thumbnail

ମୁଣ୍ଡ ଉପରେ ବାତ୍ୟାର ଭୟ, ଘର ଛାଡ଼ି ଯିବାକୁ ଅମଙ୍ଗ ସାତଭାୟା ବାସିନ୍ଦା

By

Published : May 24, 2021, 5:58 PM IST

Updated : May 24, 2021, 6:22 PM IST

କେନ୍ଦ୍ରାପଡା: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେଇଛି । ବାତ୍ୟା ‘ୟସ’ ଆସନ୍ତା ୨୬ତାରିଖ ଦିନ ସ୍ଥଳଭାଗ ଛୁଇଁବାକୁ ଥିବାବେଳେ ସମୁଦ୍ର କୂଳରେ ବସବାସ କରୁଥିବା ରାଜନଗର ସାତଭାୟା ବାସିନ୍ଦାଙ୍କୁ ଉଚ୍ଚସ୍ଥାନ ବା ବଗପାଟିଆ ଥଇଥାନ ସ୍ଥଳୀକୁ ଚାଲିଯିବାକୁ ନିର୍ଦ୍ଦେଶ ଦେଇଛି ପ୍ରଶାସନ। ତେବେ କେବଳ ବାତ୍ୟା ଆସିଲେ ପ୍ରଶାସନର ଏମାନଙ୍କ କଥା ମନେପଡେ ବୋଲି ଅଭିଯୋଗ କରିଛନ୍ତି ସାତଭାୟା ପଞ୍ଚାୟତର ୧୦,୧୧ ଓ ୧୩ନଂ ୱାର୍ଡରେ ବସବାସ କରୁଥିବା ୫୦୦ରୁ ଊର୍ଦ୍ଧ୍ବ ଲୋକେ । କେବଳ ସେତିକି ନୁହେଁ, ବାତ୍ୟା ବେଳେ ପ୍ରଶାସନ ଲୋକମାନଙ୍କୁ ଉଦ୍ଧାର କରି ନେଉଥିବା ବେଳେ ଗୃହପାଳିତ ପଶୁପକ୍ଷୀଙ୍କ ପାଇଁ କୌଣସି ପଦକ୍ଷେପ ନିଅନ୍ତି ନାହିଁ। ଗତ ଫାଇଲିନ, ଫନି, ଅମ୍ଫାନ ସମୟରେ ଲୋକମାନେ ଉଚ୍ଚସ୍ଥାନକୁ ଯାଇଥିବାବେଳେ ଫେରିଲା ପରେ ଗୃହପାଳିତ ପଶୁପକ୍ଷୀ ଓ ବର୍ଷଯାକର ଖାଦ୍ୟ ନଷ୍ଟ ହୋଇଥିଲାବେଳେ ସେମାନଙ୍କର ନଡାଛପର ଘର ଧ୍ୱସ୍ତ ବିଧ୍ୱସ୍ତ ହୋଇଯାଇଥିଲା। ତେବେ ବଗପାଟିଆ ଥଇଥାନ କେନ୍ଦ୍ରକୁ ବାତ୍ୟା ସମୟରେ ଏମାନେ ଯାଉଥିବା ବେଳେ ସେଠାରେ ଖାଦ୍ୟ ଓ ରହିବା ସମସ୍ୟା ଦେଖାଯାଇଥାଏ। ଅପରପକ୍ଷରେ ଫେରିବା ପରେ ବର୍ଷଯାକର ପୁଞ୍ଜି ଚାଲିଯାଇଥିବା ବୋଝ ଉପରେ ନଳିତା ବିଡା ସଦୃଶ ହୋଇଥାଏ। ଯେଉଁଥିପାଇଁ କି ଏହି ୩ଟି ୱାର୍ଡର ବାସିନ୍ଦା ଏଠାରୁ ଯିବାକୁ ଅମଙ୍ଗ ହେଉଛନ୍ତି । ତେବେ ସେଠାରେ କଣ ରହିଛି ସ୍ଥିତି ସେଠାକାର ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରିଛନ୍ତି ଆମ କେନ୍ଦ୍ରାପଡା ପ୍ରତିନିଧି ରାଧାକାନ୍ତ ମହାନ୍ତି । କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ
Last Updated : May 24, 2021, 6:22 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.