedding Season: ଜାନୁୟାରୀ 15ରୁ ଜୁଲାଇ 15 ମଧ୍ୟରେ ସାରା ଦେଶରେ ପ୍ରାୟ 42 ଲକ୍ଷ ବିବାହ ଅନୁଷ୍ଠିତ ହେବ । ଯାହାଫଳରେ ଏଥି ସହିତ ଜଡିତ ଥିବା କ୍ଷେତ୍ରରେ ପ୍ରାୟ 5.5 ଲକ୍ଷ କୋଟିର ବ୍ୟବସାୟ ହେବାକୁ ଯାଉଛି । ଭାରତର ସର୍ବବୃହତ ବିକ୍ରେତା ସଂସ୍ଥା କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (CAIT) ନିଜର ସର୍ଭେରେ ଏଭଳି ତଥ୍ୟ ପ୍ରକାଶ କରିଛି । ଅଧିକ ପଢନ୍ତୁ

ଆସନ୍ତା ୬ ମାସ ମଧ୍ୟରେ ବିବାହ ଜନିତ ସେବା ଓ କ୍ରୟରେ ହେବ 5.5 ଲକ୍ଷ କୋଟିର ବ୍ୟବସାୟ
ଆସନ୍ତା ୬ ମାସ ମଧ୍ୟରେ ବିବାହ ଜନିତ ସେବା ଓ କ୍ରୟରେ ହେବ 5.5 ଲକ୍ଷ କୋଟିର ବ୍ୟବସାୟ

ନୂଆଦିଲ୍ଲୀ:ଚାଲିଛି ବିବାହ ଋତୁ । ତେବେ ଜାନୁୟାରୀ 15ରୁ ଜୁଲାଇ 15 ମଧ୍ୟରେ ସାରା ଦେଶରେ ପ୍ରାୟ 42 ଲକ୍ଷ ବିବାହ ଅନୁଷ୍ଠିତ ହେବ ଏବଂ ଏ ସମ୍ପର୍କିତ କ୍ରୟ ଏବଂ ସେବା ମାଧ୍ୟମରେ ପ୍ରାୟ 5.5 ଲକ୍ଷ କୋଟିର ବ୍ୟବସାୟ ହେବାକୁ ଯାଉଛି । ଏଭଳି କିଛି ଆକଳନ କରିଛି ଭାରତର ସର୍ବବୃହତ ବିକ୍ରେତା ସଂସ୍ଥା କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (CAIT) । ଏହି ସଂସ୍ଥା ସହିତ 70 ମିଲିୟନ ବ୍ୟବସାୟୀ ସାମିଲ ହୋଇଥିବା ବେଳେ ବିଭିନ୍ନ ରାଜ୍ୟରେ ଭାରତର 30ଟି ସହରରେ ଏହି ସର୍ଭେ କରିଛି । ଭାରତୀୟ ଅର୍ଥନୀତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବରେ ବିବେଚନା କରାଯାଉଥିବା ବିବାହ ଋତୁ ଏହାର ଦୃତ ଅଭିବୃଦ୍ଧିରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି ବୋଲି CAIT କହିଛି । ତେବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅପିଲ ପରେ ଦେଶ ମଧ୍ୟରେ ଡେଷ୍ଟିନେସନ ବିବାହର ଲୋକପ୍ରିୟତା ବୃଦ୍ଧି ଘଟିଛି ବୋଲି ରିପୋର୍ଟରେ କୁହାଯାଇଛି ।

