ରଥଖଳା ହାଲଚାଲ: ଶେଷ ପର୍ଯ୍ୟାୟରେ ରଥ ନିର୍ମାଣ କାମ, ଚାଲିଛି ପ୍ରଭା-ସିଂହାସନ କାର୍ଯ୍ୟ - ରଥଯାତ୍ରା ୨୦୨୨
🎬 Watch Now: Feature Video
ପୁରୀ: ପାଖେଇ ଆସୁଛି ଚଳିତ ବର୍ଷର ରଥଯାତ୍ରା । ଶେଷ ପର୍ଯ୍ୟାୟରେ ପହଞ୍ଚିଛି ରଥ ନିର୍ମାଣ କାର୍ଯ୍ୟ । ପ୍ରଭା, ସିଂହାସନ କାର୍ଯ୍ୟ ଚାଲି ଥିବାବେଳେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ଚଳଚଞ୍ଚଳ ରଥଖଳା । ତିନିରଥର ବେଦୀ ସିଂହାସନ ସମେତ ବେଦୀ ଚତୁଃପାର୍ଶ୍ଵରେ ପଟା ପଡ଼ିବା ସମ୍ପୂର୍ଣ୍ଣ ହୋଇଛି । ତିନିରଥର ୧୨ଟି ଦୁଆରବେଢ଼ା ସହ ୨୪ଟି ନାଟଗୋଡ଼କୁ ଦୁଆରବେଢାରେ ସଂଯୁକ୍ତ କରାଯାଇଛି । ଭୋଇ ସେବକମାନେ ତିନି ରଥରେ ଦୁଆର ବେଢା ସଂଯୋଗ କରିବା ପରେ ପରମ୍ପରା ଅନୁଯାୟୀ ସପ୍ତମ ହରିବୋଲ ପକାଇଛନ୍ତି । ସିଂହାସନ ବେଦୀ ଉପର ପ୍ରଥମ ଭୂଇଁ ମଧ୍ୟଭାଗରେ କନକମୁଣି ବସାଯାଇଛି । କନକମୁଣ୍ଡିରୁ ୪ଟି କାଣ୍ଡ ଏବଂ ୨୦ଟି ଗୁଅ ଗମ୍ବୁଜାକାର ଭାବେ ସେଟିଂ କରାଯାଇଛି । ବର୍ଷା ପାଣି ନ ପଡ଼ିବା ପାଇଁ ସେଥିରେ ପିତ୍ତଳ ଚଦର ଆବରଣ ଫିଟିଂ କରାଯିବ । ଏଥିସହ ତିନିରଥର ୩ଟି ଲେଖାଏଁ ବିଜେ ଚକା ନିର୍ମାଣ ସରିଛି । ରୂପକାର ସେବକମାନେ ତିନି ରଥର ପ୍ରଭାରେ ରୂପ ଖୋଦେଇ ଜାରି ରଖିଛନ୍ତି । ଚିତ୍ରକାର ସେବକମାନେ ୨୪ଟି ନାଟଗୋଡ଼ରେ ଖୋଦେଇ ରୂପରେ ରଙ୍ଗ କାର୍ଯ୍ୟ ଶେଷ କରି ଫିଟିଂ କାର୍ଯ୍ୟରେ ଲାଗିଛନ୍ତି । ଏଥିସହ ତିନିରଥର ୮ଟି ଲେଖାଏଁ କନ୍ୟାପଟାରେ କନ୍ୟା ଚିତ୍ର ଅଙ୍କନ କରି ସେଗୁଡ଼ିକ କୋଣଗୁଜ ନିକଟ ଦଣ୍ଡାମୁହାଁଟ ଓ ନିରାଡ଼ିରେ ଫିଟିଂ କରାଯାଇଛି । ୨୭ ଶିଖର ଡମ୍ବରୁ ପାର୍ଶ୍ଵ ଦେବାଦେବୀ ଆସ୍ଥାନ ରଙ୍ଗକାର୍ଯ୍ୟ ଶେଷ କରି ପ୍ରତି ରଥର ୯ଟି ଲେଖାଏ ପାର୍ଶ୍ଵ ଦେବାଦେବୀ ତିନି ରଥର ୨୭ଟି ହଂସପଟା ତିନିରଥରେ ସେଟିଂ ହୋଇଥିବା ଗୁଜଗୁଡିକରେ ରୂପ ଚିତ୍ର କାର୍ଯ୍ୟରେ ଲାଗିଛନ୍ତି । ସେପଟେ ଦୋଳବେଦୀ ସ୍ଥିତ ଅସ୍ଥାୟୀ କମାର ଶାଳରେ ଓଝା ସେବକମାନେ କଣ୍ଟା ନିର୍ମାଣ କରୁଛନ୍ତି ।
ଇଟିଭି ଭାରତ, ପୁରୀ