ମହାପ୍ରଭୁଙ୍କୁ ଲାଗି ହେଲା ଚୁଡା ଘଷା ଭୋଗ, ଆଜି ଅଧରପଣା - ମହାପ୍ରଭୁଙ୍କୁ ଲାଗି ହେଲା ଚୁଡା ଘଷା ଭୋଗ

🎬 Watch Now: Feature Video

thumbnail

By

Published : Jun 30, 2023, 7:36 AM IST

ପୁରୀ: ଏକାଦଶୀ ତିଥିରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହୋଇଯାଇଛି । ତେବେ ଏକାଦଶୀରେ ରଥାରୂଢ଼ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଠାରେ  ବିଶେଷ ଭୋଗ ଲାଗିବାର ପରମ୍ପରା ରହିଛି । ମହାପ୍ରଭୁଙ୍କୁ ଚୁଡ଼ା ଘଷା ଭୋଗ ଲାଗି ହୋଇଥାଏ  । ଏହା ବଡଖିଆ ଠାକୁରଙ୍କ ଅନ୍ୟତମ ପ୍ରିୟ ଖାଦ୍ୟ । ସୁନାବେଶ ତଥା ଏକାଦଶୀରେ ହଜାର ହଜାର ଭକ୍ତ ମହାପ୍ରଭୁଙ୍କ ପ୍ରିୟ ଚୁଡ଼ା ଘଷା ପ୍ରସ୍ତୁତ କରି ରଥ ଆଗରେ ଭୋଗ ଭାବେ ଲଗାଇଛନ୍ତି । ବିଶେଷକରି ପୁରୀ ବାସିନ୍ଦା ଓ ବିଭିନ୍ନ ମଠ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଚୁଡ଼ା ଘଷା ଭୋଗ କରାଯାଇଥାଏ । ଅନେକ ଭକ୍ତ ମଧ୍ୟ ଛେନା, କ୍ଷୀର କଦଳୀ, ବିଭିନ୍ନ ଫଳ ଭୋଗ ଲାଗି କରିଥାନ୍ତି । କାଳିଆ ସାଆନ୍ତେଙ୍କ ଠାରେ ଚୁଡ଼ା ଘଷା ଭୋଗ କରି ଆନନ୍ଦିତ ହୋଇଛନ୍ତି ଭକ୍ତ । ସେପଟେ ସୁନାବେଶ ଉଲାଗୀ ପରେ ରଥ ଉପରେ ମହାପ୍ରଭୁଙ୍କ ଚନ୍ଦନ ଲାଗି, ବଡସିଂହାର ବେଶ, ବଡସିଂହାର ଭୋଗ ଓ ରାତ୍ର ପହୁଡ଼ ନୀତି ସମ୍ପନ୍ନ ହୋଇଛି  ।

ଆଜି ମହାପ୍ରଭୁଙ୍କ ଅଧର ପଣା ନୀତି ଅନୁଷ୍ଠିତ ହେବ । ଦୈନନ୍ଦିନ ନୀତିକାନ୍ତି ଭଳି ସକାଳୁ ମଙ୍ଗଳ ଆଳତି, ମଇଲମ, ତଡ଼ପ ଲାଗି, ଅବକାଶ ଆଦି ବିଭିନ୍ନ ନୀତିକାନ୍ତି ବଢି ଦିନ ସାଢେ ୩ଟାରୁ ସାଢେ ୪ଟା ଯାଏଁ ମଧ୍ୟାହ୍ନ ଧୂପ ହେବ । ପରେ ମହାପ୍ରଭୁଙ୍କ ଅଧରପଣା ନୀତି ଅନୁଷ୍ଠିତ ହେବ । ରାତି ୮ଟାରେ ଅଧର ନୀତି ଶେଷ ହେବ । ପରେ ମହାପ୍ରଭୁଙ୍କ ମହାସ୍ନାନ, ସନ୍ଧ୍ୟା ଆଳତୀ, ସନ୍ଧ୍ୟା ଧୂପ, ବଡସିଂହାର ବେଶ, ଭୋଗ ଓ ପରେ ରାତି ୨ଟାରେ ରାତ୍ର ପହୁଡ଼ ନୀତି ହେବ । ଶନିବାର ତ୍ରୟୋଦଶୀ ତିଥିରେ ମହାବାହୁ ନିଳାଦ୍ରୀ ବିଜେ କରିବେ  । ଅପରାହ୍ନ ୪ଟାରୁ ପହଣ୍ଡି ଆରମ୍ଭ ହେବ ।

ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.