CAIT ରାଷ୍ଟ୍ରୀୟ ସଭାପତି ବି ସି ଭାରତୀ ଏବଂ ସେକ୍ରେଟେରୀ ଜେନେରାଲ୍ ପ୍ରବୀଣ ଖଣ୍ଡେଲୱାଲ ପ୍ରକାଶ କରିଛନ୍ତି ଯେ, କେବଳ ଦିଲ୍ଲୀରେ ଏହି ବିବାହ ଋତୁରେ 4 ଲକ୍ଷରୁ ଅଧିକ ବିବାହ ହେବାର ଆଶା କରାଯାଉଛି ଯାହାଦ୍ୱାରା ପ୍ରାୟ 1.5 ଲକ୍ଷ କୋଟି ଟଙ୍କାର ଆୟ ହେବ । ଗତବର୍ଷ ଡିସେମ୍ବର 14ରେ ଶେଷ ହୋଇଥିବା ବିବାହ ଋତୁରେ ପ୍ରାୟ 35 ଲକ୍ଷ ବିବାହ ହୋଇଥିଲା, ଯେଉଁଥିରେ 4.25 ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ଏହି ବିବାହ ଋତୁରେ ଅନୁମାନ କରାଯାଏ ଯେ, ପ୍ରାୟ 5 ଲକ୍ଷ ବିବାହରେ ବିବାହ ପାଇଁ 3 ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ପ୍ରାୟ 10 ଲକ୍ଷ ବିବାହ ପ୍ରତ୍ୟେକରେ ପ୍ରାୟ 6 ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ । 10 ଲକ୍ଷ ବିବାହରେ ପ୍ରତି ବିବାହ ପିଛା 10 ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବାର ଆକଳନ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ...ବିବାହ ପରେ ସ୍ତ୍ରୀକୁ କହିଲେ ସ୍ୱାମୀ, 'ମୁଁ ସମଲିଙ୍ଗୀ, ମୋତେ ଛାଡପତ୍ର ଦେଇଦିଅ'

ଏଥିସହ 6 ଲକ୍ଷ ବିବାହରେ ପ୍ରତ୍ୟେକ 25 ଲକ୍ଷ ଟଙ୍କା, 60 ହଜାର ବିବାହରେ 50 ଲକ୍ଷ ଟଙ୍କା ବ୍ୟୟ ଏବଂ 40 ହଜାର ବିବାହରେ 1 କୋଟିରୁ ଅଧିକ ଖର୍ଚ୍ଚ ହେବ ବୋଲି ଆଶା କରାଯାଉଛି । ମୋଟ ଉପରେ, ଏହି ଛଅ ମାସ ମଧ୍ୟରେ ବଜାରରେ ବିବାହ ସମ୍ବନ୍ଧୀୟ କ୍ରୟ ମାଧ୍ୟମରେ ପ୍ରାୟ 5.5 ଲକ୍ଷ କୋଟି ଟଙ୍କା କାରବାର ହେବ । CAIT କାର୍ଯ୍ୟନିର୍ବାହୀମାନଙ୍କ ମତରେ ବିବାହ ସିଜିନରେ ଲାଭଜନକ ବ୍ୟବସାୟ ସୁଯୋଗକୁ ଦୃଷ୍ଟିରେ ରଖି ଗ୍ରାହକଙ୍କ ପସନ୍ଦ ଏବଂ ଚାହିଦା ପୂରଣ କରିବା ପାଇଁ ଦେଶବ୍ୟାପୀ ବ୍ୟବସାୟୀମାନେ ବିବାହ ସମ୍ବନ୍ଧୀୟ ସାମଗ୍ରୀ ପର୍ଯ୍ୟାପ୍ତ ପରିମାଣରେ ଷ୍ଟକ୍ କରିରଖିଛନ୍ତି । ତଥ୍ୟ ଅନୁସାରେ ପ୍ରତ୍ୟେକ ବିବାହ ପାଇଁ ପ୍ରାୟ 20 ପ୍ରତିଶତ ଖର୍ଚ୍ଚ ଉଭୟ ବର ଓ କନ୍ୟା ପକ୍ଷଙ୍କ ପାଇଁ ଥିବାବେଳେ ବିବାହ ବ୍ୟବସ୍ଥାରେ ଜଡିତ ତୃତୀୟ ପକ୍ଷ ଏଜେନ୍ସିକୁ 80 ପ୍ରତିଶତ ଯାଇଥାଏ ।

