thumbnail

By ETV Bharat Odisha Team

Published : Oct 20, 2023, 6:24 PM IST

ETV Bharat / Videos

Sasthi Puja Maa Sureswari: ବଗଳା ବେଶରେ ଦର୍ଶନ ଦେଉଛନ୍ତି ଦେବୀ ସୁରେଶ୍ବରୀ

ସୁବର୍ଣ୍ଣପୁର: ଆଜି ଆଶ୍ବିନ ଶୁକ୍ଳ ଷଷ୍ଠୀ । ସୋନପୁର ଗଡଜାତର ଇଷ୍ଟ ଦେବୀ ମା’ ସୁରେଶ୍ବରୀ ବଗଳା ବେଶ ଧାରଣ କରି ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେଉଛନ୍ତି । ସୋନପୁର ଗଡଜାତର ମହାବଳୀ ଯାତ୍ରାର କେନ୍ଦ୍ରବିନ୍ଦୁ ପାଲଟିଥିବା ସୋନପୁର ଗଡଜାତର ଇଷ୍ଟଦେବୀ ମା’ ସୁରେଶ୍ବରୀ ଭିନ୍ନ ଭିନ୍ନ ବେଶ ଧାରଣ କରି ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଉଛନ୍ତି । ଆଜି ଶୁକ୍ଲ ଷଷ୍ଠୀ ତିଥିରେ ଦେବୀ ମା’ ବଗଳା ବେଶ ଧାରଣ କରିଛନ୍ତି । ଆସନ୍ତାକାଲି ଶୁକ୍ଳ ସପ୍ତମୀ ତିଥିରେ ଦେବୀ ମା’ ଜୟଦୁର୍ଗା ବେଶ ଧାରଣ କରିବେ ।

ଅଧିକ ପଢନ୍ତୁ- ଧୁମଧାମରେ ଚାଲିଛି ମହାବଳୀ ଯାତ୍ରା, ଭୁବନେଶ୍ଵରୀ ବେଶରେ ମା’ ସୁରେଶ୍ବରୀ

ଦେବୀ ମା’ ସୁରେଶ୍ବରୀ ଅମାବାସ୍ୟା ତିଥୀରେ ଧବଳମୁଖୀ, ଶୁକ୍ଳ ପ୍ରତିପଦ ତିଥିରେ ମହାକାଳୀ , ଦ୍ବିତୀୟାରେ ତାରା, ତୃତୀୟାରେ ଷୋଡଶୀ ବା ତ୍ରୀପୁରା ସୁନ୍ଦରୀ ଚତୁର୍ଥୀରେ ଭୈରବୀ , ପଞ୍ଚମୀରେ ବଗଳା ବେଶ ଧାରଣ କରି ଦର୍ଶନ ଦେଇଥିଲେ । ଆଗକୁ ଦେବୀ ମା ଜୟଦୁର୍ଗା , ମହିଷା ମର୍ଦ୍ଦିନୀ, ଧୂମାବତୀ ଓ ରାଜରାଜେଶ୍ବରୀ ଆଦି ବେଶ ଦଶମୀ ତିଥି ଯାଏଁ ଧାରଣ କରିବେ । ରକ୍ତମୁଖା ଦେବୀ ମା’ ସୁରେଶ୍ବରୀଙ୍କ ସଶରୀର ତମାମ ବର୍ଷ ସିନ୍ଦୁର ପ୍ରଲେପ କରାଯାଉଥିବା ବେଳେ ଏବେ ମାଙ୍କୁ ଅଗୁର,ଚନ୍ଦନ, କର୍ପୁର,ଗଙ୍ଗାଜଳ ଆଦି ପ୍ରଲେପ ପ୍ରଦାନ କରାଯାଇ ଭିନ୍ନ ଭିନ୍ନ ବେଶ କରାଯାଉଛି । ସକାଳୁ ସକାଳୁ ଏହି ଦେବୀ ପୀଠରେ ଦେବୀଙ୍କ ଭୁବନେଶ୍ବରୀ ବେଶ ଦର୍ଶନ କରିବା ସହିତ ଦେବୀ କୃପା ଲାଭ କରିବାକୁ ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି । ହଜାର ହଜାର ଶ୍ରଦ୍ଧାଳୁ ଗତ 10 ତାରିଖରୁ ଆରମ୍ଭ ହୋଇଥିବା ସପ୍ତସତୀ ଚଣ୍ଡୀ ମହାଯଜ୍ଞରେ ସାମିଲ ହୋଇ ଦୀପ ଯଜ୍ଞରେ ସାମିଲ ହେଉଛନ୍ତି । ତମାମ ଦିନ ପ୍ରାୟ ଆଠ ଘଣ୍ଟା ଯାଏଁ ଚଣ୍ଡୀପାଠ କରାଯାଉଥିବା ବେଳେ ଦେବୀ ମା’ ସୁରେଶ୍ବରୀଙ୍କ ନାଁରେ ଆହୂତି ପ୍ରଦାନ କରାଯାଉଛି । 

ପ୍ରାତଃରେ ବାଳଭୋଗ ଯଜ୍ଞ ତଥା ମଧ୍ୟାନ୍ନରେ ଶ୍ରଦ୍ଧାଳୁମାନେ ଦେବୀଙ୍କ ପୀଠରେ ଅନ୍ନ ଯଜ୍ଞରେ ନିଜକୁ ସାମିଲ କରି ଦେବୀକୃପା ସାଉଁଟିବାର ସୁଯୋଗ ନେଉଛନ୍ତି । ପ୍ରତିଦିନ ସଂଧ୍ୟାରେ ଦେବୀ ପୀଠରେ ସଂଧ୍ୟା ଆରତୀ ସହତି ଦେବୀ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ବେଶ ଭିଡ ହେଉଛି । ଜିଲ୍ଲା ଦେବୋତ୍ତର ବିଭାଗ, ମନ୍ଦିର କମିଟି, ବଳୀଯାତ୍ରା କମିଟି ପକ୍ଷରୁ ସଂଧ୍ୟାରେ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ବଳୀଯାତ୍ରା ଓ ଦେବୀ ପୀଠରେ ଶ୍ରଦ୍ଧାଳୁଙ୍କ ସମାଗମକୁ ଆଖି ଆଗରେ ରଖି ସୁରକ୍ଷା କର୍ମିୀଙ୍କୁ ମୁତୟନ କରାଯାଇଛି । ସଂଧ୍ୟାରେ ଦେବୀ ପୀଠରେ ବିଭିନ୍ନ ପ୍ରକାରର ଆଧ୍ୟାତ୍ମିକ-ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.