thumbnail

By

Published : May 19, 2023, 5:28 PM IST

ETV Bharat / Videos

ଜଉ କଣ୍ଢେଇଙ୍କ ଜମିଲା ଚତୁର୍ଥୀ ଭୋଜି

ବାଲେଶ୍ବର: ବାଲେଶ୍ଵରର ଆଇ ଟି ଆଇ ପଡ଼ିଆରେ 5ଦିନ ଧରି ଚାଲିଥିବା ଜଉକଣ୍ଢେଇ ବାହାଘର ଲୋକ ଉତ୍ସବ ଶେଷ ହୋଇଛି ।  ତେବେ ଗତକାଲିର ଏହି ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଫକୀର ମୋହନ ବିଶ୍ୱବିଦ୍ୟାଳୟର କୁଳପତି ଡ଼ଃ ସନ୍ତୋଷ କୁମାର ତ୍ରିପାଠୀ ଯୋଗଦେଇ ଥିଲେ । ସେ ତାଙ୍କର ଅଭିଭାଷଣରେ କହିଥିଲେ ଯେ, ଏ ମାଟିର ପ୍ରତିଟି ପ୍ରାଣ ସ୍ପନ୍ଦନରେ ଯେମିତି ସବୁବେଳେ ସ୍ପନ୍ଦିତ ହୁଏ ଭାଷା, ସାହିତ୍ୟ ଓ ସଂସ୍କୃତି । ସେମିତି ଜଉ କଣ୍ଢେଇ ବାହାଘର ଆଜି ଏକ ଲୋକପର୍ବରେ ପରିଣତ ହୋଇପାରିଥିବାରୁ ମୁଁ ବିଶେଷ ଆନନ୍ଦିତ । ସମ୍ମାନିତ ଅତିଥି ଭାବରେ ଆଇଟିଆରର ସହକାରୀ ନିର୍ଦ୍ଦେଶକ ନୀଳାଦ୍ରି ରାୟ, ମୁଖ୍ୟ ବକ୍ତା କବି ପ୍ରଶାନ୍ତ ଦାସ, ବିଶିଷ୍ଟ ଚଳଚ୍ଚିତ୍ର ସଙ୍ଗୀତ ନିର୍ଦ୍ଦେଶକ ସୁବାସ ରାମ ଯୋଗ ଦେଇଥିଲେ ।  

ଶେଷ ଦିନର ଉତ୍ସବରେ ବର ଚନ୍ଦ୍ରଭାନୁର ପିତାମାତା ହୋଇଥିବା ଶମ୍ଭୁନାଥ ଦାସ ଓ ଅନାମିକା ଦାସ ଏବଂ କନ୍ୟା ଲାବଣ୍ୟବତୀର ପିତାମାତା ସୁଶାନ୍ତ ବିଶ୍ୱାଳ ଓ ସୋନାଲି ବିଶ୍ୱାଳ ଉପସ୍ଥିତ ହୋଇ ସେମାନଙ୍କର ଓ ଗ୍ରାମବାସୀଙ୍କର ସୁଖାନୁଭୁତି ସମ୍ପର୍କରେ ମନ୍ତବ୍ୟ ପ୍ରକାଶ କରିଥିଲେ । କନ୍ୟା ଲାବଣ୍ୟବତୀର ଗାଁ ପାତ୍ରପଡ଼ା ଓ ବର ଚନ୍ଦ୍ରଭାନୁର ଅଞ୍ଚଳ କଲୋନୀରୁ ବହୁ ନିମନ୍ତ୍ରିତ ବ୍ୟକ୍ତି ଯୋଗ ଦେଇ ଚତୁର୍ଥୀ ଭୋଜିର ଆନନ୍ଦ ନେଇଥିଲେ । ବାରିକ ସଂଘର ସମ୍ପାଦକ ବିମଳ ଜେନା ବାରିକ ଭାବରେ ଏବଂ କୁଳ ପୁରୋହିତ ଭାବରେ ବିମଳ ପଣ୍ଡା ଆଦି ଏହି ବିବାହ କାର୍ଯ୍ୟ ସମ୍ପନ୍ନ କରିବାରେ ଯୋଗଦାନ କରିଥିଲେ । କନ୍ୟାଘର ପକ୍ଷରୁ ପଚାଶରୁ ଊର୍ଦ୍ଧ୍ବ ପୁରୁଷ ଓ ମହିଳା ବିଭିନ୍ନ ପ୍ରକାର ଚଉଠି ଭାର ନେଇ ଆଇଟିଆଇ ପଡିଆରେ ପହଞ୍ଚି ଥିଲେ ।  

ବର ପକ୍ଷରେ ସେମାନଙ୍କୁ ଆଇଟିଆଇ ପଡ଼ିଆରେ ମହିଳାମାନେ ଶଙ୍ଖ ହୁଳହୁଳି ଦେଇ ପାଛୋଟି ନେଇଥିଲେ । କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କର ମହାନ କାବ୍ୟର ନାୟିକା ଲାବଣ୍ୟବତୀ ଓ ନାୟକ ଚନ୍ଦ୍ରଭାନୁଙ୍କର ବିବାହ ଉଦ୍ଦେଶ୍ୟରେ ଏକ ସ୍ମୃତିଭୋଜି ଆୟୋଜନ କରାଯାଇଥିଲା ଯେଉଁଥିରେ ବର ଓ କନ୍ୟାପକ୍ଷର ପ୍ରମୁଖ ବ୍ୟକ୍ତିମାନଙ୍କ ସମେତ ବାଲେଶ୍ୱର ସହରର ଅନେକ ବୁଦ୍ଧିଜୀବୀ, ଶିଳ୍ପପତି, ସାମାଜିକ ସାଂସ୍କୃତିକ, ଓ ସାହିତ୍ୟ ଜଗତର ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ। ଶେଷ ସନ୍ଧ୍ୟାର ସଭାରେ ଜଉକଣ୍ଢେଇ ଉତ୍ସବ ସମିତିର ସଭାପତି ସୁବାସିନୀ ଜେନା ସଭାପତି ଦାୟିତ୍ୱ ନିର୍ବାହ କରିଥିବା ବେଳେ ସମ୍ପାଦକ ଡ଼ଃ କୁମାର ଗୋପାଳ ପ୍ରାକକଥା ଓ ଅନ୍ୟତମ ସଦସ୍ୟ ଶ୍ରୀଯୁକ୍ତ ରାଜେଶ କୁମାର ଗିରି ଧନ୍ୟବାଦ ଅର୍ପଣ କରିଥିଲେ ।  

ଇଟିଭି ବାରତ, ବାଲେଶ୍ବର 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.