ହାଇଦ୍ରାବାଦ:ସରିଲା ଦ୍ବିତୀୟ ପର୍ଯ୍ୟାୟ ମତଦାନ । ଆଜି (ଶୁକ୍ରବାର) 2024 ଲୋକସଭା ନିର୍ବାଚନ ଲାଗି 12 ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ମୋଟ 88ଟି ଆସନରେ ପଡ଼ିଥିଲା ଭୋଟ୍ । କେରଳରେ ଇଭିଏମରେ ତ୍ରୁଟି ଯୋଗୁଁ ମତଦାନ ବିଳମ୍ବ ହୋଇଥିବା ବେଳେ ଉତ୍ତରପ୍ରଦେଶ, ରାଜସ୍ଥାନ ଓ ମହାରାଷ୍ଟ୍ରର କିଛି ଗ୍ରାମବାସୀ ମୌଳିକ ସୁବିଧାରୁ ବଞ୍ଚିତ ଥିବାରୁ ଭୋଟ ବର୍ଜନ କରିଛନ୍ତି । ସେପଟେ କିଛି ବୟସ୍କ, ଦିବ୍ୟାଙ୍ଗ ଭୋଟର ମତଦାନ କରି ଗଣତନ୍ତ୍ରର ମହାପର୍ବରେ ସାମିଲ ହେବାକୁ ସମସ୍ତ ମତଦାତାଙ୍କୁ ଆହ୍ବାନ କରିଛନ୍ତି । ଆକଳନ ଅନୁସାରେ ଦ୍ବିତୀୟ ପର୍ଯ୍ୟାୟରେ ମୋଟ 64% ମତଦାନ ହୋଇଥିବା ବେଳେ ଇଭିଏମ ମେସିନରେ ସିଲ୍ ହୋଇଛି 1202 ପ୍ରାର୍ଥୀଙ୍କ ଭାଗ୍ୟ ।
ଜାଣନ୍ତୁ କେଉଁଠି ହୋଇଛି କେତେ ପ୍ରତିଶତ ଭୋଟିଂ ? |
ରାଜ୍ୟ/କେନ୍ଦ୍ର ଶାସିତ ଅଞ୍ଚଳ | ଭୋଟ ପ୍ରତିଶତ |
ଆସାମ | 70.68 |
ବିହାର | 54.91 |
ଛତିଶଗଡ଼ | 72.61 |
ଜମ୍ମୁକାଶ୍ମୀର | 69.86 |
କର୍ଣ୍ଣାଟକ | 64.67 |
କେରଳ | 65.23 |
ମଧ୍ୟ ପ୍ରଦେଶ | 55.60 |
ମହାରାଷ୍ଟ୍ର | 53.76 |
ମଣିପୁର | 77.18 |
ରାଜସ୍ଥାନ | 62.15 |
ତ୍ରିପୁରା | 78.53 |
ଉତ୍ତର ପ୍ରଦେଶ | 53.61 |
ପଶ୍ଚିମବଙ୍ଗ | 71.84 |
ତ୍ରିପୁରାରେ ସର୍ବାଧିକ, ମହାରାଷ୍ଟ୍ରରେ ସର୍ବନିମ୍ନ:- ତ୍ରିପୁରାର ଗଙ୍ଗାନଗର ଆରଡି ବ୍ଲକର ମାଲଦା ପରାରେ ପ୍ରାୟ 1000 ଭୋଟର ମୌଳିକ ସୁବିଧାରୁ ବଞ୍ଚିତ ଥିବା ଅଭିଯୋଗ କରି ଭୋଟ ବର୍ଜନ କରିଛନ୍ତି । ଏହା ସତ୍ତ୍ବେ ରାଜ୍ୟରେ ସର୍ବାଧିକ ମତଦାନ ହୋଇଛି । ତ୍ରିପୁରାରେ 78.53 ମତଦାନ ରେକର୍ଡ ହୋଇଛି । ଅନ୍ୟପଟେ ମହାରାଷ୍ଟ୍ରରେ ସର୍ବନିମ୍ନ 53.76 ମତଦାନ ହୋଇଛି । ମହାରାଷ୍ଟ୍ରର 4ଟି ଗ୍ରାମର ଲୋକଙ୍କ ନିକଟରେ ମୌଳିକ ସୁବିଧା ଯେପରିକି ପାଣି, ବିଦ୍ୟୁତ ସେବା ପହଞ୍ଚିନଥିବା ବେଳେ ଗାଁକୁ ପକ୍କା ରାସ୍ତା ବି ନାହିଁ । ଏଥିଲାଗି ରାଙ୍ଗୁବେଲି, ଧୋକଡ଼ା, କୁଣ୍ଡ ଓ ଖାମଡ଼ା ଗ୍ରାମବାସୀ ଭୋଟ ବର୍ଜନ କରିଛନ୍ତି ।
