ଉତ୍କଳ ଦିବସ ପରିବର୍ତ୍ତେ ପଶ୍ଚିମାଞ୍ଚଳର ଏକତାର ଦିନ ପାଳନ କଲା ପଶ୍ଚିମାଞ୍ଚଳ ଏକତା ମଞ୍ଚ - ପଶ୍ଚିମାଞ୍ଚଳ ଏକତା ମଞ୍ଚ
🎬 Watch Now: Feature Video
ସମ୍ବଲପୁର: ଆଜି ୮୭ତମ ଉତ୍କଳ ଦିବସ ପାଳନ କରୁଛି ଓଡ଼ିଶା । କିନ୍ତୁ ସମ୍ବଲପୁରରେ ଉତ୍କଳ ଦିବସ ପରିବର୍ତ୍ତେ ପଶ୍ଚିମାଞ୍ଚଳର ଏକତାର ଦିନ ପାଳନ କଲା ପଶ୍ଚିମାଞ୍ଚଳ ଏକତା ମଞ୍ଚ l ଏପ୍ରିଲ ୧ ଉତ୍କଳ ଦିବସ ହୋଇଥିବା ବେଳେ "ପଶ୍ଚିମାଞ୍ଚଲ୍ ର ଏକତା ର୍ ଦିନ୍" ଭାବେ ପାଳନ କରୁଛି ଏହି ମଞ୍ଚ । ସମ୍ବଲପୁର ଉତ୍ତରାଞ୍ଚଳ ରାଜସ୍ବ କମିଶନ(ଆର୍ଡିସି) କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ପଶ୍ଚିମାଞ୍ଚଳର ଏକତାର ଦିନ ପାଳନ କରାଯାଇଛି । ମାନବ ଶୃଙ୍ଖଳା କରି ବିଭିନ୍ନ ଅନୁଷ୍ଠାନର ଶତାଧିକ କର୍ମକର୍ତ୍ତା ଏହି ଦିବସ ପାଳନ କରିଛନ୍ତି । ସ୍ୱାଧୀନତା ପରବର୍ତ୍ତୀ ସମୟରୁ ରାଜ୍ୟରେ ଯେଉଁ ସରକାର ଶାସନ କରିଛନ୍ତି ସମସ୍ତେ ପଶ୍ଚିମାଞ୍ଚଳ ପ୍ରତି ବୈମାତୃକ ମନୋଭାବ ପୋଷଣ କରି ଆସିଛନ୍ତି ବୋଲି ମଞ୍ଚ ଅଭିଯୋଗ କରିଛି । ପଶ୍ଚିମାଞ୍ଚଳ ଚିରାଚରିତ ଢଙ୍ଗରେ ଚିର ଅବହେଳିତ ହୋଇ ରହିଛି । ଏହାକୁ ବିରୋଧ କରି ସମଗ୍ର ପଶ୍ଚିମାଞ୍ଚଳରେ ବିଭିନ୍ନ ସମୟରେ ଭିନ୍ନଭିନ୍ନ ପ୍ରକାର କାର୍ଯ୍ୟକ୍ରମମାନ ହୋଇଆସୁଛି । ଅନେକ ବର୍ଷ ଧରି ଏପ୍ରିଲ ୧ ଉତ୍କଳ ଦିବସକୁ ବିରୋଧ କରି କେଉଁଠି କଳା ଦିବସ ତ କେଉଁଠି ଉତ୍କଳ ଦିବସକୁ ବର୍ଜନ କରାଯାଉଛି । କିନ୍ତୁ ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ଏପ୍ରିଲ ୧କୁ ଏକ ନିଆରା ଢଙ୍ଗରେ ପାଳନ କରାଯାଇଛି । ସକାରାତ୍ମକ ଢଙ୍ଗରେ ସମଗ୍ର ପଶ୍ଚିମାଞ୍ଚଳର ଏକତାକୁ ପ୍ରଦର୍ଶନ କରିବା ସହିତ ପଶ୍ଚିମାଞ୍ଚଳର ସାମଗ୍ରିକ ବିକାଶ ପାଇଁ ସ୍ୱର ଉତ୍ତୋଲନ କରାଯାଇଛି ।
ଇଟିଭି ଭାରତ, ସମ୍ବଲପୁର