thumbnail

By ETV Bharat Odisha Team

Published : Dec 21, 2023, 6:23 PM IST

ETV Bharat / Videos

ଥରୁଛି ମୟୂରଭଞ୍ଜ, ଉପର ବରାକାମୁଡ଼ାରେ ତାପମାତ୍ରା 0 ଡିଗ୍ରୀ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାରେ ଖସୁଛି ପାରଦ ବଢୁଛି ଶୀତ । ଶୀତ ଯୋଗୁ ଜିଲ୍ଲାବାସୀଙ୍କ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି । ଗତ ୨୪ ଘଣ୍ଟାରେ ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳର କିୟାଝରୀ ଓ ରାମତୀର୍ଥରେ ୧୧ ଡିଗ୍ରୀ, ବରେହିପାଣିରେ ୯ ଡିଗ୍ରୀ, ଗୁରଗୁଡିଆରେ ୭ ଡିଗ୍ରୀ, ନଓଣାରେ ୬ ଡିଗ୍ରୀ ରହିଥିବା ବେଳେ ଉପର ବରାକାମୁଡ଼ାର ତାପମାତ୍ରା ସର୍ବନିମ୍ନ 0 ଡିଗ୍ରୀ ରହିଛି । ଏନେଇ ସୂଚନା ଦେଇଛନ୍ତି ଉତ୍ତର ଶିମିଳିପାଳର ଉପ-ନିର୍ଦ୍ଦେଶକ ସାଇ କିରଣ । 

ଆଜି(ଗୁରୁବାର) ସକାଳ ୬.୦୦ ସମୟରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦ୍ବାରା ଏହି ତାପମାତ୍ରା ରେକର୍ଡ କରାଯାଇଛି । ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଥିବା ଘାସ ଗାଲିଚା ଓ ଧାନ କ୍ଷେତ ଉପରେ ତୁହିନର ଆବରଣ ପଡ଼ିଥିବା ଦେଖିବାକୁ ମିଳିଛି । ଶିମିଳିପାଳ ଅଭୟାରଣ୍ୟର କୋର ଅଞ୍ଚଳ ଗୁଡିକରେ ମଧ୍ୟ ହାଡ଼ଭଙ୍ଗା ଶୀତ ଅନୁଭୂତ କରାଯାଉ ଥିବାର ବନବିଭାଗ ପକ୍ଷରୁ ସୂଚନା ମିଳିଛି । ପ୍ରବଳ ଥଣ୍ଡାକୁ ଖାତିର ନକରି ବନବିଭାଗ କର୍ମଚାରୀ ମାନେ ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷା ପାଇଁ ସର୍ବଦା ଚେଷ୍ଟିତ ରହିଛନ୍ତି ।  

ଏହା ମଧ୍ୟ ପଢ଼ନ୍ତୁ..... ପ୍ରବଳ ଜାଡରେ ଥରୁଛି ସାରା ଓଡ଼ିଶା; ବୌଦ୍ଧରେ ଜନଜୀବନ ଅସ୍ତବ୍ୟସ୍ତ, ଜି. ଉଦୟଗିରିରେ ସର୍ବାଧିକ ଥଣ୍ଡା

ଶିମିଳିପାଳ ଅଭୟାରଣ୍ୟରେ ତାପମାତ୍ରା ହ୍ରାସ ପାଇବା ଦ୍ବାରା ଗତ କିଛି ଦିନ ହେବ ସମଗ୍ର ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ଆଜି ମଧ୍ୟ ସକାଳୁ ସକାଳୁ ଦୀର୍ଘ ସମୟ ଧରି ଘନ ଘନ କୁହୁଡ଼ି ଲାଗି ରହିଥିଲା । ରାସ୍ତା ଘାଟ ଦେଖା ନଯିବା ଫଳରେ ବାଇକ, ଗାଡ଼ି ମଟର ଚଳାଚଳରେ ସମସ୍ୟା ସୃଷ୍ଟି ହେଉଥିଲା । ମୟୂରଭଞ୍ଜ ଜିଲ୍ଲାର ଚାରୋଟି ଉପଖଣ୍ଡ ଯଥା ରାଇରଙ୍ଗପୁର, କରଞ୍ଜିଆ, ଉଦଳା ଓ ବାରିପଦାରେ ପ୍ରବଳ ଶୀତ ଲାଗି ରହିଥିବା ବେଳେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡୁଥିବା ଦେଖିବାକୁ ମିଳିଛି । ଗରମ ପୋଷାକ କିଣିବା ପାଇଁ ଦୋକାନ ବଜାରରେ ଲୋକ ମାନଙ୍କର ଭିଡ଼ ଜମୁଛି । ଗାଁ ସହିତ ସହରରେ ମଧ୍ୟ ସ୍ଥାନେ ସ୍ଥାନେ ନିଆଁ ଲଗାଇ ଶୀତ ପ୍ରକୋପରୁ ଉପଶମ ଲାଭ କରୁଥିବା ବେଳେ ଯୁବ ବର୍ଗ ବ୍ୟାୟାମ ଓ ପ୍ରାତଃ ଭ୍ରମଣ କରୁଥିବା ଦେଖିବାକୁ ମିଳୁଛି । 

ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.