ମତଦାନ ସରିବା ପରେ ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା:-ଦ୍ବିତୀୟ ପର୍ଯ୍ୟାୟ ମତଦାନ ଶେଷ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି, "ଦ୍ବିତୀୟ ପର୍ଯ୍ୟାୟ ମତଦାନ ବେଶ ଭଲ ଥିଲା । ନିଜର ମତଦାନ ସାବ୍ୟସ୍ତ କରିଥିବା ଦେଶର କୋଣ ଅନୁକୋଣର ମତଦାତାଙ୍କୁ ଧନ୍ୟବାଦ । ଏନଡିଏ ପ୍ରତି ଲୋକଙ୍କ ବଢୁଥିବା ସମର୍ଥନ ବିରୋଧୀଙ୍କୁ ଆହୁରି ଅଧିକ ଅସନ୍ତୁଷ୍ଟ କରିବାକୁ ଯାଉଛି । ମତଦାତାମାନେ ଏନଡିଏ ମେଣ୍ଟର 'ଗୁଡ୍ ଗଭର୍ଣ୍ଣାନ୍ସ' ଚାହୁଁଛନ୍ତି । ଯୁବ ଓ ମହିଳା ଭୋଟରମାନେ ନିଜର ସମର୍ଥନ ସହିତ ଏନଡିଏ ମେଣ୍ଟକୁ ଅଧିକ ସଶକ୍ତ କରୁଛନ୍ତି ।" ପ୍ରଧାନମନ୍ତ୍ରୀ ନିଜ ଏକ୍ସ ସାଇଟରେ ଏକ ପୋଷ୍ଟ କରି ଏପରି କହିଛନ୍ତି ।
କର୍ଣ୍ଣାଟକର ଏହି ଗ୍ରାମରେ 100% ଭୋଟିଂ:-କନ୍ନଡ ରାଜ୍ୟର ଦକ୍ଷିଣାଞ୍ଚଳ ବେଲଥାଙ୍ଗାଡିର ବଞ୍ଜାରୁମାଲେ ଗ୍ରାମରେ ଶତ ପ୍ରତିଶତ ମତଦାନ ହୋଇଛି । ଏଠାରେ ମୋଟ 111 ଜଣ ଭୋଟର ଥିବା ବେଳେ ସମସ୍ତେ ଆସି ନିଜ ମତଦାନ ସାବ୍ୟସ୍ତ କରିଛନ୍ତି । ଏହାରି ସହିତ ସନ୍ଧ୍ୟା 6ଟାରେ ଭୋଟିଂ ପ୍ରକ୍ରିୟା ଶେଷ ହେବାକୁ ଥିବା ବେଳେ ଏଠାରେ 2 ଘଣ୍ଟା ପୂର୍ବରୁ ସମସ୍ତେ ଭୋଟ୍ ଦେଇଥିବା ଦେଖିବାକୁ ମିଳିଥିଲା । ଜଙ୍ଗଲ ଘେରା ଏହି ଗ୍ରାମରେ ଅଧିକାଂଶ ଆଦିବାସୀ ଚାଷୀ ପରିବାର ଓ ଜଙ୍ଗଲ ଉପରେ ନିର୍ଭର କରୁଥିବା ଲୋକେ ବସବାସ କରନ୍ତି ।
ଏହା ବି ପଢନ୍ତୁ- ଲୋକସଭା ନିର୍ବାଚନ 2024: ସରିଲା ପ୍ରଥମ ପର୍ଯ୍ୟାୟ ମତଦାନ, EVMରେ ସିଲ୍ 1625 ପ୍ରାର୍ଥୀଙ୍କ ଭାଗ୍ୟ