ସୁନାର ଫସଲ ଉଜାଡି ଦେଲା ପଶ୍ଚିମା ଝଡ଼, ସହାୟତା ଅପେକ୍ଷାରେ ଚାଷି

By

Published : Mar 19, 2023, 10:25 PM IST

thumbnail

ମାଲକାନଗିରି: ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି ଝଡ଼ିବର୍ଷା । ମାଲକାନଗିରି ଜିଲ୍ଲାରେ ମଧ୍ୟ ପଶ୍ଚିମାଝଡ଼ ଉଜାଡ଼ି ଦେଇଛି ଅନେକ କିଛି । କାହାର ସୁନାର ଫସଲ ନଷ୍ଟ ହୋଇଛି ତ, କାହାର ମୁଣ୍ଡ ଉପର ଛାତ ଉଡାଇ ନେଇଛି ପଶ୍ଚିମା ଝଡ଼ । ଲଗାଣ ବର୍ଷାରେ ଚାଷ ଜମିରେ ଲହଡି ଭାଙ୍ଗୁଛି ବର୍ଷା ପାଣି । ମାଲକାନଗିରିର କୋଇଲିପାରି, ଦୂର୍ଗାଗୁଡା, ଏମଭି ୧୧ ଓ ଗମ୍ଫାକୁଣ୍ଡା ଗାଁରୁ ଆସିଛି ଏଭଳି ଦୃଶ୍ୟ ।

ଗତକାଲିର ବର୍ଷାରେ ମାଲାକାନଗିରିରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଘରଦ୍ବାର ଭାଙ୍ଗିବା ସହ ଚାଷ ଜମିରେ ପାଣି ପଶି ଯାଇଛି । ଏକର ଏକର ତରଭୁଜ ଯାହା ଅମଳ ହେବା ପାଇଁ ପ୍ରସ୍ତୁତ ହୋଇ ରହିଥିଲା, ସେସବୁ ଏବେ କ୍ଷେତରେ ଭାସୁଛି । ତରଭୁଜ ଚାଷୀଙ୍କ ମୁଣ୍ଡରେ ଚିନ୍ତା । ସୁନାର ଫସଲ ଉଜୁଡ଼ିବା ପରେ କେମିତି ସୁଝିବେ ଋଣ । ଏହାସହ କଲରା, ଲାଉ, ପୋଟଳ ଭଳି ବହୁ ଚାଷଜମିରେ ପାଣି ପଶି କ୍ଷୟକ୍ଷତି ହୋଇଛି । ଚାଷ ଜମିରେ ପାଣି ପଶି ଜମିରେ ପାଣି ଢେଉ ଖେଳୁଛି । ଫଳରେ ଚାଷିମାନେ ମୁଣ୍ଡରେ ହାତ ଦେଇଛନ୍ତି । ବର୍ତ୍ତମାନ ସେମାନେ ସରକାରଙ୍କ ସାହାଯ୍ଯକୁ ଚାହିଁ ରହିଥିବା କହିଛନ୍ତି । ଆଜି ସକାଳୁ ବର୍ଷା କମିବା ପରେ ରାଜସ୍ବ ଅଧିକାରୀ (ଆର୍‌ଆଇ) ଓ କୃଷି ବିଭାଗର କିଛି ଅଧିକାରୀ ଚାଷିମାନଙ୍କ ସହ ସାକ୍ଷାତ କରିଛନ୍ତି । ଚାଷୀମାନଙ୍କର ସମସ୍ତ କ୍ଷୟକ୍ଷତିର ଆକଳନ କରି ସରକାରଙ୍କୁ ଜଣାଇବେ ବୋଲି କହିଛନ୍ତି ଜିଲ୍ଲା କୃଷି ଅଧିକାରୀ ।  

ଇଟିଭି ଭାରତ, ମାଲକାନଗିରି

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.