thumbnail

ରାୟଗଡାରେ ଜବରଦଖଲକାରୀଙ୍କ ଘର ଉଚ୍ଛେଦ କଲା ରେଳ ବିଭାଗ

By

Published : Mar 30, 2023, 11:15 AM IST

ରାୟଗଡା: ରେଳବାଇ ବିଭାଗ ପକ୍ଷରୁ ଦ୍ବିତୀୟ ଥର ଆରମ୍ଭ ହେଲା ଜବରଦଖଲ ଉଚ୍ଛେଦ ଅଭିଯାନ । ପୋଲିସ ଏବଂ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ମାଟିରେ ମିଶିଲା ଜବରଦଖଲକାରୀଙ୍କ ଘର । ରେଳବାଇ ବିଭାଗର ଜମିରେ ଦୀର୍ଘ ବର୍ଷ ଧରି ଜବରଦଖଲ କରି ରହି ଆସୁଥିବାରୁ 12ଟି ଘରକୁ ଗତକାଲି ଉଚ୍ଛେଦ କରାଯାଇଛି।  ଏନେଇ 2 ମାସ ପୂର୍ବରୁ ରେଳ ବିଭାଗ ଲୋକଙ୍କୁ ନୋଟିସ ଜାରି କରିଥିଲା । କିନ୍ତୁ ଲୋକେ ନ ଉଠିବାରୁ କେନ୍ଦ୍ର ସରକାରଙ୍କ ନିୟମାନୁଯାୟୀ ଦ୍ବିତୀୟ ଥର ଜବର ଦଖଲ ଉଚ୍ଛେଦ କରାଯାଇଥିବା ବିଭାଗୀୟ ଅଧିକାରୀ ସଂଜୀବ ଦୀକ୍ଷିତ କହିଛନ୍ତି । 

ରେଳ ବିଭାଗର ନୂତନ ଡିଭିଜନ ଭିତ୍ତିଭୂମି ପାଇଁ ପ୍ରାୟ 300 କୋଟି ଟଙ୍କା ଅନୁଦାନ ଆସି ସାରିଛି । ଏନେଇ ଖୁବଶୀଘ୍ର ଏହି କାମ ଆରମ୍ଭ ହେବ । ରାୟଗଡା ଜିଲ୍ଲାରେ ପ୍ରାୟ ରେଳବାଇ ଜମିକୁ 1093 ପରିବାର ଜବରଦଖଲ କରିଥିବା ବେଳେ ଖୁବଶୀଘ୍ର ଏ ସମସ୍ତ ଜମିକୁ ସେମାନଙ୍କ କବଜାରୁ ରେଳବାଇ ଜମି ଫେରାଇ ଆଣିବ ବୋଲି ସୂଚନା ମିଳିଛି । ଅନ୍ୟପଟେ ଗୁଣୁପୁରରେ ମଧ୍ୟ ରେଳ ବିଭାଗର ଜମିରେ ସରକାରଙ୍କ ବିଭିନ୍ନ ଯୋଜନାରେ ଲୋକଙ୍କୁ ଅନୁଦାନ ସହ ଜମି ପଟ୍ଟା ମଧ୍ୟ ଦିଆଯାଇଛି ।

ସେଠାରେ ମଧ୍ୟ ଜବର ଦଖଲ କାମ ଖୁବଶୀଘ୍ର ଆରମ୍ଭ ହେବ ବୋଲି କହିଛନ୍ତି ରେଳବାଇ ଅଧିକାରୀ । କେବଳ ରାୟଗଡା ବା ଗୁଣପୁର ନୁହଁ ଜିଲ୍ଲାର ସମସ୍ତ ରେଳ ବିଭାଗ ଜମିରୁ ଜବର ଦଖଲ ଉଚ୍ଛେଦ ହେବ । ଏଠି ପ୍ରଶ୍ନ ଉଠୁଛି ଗୁଣୁପୁରରେ ଥିବା ଜମି ଯଦି ରେଳ ବିଭାଗର ତେବେ ଏହା କେମିତି ଓ ଏହା କାହା ସ୍ୱାର୍ଥରେ ରାଜ୍ୟ ସରକାର ଏହାକୁ ଜବର ଦଖଲକାରୀଙ୍କୁ ପ୍ରଦାନ କଲେ । ଏଥିସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅର୍ଥ ଦିଆଗଲା କେମିତି । କଣ ସେ ଜମି ରେଳ ବିଭାଗର ବୋଲି ତହସିଲ ଏବଂ ପୌର ପରିଷଦ ଜାଣି ନଥିଲେ କି ? ବର୍ତ୍ତମାନ ଲୋକଙ୍କ ଜୀବନ ଏବଂ ଜୀବିକା ପାଇଁ କିଏ ଦାୟୀ ରହିବେ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି ।  

ଇଟିଭି ଭାରତ, ରାୟଗଡା

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.