ଭାଇ-ଭଉଣୀଙ୍କ ବରଫ ଖେଳ, ପ୍ରିୟଙ୍କାଙ୍କ ଉପରେ ବରଫ ଫିଙ୍ଗିଲେ ରାହୁଲ - ରାହୁଲ ପ୍ରିୟଙ୍କାଙ୍କ ବରଫ ଖେଳ
🎬 Watch Now: Feature Video
ଶ୍ରୀନଗର: ଭାରତ ଯୋଡ ଯାତ୍ରାର ଶେଷ ଦିନରେ ଆଜି ଜମ୍ମୁ-କାଶ୍ମୀରର ଶ୍ରୀନଗରରେ ପ୍ରବଳ ତୁଷାରପାତ ହୋଇଛି । ଏହି ସମୟରେ ରାହୁଲ ଗାନ୍ଧୀ ଓ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କର ଏକ ସୁନ୍ଦର ଦୃଶ୍ୟ ସାମ୍ନାକୁ ଆସିଛି । ଏଠାରେ ରାହୁଲ ଭଉଣୀ ସହ ବରଫରେ ଖେଳୁଥିବାର ନଜର ଆସିଛନ୍ତି । ଦୁଇ ଭାଇ-ଭଉଣୀ ପରସ୍ପର ଉପରେ ବରଫ ଫିଙ୍ଗି ମଜା କରିଛନ୍ତି । ରାହୁଲ ପ୍ରିୟଙ୍କାଙ୍କ ଉପରେ ବରଫ ଫିଙ୍ଗି ପଳାଇ ଯିବାପରେ ପ୍ରିୟଙ୍କା ମଧ୍ୟ ତାଙ୍କ ପଛରେ ଗୋଡାଇ ଗୋଡାଇ ବରଫ ଫିଙ୍ଗୁଥିବାର ଦେଖିବାକୁ ମିଳିଛି । ତୁଷାରପାତ ସମୟରେ ରାହୁଲ ଓ ପ୍ରିୟଙ୍କା ବରଫ ସହ ଖେଳୁଥିବାର ଏହି ଦୃଶ୍ୟ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି ।
ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ଚାଲୁଥିବା ଭାରତ ଯୋଡ ଯାତ୍ରାର ଆଜି ଅନ୍ତିମ ଦିନ । ଦୀର୍ଘ ଦିନର ପଦଯାତ୍ରାରେ ଆଜି ବିରାମ ଲାଗିଛି । ଜମ୍ମୁ-କାଶ୍ମୀରର ଶ୍ରୀନଗର ସ୍ଥିତ କଂଗ୍ରେସ ପାର୍ଟି ଅଫିସ ଜାତୀୟ ପତାକା ଉତ୍ତୋଳନ ସହିତ ଏହି ପଦଯାତ୍ରାର ସମାପନ ଉତ୍ସବ ଆରମ୍ଭ ହୋଇଛି । ଏହି ଅବସରରେ କଂଗ୍ରେସ ପକ୍ଷରୁ ଶେର-ଇ-କାଶ୍ମୀର କ୍ରିକେଟ ଷ୍ଟାଡିୟମରେ ଏକ ବିଶାଳ ରାଲି ଆୟୋଜନ କରାଯାଇଛି । ଏହି ରାଲିରେ ବହୁ କଂଗ୍ରେସ କର୍ମୀଙ୍କ ସହ ଡିଏମକେ, ଏନସିପି, ଆରିଜେଡି, କେରଳ କଂଗ୍ରେସ, ସିପିଆଇଏମ, ସିପିଆଇ, ଶିବସେନା, ନ୍ୟାସନାଲ କନଫରେନ୍ସ,ପିପୁଲ୍ସ ଡେମୋକ୍ରାଟିକ ପାର୍ଟି ଭଳି ଅନେକ ବିରୋଧି ଦଳ ସାମିଲ ହୋଇଛନ୍ତି । ।
ସେପ୍ଟେମ୍ବର ୭ରୁ ତାମିଲନାଡୁର କନ୍ୟାକୁମାରୀରୁ ଆରମ୍ଭ ହୋଇଥିଲା କଂଗ୍ରେସର ଭାରତ ଯୋଡ ଯାତ୍ରା । ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ୧୩୫ ଦିନର ଏହି ବିଶାଳ ପଦଯାତ୍ରା ୧୨ଟି ରାଜ୍ୟ ଓ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ଦେଇ ୩,୯୭୦ କିଲୋମିଟର ଅତିକ୍ରମ କରିବା ପରେ ଆଜି ଶ୍ରୀନଗରରେ ଶେଷ ହୋଇଛି । ଏହି ପଦଯାତ୍ରା ସମୟରେ ରାହୁଲ କେବଳ ଏକ ଧଳା ରଙ୍ଗର ଟି-ସାର୍ଟରେ ନଜର ଆସିଥିଲେ । ହାଡଭଙ୍ଗା ଜାଡ ଭିତରେ ମଧ୍ୟ କଂଗ୍ରେସ ନେତା ଜ୍ୟାକେଟ ପିନ୍ଧିନଥିଲେ । ଆଜି ଶ୍ରୀନଗରରେ ଭାରତ ଯୋଡ ଯାତ୍ରାର ଅନ୍ତିମ ଦିନରେ ପ୍ରବଳ ତୁଷାରପାତ ହୋଇଥିବା ବେଳେ ଏହି ସମୟରେ ରାହୁଲଙ୍କୁ ଏକ ସ୍ଲିଭଲେସ୍ ଜ୍ୟାକେଟରେ ଦେଖିବାକୁ ମିଳିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