ଉଦଯାପିତ ହେଲା ରାଜ୍ୟ ହସ୍ତତନ୍ତ ମେଳା, ପାରମ୍ପରିକ ଶାଢ଼ୀର ଅଧିକ ଚାହିଦା - ବୌଦ୍ଧ ରାଜ୍ୟ ହସ୍ତତନ୍ତ ମେଳା
🎬 Watch Now: Feature Video
Published : Jan 14, 2024, 7:01 AM IST
ବୌଦ୍ଧ: ଉଦଯାପିତ ହେଲା ରାଜ୍ୟସ୍ତରୀୟ ହସ୍ତତନ୍ତ ମେଳା ପ୍ରଦର୍ଶନୀ । ଜିଲ୍ଲା ତଥା ରାଜ୍ୟ ସମେତ ଦେଶର ବିଭିନ୍ନ ଅଞ୍ଚଳର ପାରମ୍ପରିକ ବୟନ ସାମଗ୍ରୀ ଏଠାରେ ପ୍ରଦର୍ଶିତ ହୋଇଥିବା ବେଳେ ଶନିବାର ଏହି ମେଳା ଉଦଯାପିତ ହୋଇଯାଇଛି । ଜିଲ୍ଲା ଗଠନର ୩୦ ବର୍ଷ ପୂର୍ତ୍ତି ଅବସରରେ ଗତ ଜାନୁଆରୀ ୨ ତାରିଖ ଦିନ ଏହି ମେଳା ଉଦଘାଟିତ ହୋଇଥିଲା । କାଶ୍ମୀରର ପ୍ରସିଦ୍ଧ ବୟନ ସାମଗ୍ରୀଠାରୁ ନେଇ ବନାରସୀ ପାଟ ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳର ପାରମ୍ପରିକ ବୟନ ସାମଗ୍ରୀ ସମେତ ବୌଦ୍ଧ ଜିଲ୍ଲାର ପାଟସୂତାରୁ ପ୍ରସ୍ତୁତ ବାନ୍ଧ ଶାଢୀ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା ।
ଏହା ବି ପଢନ୍ତୁ- ବୌଦ୍ଧରେ ପ୍ରଥମ ଥର ଚିତ୍ରକଳା ପ୍ରଦର୍ଶନୀ ଆୟୋଜିତ
ବାନ୍ଧ କଳାକୁ ନେଇ ଜାତୀୟ ସ୍ତରରେ ବୌଦ୍ଧ ଜିଲ୍ଲାର ରହିଛି ସ୍ବତନ୍ତ୍ର ପରିଚୟ । ଗଡ଼ଜାତ ଶାସନ କାଳରୁ ବାନ୍ଧ କଳାରେ ବେଶ ସୁନାମ ଅର୍ଜନ କରିଆସିଛି ବୌଦ୍ଧ ଜିଲ୍ଲା । ଜିଲ୍ଲାର ବାପ୍ତା ଶାଢୀ ଓ ଟସର ଶାଢ଼ୀବନ୍ଧା କାର୍ଯ୍ୟ ଏକଦା ଦିଲ୍ଲୀ ଦରବାରରେ ଉଚ୍ଚ ପ୍ରଶଂସିତ ହୋଇଥିଲା । ଜିଲ୍ଲାର ସଦର ବୁଟୁପାଲି, ମର୍ଜାକୁଦ ସମେତ ବାଘପାଲି, ମଥୁରା, ନାରାୟଣ ନଗର, ସାହାଜପାଲ, ବାଉଶୁଣୀ ଗବଯୋର, ମନମୁଣ୍ଡା, ଗୁଡଭେଲିପଦର ଭଳି ଅନେକ ଗ୍ରାମରେ ଭୁଲିଆ ସମ୍ପ୍ରଦାୟର ଲୋକେ ପାରମ୍ପରିକ ପଦ୍ଧତିରେ ବାନ୍ଧ ଶାଢୀ ପ୍ରସ୍ତୁତ କରୁଛନ୍ତି । ଜିଲ୍ଲାର ବାନ୍ଧ ସାମଗ୍ରୀକୁ ଅଧିକ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ସ୍ଥାନୀୟ କୃଷକ ବଜାରଠାରେ ପ୍ରତ୍ୟେକ ରବିବାର ବୁଣାକାର ହାଟରେ ବ୍ୟବସ୍ଥା କରିଛନ୍ତି । ଜିଲ୍ଲାରେ ବାନ୍ଧ ଶିଳ୍ପର ସ୍ବତନ୍ତ୍ର ଚାହିଦା ରହିଥିବା ଯୋଗୁଁ ଏଠାରେ ବିଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜିଲ୍ଲା ସଦର ମହକୁମାଠାରେ ଆୟୋଜିତ ହୋଇଛି ରାଜ୍ୟ ହସ୍ତତନ୍ତ ମେଳା ।
ଇଟିଭି ଭାରତ, ବୌଦ୍ଧ