ମାଟି ପକାଇ ରାସ୍ତା ସମତୁଲ କଲେ କୁନି କୁନି ପିଲା - ରାସ୍ତା ସମତୁଲ କଲେ କୁନି ପିଲା
🎬 Watch Now: Feature Video
ସୁବର୍ଣ୍ଣପୁର: 'ତୁମ ପରି ଛୋଟ ପିଲାଟିଏ, ଗାଁ ଚାହାଳିର ଚାଟ ସିଏ' । ପିଲାଦିନେ ମଧୁବାବୁଙ୍କ ଏହି କବିତା ସମସ୍ତେ ପଢିଥିବେ ନିଶ୍ଚୟ । ଯେଉଁଥିରେ କିଛି ପିଲା ବାଲିଗୋଡି ପକାଇ ଗାଁ ରାସ୍ତା ସମତୁଲ କରୁଥିବାର ବର୍ଣ୍ଣନା କରାଯାଇଛି । କବିତାରେ ବର୍ଣ୍ଣିତ ହୋଇଥିବା ଏହି ଦୃଶ୍ୟ ଏବେ ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ସହରର କୁଞ୍ଜଛକରୁ ଜିଲ୍ଲାପାଳଙ୍କ ରାସ୍ତାରେ । ଏଠାରେ କିଛି କୁନି କୁନି ପିଲା ଧୂଳି ମାଟି ବୋହି ରାସ୍ତାର ଖାଲକୁ ପୋତି ସମତୁଲ କରିଛନ୍ତି । ଯାହାକି ଅତ୍ୟନ୍ତ ହୃଦୟସ୍ପର୍ଶୀ । କୁନିକୁନି ପିଲାମାନଙ୍କୁ ଏଥିରେ ୩ ରୁ ୪ ଜଣ ବ୍ୟକ୍ତି ସହଯୋଗ କରୁଥିବାର ମଧ୍ୟ ଦେଖାଯାଇଛି । ଗାଡିମଟର ଯାତାୟତ ଭିତରେ ବେଶ୍ ସଚେତନତାର ସହିତ ରାସ୍ତା ମରାମତି କରିଛନ୍ତି ପିଲା । ଏନେଇ ଜଣେ ପିଲାକୁ ପଚାରିବାରୁ ସେ କହିଛି, ରାସ୍ତାରେ ଅନେକ ଥର ବାଇକ ଦୁର୍ଘଟଣା ହେବାର ଦେଖି ସେମାନେ ଏହି ରାସ୍ତା ମରାମତି କରୁଛନ୍ତି । ତେବେ ଛୋଟ ଛୋଟ ପୁଅ ଝିଅଙ୍କର ଏପରି କାର୍ଯ୍ୟ ଆଜିର ଦିନରେ ସମାଜର ଆଖି ଖୋଲି ଦେଉଥିବା ବେଳେ ପ୍ରଶାସନ ଏହି ପିଲାମାନଙ୍କୁ ଉତ୍ସାହିତ କରିବାର ଆବଶ୍ୟକତା ଥିବା ଚର୍ଚ୍ଚା ହେଉଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