ବିବାହ ସିଜିନରେ ଘରର ମରାମତି ଏବଂ ପେଣ୍ଟିଂରେ ବହୁ ପରିମାଣର ଖର୍ଚ୍ଚ କରାଯାଏ । ଏହାସହିତ ଅଳଙ୍କାର, ଶାଢୀ, ଲେହେଙ୍ଗା, ଚୁନି, ଆସବାବପତ୍ର, ରେଡିମେଡ ପୋଷାକ, ଜୋତା, ବିବାହ କାର୍ଡ, ଡ୍ରାଏ ଫ୍ରୁଟସ, ମିଠା, ଫଳ, ପୂଜା ସାମଗ୍ରୀ, ଖାଦ୍ୟ ସାମଗ୍ରୀ, ଖାଦ୍ୟଶସ୍ୟ, ସାଜସଜ୍ଜା ସାମଗ୍ରୀ, ବୈଦ୍ୟୁତିକ ଉପକରଣ ଆଦି ସାମଗ୍ରୀ ସାଧାରଣତଃ ଅଧିକ ଚାହିଦା ଥାଏ ଏବଂ ଏହି ବର୍ଷ ଏହିସବୁ ସାମଗ୍ରୀର ବିକ୍ରିବଟା ଭଲ ବ୍ୟବସାୟ ସୃଷ୍ଟି କରିବ ବୋଲି ଆଶା କରାଯାଉଛି । ରିପୋର୍ଟ ମୁତାବକ, ଭୋଜି ହଲ୍, ହୋଟେଲ, ଖୋଲା ଲନ୍, କମ୍ୟୁନିଟି ସେଣ୍ଟର, ପବ୍ଲିକ୍ ପାର୍କ, ଫାର୍ମହାଉସ୍ ଏବଂ ଅନ୍ୟାନ୍ୟ ବିବାହ ସ୍ଥାନ ଦିଲ୍ଲୀ ସମେତ ସାରା ଦେଶରେ ବୁକ୍ ହୋଇଛି ।

ପ୍ରତ୍ୟେକ ବିବାହରେ ଅଳଙ୍କାର ତଥା ଅନ୍ୟାନ୍ୟ ସାଜସଜ୍ଜା ସୌକିନ ସାମଗ୍ରୀ କ୍ରୟ କରିବା ବ୍ୟତୀତ ଟେଣ୍ଟ ସାଜସଜ୍ଜା, ଫୁଲ ସାଜସଜ୍ଜା, କ୍ୟାଟରିଂ ସେବା, କ୍ୟାବ ସେବା, ବୃତ୍ତିଗତ ସ୍ୱାଗତ କରୁଥିବା ଦଳ, ପନିପରିବା ବିକ୍ରେତା, ଫଟୋଗ୍ରାଫର, ଭିଡିଓଗ୍ରାଫର, ବ୍ୟାଣ୍ଡ, ସଂଗୀତଜ୍ଞ, ଡିଜେ ସେବା, ବିବାହ ପ୍ରକ୍ରିୟା ପାଇଁ ଘୋଡା, ଗାଡି, ଆଲୋକ ଏବଂ ଅନ୍ୟାନ୍ୟ ସେବା ଏହି ସମୟ ମଧ୍ୟରେ ଲାଭବାନ ହେବେ ବୋଲି ଆଶା କରାଯାଉଛି | ଏହା ସହିତ ଇଭେଣ୍ଟ ମ୍ୟାନେଜମେଣ୍ଟ ଏବଂ ବିବାହ ସାମଗ୍ରୀ ତଥା ଉପହାର ସାମଗ୍ରୀର ପ୍ୟାକେଜିଂ ଏକ ଗୁରୁତ୍ୱପୂର୍ଣ୍ଣ ବ୍ୟବସାୟ ଭାବରେ ଉଭା ହୋଇଛି । ଏହାଦ୍ୱାରା ବିବାହ ସହିତ ଜଡିତ ସମସ୍ତ କ୍ଷେତ୍ରରେ ନୂତନ ନିଯୁକ୍ତି ପ୍ରଦାନ କରିବ ବୋଲି ସର୍ଭେ ରିପୋର୍ଟରେ କୁହାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details