ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ଅଭିଯୋଗ, ରାସ୍ତାରୋକ ସହ କ୍ଷତିପୂରଣ ଦାବି

By ETV Bharat Odisha Team

Published : Sep 13, 2023, 7:55 AM IST

thumbnail

ଫୁଲବାଣୀ: ଶିଶୁ ମୃତ୍ୟୁକୁ ନେଇ ରାସ୍ତା ରୋକ । ଟାୟାର ଜାଳି ରାସ୍ତାରୋକ ସହ କ୍ଷତିପୂରଣ ଦାବି । ଫୁଲବାଣୀ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଜଣେ ଶିଶୁଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଡାକ୍ତରଙ୍କ ଅବହେଳାରୁ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ କରି ଗତକାଲି(ମଙ୍ଗଳବାର) ପରିବାର ସହ ସ୍ଥାନୀୟ ଲୋକେ ରାସ୍ତାରୋକ କରିଛନ୍ତି । 

ସୂଚନା ଅନୁଯାୟୀ, ସ୍ଥାନୀୟ ଶଗଡିଆ ସାହିରେ ରହୁଥିବା ରୁଚିନା ଦିଗାଲଙ୍କ ୯ ବର୍ଷର ପୁଅ ସମ୍ବିତଙ୍କ ଦେହ ଖରାପ ହେବାରୁ ତାଙ୍କୁ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ସମ୍ବିତଙ୍କ ମୃତ୍ୟୁ ହୋଇଥିଲା । ଏହାକୁ ନେଇ ପରିବାର ଲୋକଙ୍କ ଭିତରେ ଅସନ୍ତୋଷ ଦେଖା ଦେଇଥିଲା । ଡାକ୍ତରଙ୍କ ଅବହେଳାରୁ ପୁଅର ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ କରିଥିଲେ ସମ୍ପର୍କୀୟ । ଶିଶୁର ଚିକିତ୍ସା ପାଇଁ ରକ୍ତର ଆବଶ୍ୟକ ଥିବା ବେଳେ ଏନେଇ ଶେଷ ମୁହୂର୍ତ୍ତରେ ଡାକ୍ତର ପରିବାର ଲୋକଙ୍କୁ ସୂଚନା ଦେଇଥିଲେ ବୋଲି ଅଭିଯୋଗ କରିଛନ୍ତି ପରିବାର । 

ଏହା ମଧ୍ୟ ପଢ଼ନ୍ତୁ....ଚିକିତ୍ସା ଅବହେଳାରୁ ଡାକ୍ତରାଣୀଙ୍କ ମୃତ୍ୟୁ, ୧ କୋଟି ଜରିମାନା ଗଣିବ ହସ୍ପିଟାଲ

ସେପଟେ ଉତ୍ୟକ୍ତ ଲୋକେ ସ୍ଥାନୀୟ ଶଗଡିଆ ସାହିରେ ଟାୟାର ଜାଳି ରାସ୍ତାରୋକ କରିଥିଲେ । ଫଳରେ ଜାତୀୟ ରାଜପଥ ନଂ ୧୫୭ରେ ଯାତାୟାତ ବ୍ୟାହତ ହୋଇଥିଲା । କର୍ତ୍ତବ୍ୟରେ ଅବହେଳା କରିଥିବା ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ କ୍ଷତିପୂରଣ ଦାବି କରିଥିଲେ ପରିବାର ଓ ସ୍ଥାନୀୟ ଅଞ୍ଚଳ ଲୋକ । ତେବେ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିବା ସହ ଲୋକଙ୍କୁ ବୁଝାସୁଝା କରିଥିଲା । ଏହାସହ ୩ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକରୁ ଓହରିଥିଲେ  ସ୍ଥାନୀୟ ଲୋକେ।

ଇଟିଭି ଭାରତ, କନ୍ଧମାଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.