ମିଳୁନି RTI ତଥ୍ୟ, BDOଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା - ସୂଚନା ଅଧିକାର ଆଇନ
🎬 Watch Now: Feature Video
ଭଦ୍ରକ: ସୂଚନା ଅଧିକାର ଆଇନ ବଳରେ ଆବଶ୍ୟକ ତଥ୍ୟ ମିଳୁ ନଥିବାରୁ ଗ୍ରାମବାସୀଙ୍କ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା। ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଅନ୍ତର୍ଗତ ରାଜନଗର ପଞ୍ଚାୟତ ବାଲିଦାଣ୍ଡି ଗ୍ରାମର ଅଧିବାସୀ ଧାରଣାରେ ବସିଥିବା ନେଇ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଗ୍ରାମବାସୀ ମାନେ କରିଥିବା ଅଭିଯୋଗ ଅନୁଯାୟୀ ମୋ ପୋଖରୀ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, କାର୍ଯ୍ୟ ହୋଇଥିବା କେନାଲର ଲୋକେସନ ଆଦି ସମ୍ପର୍କରେ 2019 ରୁ 2023 ପର୍ଯ୍ୟନ୍ତ ମଷ୍ଟର ରୋଲ ବହି ଆଦିର ତଥ୍ୟ ଜାଣିବା ପାଇଁ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମଗାଯାଇଥିଲା । ହେଲେ ରିପୋର୍ଟ ନିର୍ଦ୍ଧାରିତ ସମୟରେ ନ ମିଳିବାରୁ ପ୍ରଥମ ଅପିଲ ଶୁଣାଣୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ କାର୍ଯ୍ୟାଳୟରେ କରାଯାଇଥିଲା ।
ତେବେ ଏହି ଶୁଣାଣୀ ପାଇଁ ଯେଉଁ ଚିଠି କରାଯାଇଥିଲା ତାହା ଆବେଦନକାରୀଙ୍କ ନିକଟରେ ବିଳମ୍ବରେ ପହଞ୍ଚିଥିଲା। ଫଳରେ ଆବେଦନକାରୀ ମାନେ ଏହା ପହଞ୍ଚିବା ପରଦିନ ସେମାନେ ଅବିଳମ୍ବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ (ବିଡିଓ) ଙ୍କ ନିକଟରେ ପହଞ୍ଚିଥିଲେ। ତିହିଡ଼ି ବ୍ଲକ ପ୍ରଶାସନ ସମସ୍ତ ତଥ୍ୟ ଦେବେ ବୋଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରତିଶ୍ରୁତି ଦେଇଥିଲେ । ହେଲେ ସପ୍ତାହ ରୁ ଅଧିକ ଦିନ ବିତି ଯାଇଥିଲେ ବି ଆଜି ଦିଆଯିବ କାଲି ଦିଆଯିବ କହି କହି ସମୟ ଗଡ଼ିଗଡ଼ି ଚାଲିଛି । ଯାହା ଫଳରେ ଗ୍ରାମବାସୀ ମାନଙ୍କ ମନରେ ଏହି ବିଳମ୍ବିତ ନେଇ ସନ୍ଦେହ ବୃଦ୍ଧି ପାଇବାରେ ଲାଗିଛି । ସରକାରୀ ଯୋଜନା ହଡ଼ପ ହୋଇଥିବାରୁ ପଞ୍ଚାୟତର ଅଧିକାରୀ ମାନେ ତଥ୍ୟ ଦେଉନାହାନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସାକ୍ଷାତ ଧାରଣାକାରୀ ମାନେ ନପାଇ ପାରିବାରୁ ସେମାନେ ଏନେଇ ଭଦ୍ରକ ଜିଲ୍ଲାପାଳ ଙ୍କୁ ଅବଗତ କରାଇଛନ୍ତି। ଏଥିସହ ଚଳିତ ମାସ 10 ତାରିଖ ଠାରୁ ଆମରଣ ଅନଶନରେ ବସିବେ ବୋଲି ଚେତାବନୀ ଦେଇଛନ୍ତି। ତେବେ ଏ ନେଇ ପ୍ରତିକ୍ରିୟା ନେବା ପାଇଁ ତିହିଡ଼ି ଗୋଷ୍ଠୀ ଉନ୍ନୟନ ଅଧିକାରୀ (ବିଡିଓ) ଙ୍କ ସହ ଯୋଗାଯୋଗ କରାଯାଇଥିଲା। ହେଲେ ସେ କ୍ୟାମେରା ଆଗରେ କୌଣସି ପ୍ରତିକ୍ରିୟା ପ୍ରକାଶ କରିବାକୁ ମନା କରି ଦେଇଥିବା ବେଳେ ଯାହା ତଥ୍ୟ ପ୍ରଦାନ କରାଯାଉଛି ତାହାକୁ ଆବେଦନକାରୀ ମାନେ ଗ୍ରହଣ କରୁନାହାନ୍ତି ବୋଲି କହିଥିଲେ। ତଥାପି ପୁନର୍ବାର ଆଉ ଥରେ ଆଦେନକାର ଙ୍କ ଅଭିଯୋଗ ଉପରେ ତଦନ୍ତ କରାଯିବ ବୋଲି ସୂଚନା ଦେଇଥିଲେ। ସୂଚନା ଅଧିକାର କର୍ମୀ ଦେବେନ୍ଦ୍ର ନାୟକ ଙ୍କ ସମେତ ଅନ୍ୟାନ୍ୟ ଗ୍ରାମବାସୀମାନେ ଏହି ଧାରଣାରେ ବସିଛନ୍ତି।
ଇଟିଭି ଭାରତ, ଭଦ୍ରକ