ଅନାଥ ଆଶ୍ରମରୁ କଳିଙ୍ଗ ଷ୍ଟାଡିୟମ, ହକିର ମଜା ନେଲେ ଅସହାୟ ଶିଶୁ - ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ
🎬 Watch Now: Feature Video
ଭୁବନେଶ୍ବର: ହକିର ମଜା ଉଠାଇଲେ ଅସହାୟ ଶିଶୁ । ପିତାମାତା ହୀନ ଅସହାୟ ପିଲାଙ୍କୁ ହକି ଦେଖିବାର ସୁଯୋଗ ମିଳିଛି । ତାହା ପୁଣି ସୁଦୁର ଗଜପତିରୁ ଆସି ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ । ଏଭଳି ନିଆରା ପ୍ରୟାସ କରିଛି ଗଜପତି ଜିଲ୍ଲା ପ୍ରଶାସନ ଓ ହାଇଟେକ୍ ମେଡିକାଲର ଏକ ଟିମ୍ । ଗଜପତି ଜିଲ୍ଲାର ୩ଟି ଅନାଥ ଆଶ୍ରମରେ ରହୁଥିବା ପ୍ରାୟ ୨୦ ଜଣ ପିଲାଙ୍କୁ ଧରି ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ ଆସିଛନ୍ତି ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀଙ୍କ କର୍ମଚାରୀ ।
ଓଡ଼ିଶାରେ କ୍ରମାଗତ ଭାବରେ ଦ୍ବିତୀୟ ଥର ପାଇଁ ହକି ବିଶ୍ବକପ ଆୟୋଜନ କରୁଛନ୍ତି ରାଜ୍ୟ ସରକାର । ରାଜ୍ୟରେ ହକି ପ୍ରତି ଛାତ୍ରଛାତ୍ରୀ ତଥା ଯୁବବର୍ଗଙ୍କ ମଧ୍ୟରେ ଉତ୍ସାହ ଭରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି । ଗାଁ ଗାଁରେ ହକି ବିଶ୍ବକପର ସିଧାପ୍ରସାରଣ ମଧ୍ୟ କରାଯାଉଛି । ଅନ୍ୟପଟେ ବିଭିନ୍ନ ସ୍କୁଲରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ଖେଳ ଦେଖିବା ପାଇଁ ମାଗଣା ଟିକେଟ ବିତରଣ କରିଛନ୍ତି । ଏହାରି ଭିତରେ ଗଜପତି ଜିଲ୍ଲା ପ୍ରଶାସନ ଓ ହାଇଟେକ୍ ମେଡିକାଲ ପକ୍ଷରୁ ଏକ ନିଆରା ପଦକ୍ଷେପ ନିଆଯାଇଛି । ଗଜପତି ଜିଲ୍ଲାର ୩ଟି ଅନାଥ ଆଶ୍ରମରେ ରହୁଥିବା ପ୍ରାୟ ୨୦ ଜଣ ଅସହାୟ ଶିଶୁଙ୍କୁ ହକି ଖେଳ ଦେଖାଇବା ପାଇଁ ଭୁବନେଶ୍ବର ଅଣାଯାଇଛି ।
ଗଜପତିରୁ ୩ଟି ଚାଇଲ୍ଡ କେୟାର ଇନ୍ଷ୍ଟିଚ୍ୟୁଟ୍ ନିଶାନ ସୋଲ ହୋମ, ଜଗନ୍ନାଥ ନିକେତନ ଓ ପ୍ରାଉଡ ସିସିଆଇ ଅନୁଷ୍ଠାନର ୨୦ଜଣ ପିଲା, ଯେଉଁମାନେ ହକି ପ୍ରତି ଉତ୍ସାହିତ ଓ ଖେଳ ପ୍ରତି ରୁଚି ରଖନ୍ତି, ସେମାନଙ୍କୁ ଏହି ଖେଳ ଦେଖିବାର ସୁଯୋଗ ଦିଆଯାଇଛି । ଏନେଇ ଗଜପତିରୁ ଟ୍ରେନ ଯୋଗେ ଆସି ଭୁବନେଶ୍ବରରେ ପହଞ୍ଚିବା ପରେ ସେଠାରୁ ସ୍ବତନ୍ତ୍ର ଗାଡିରେ କଳିଙ୍ଗ ଷ୍ଟାଡିୟମରେ ଅଣାଯାଇଥିଲା । ପରେ ସେମାନଙ୍କୁ ଷ୍ଟାଡିୟମକୁ ନେଇ ପୂର୍ବରୁ ବୁକ୍ ହୋଇଥିବା ସ୍ବତନ୍ତ୍ର ଟିକେଟ ଆଧାରରେ ଖେଳ ଦେଖିବାର ସୁଯୋଗ ମିଳିଛି । ହାଇଟେକ୍ ହସ୍ପିଟାଲର ଅଧ୍ୟକ୍ଷ ତିରୁପତି ପାଣିଗ୍ରାହୀଙ୍କ ମାଧ୍ୟମରେ ଏଭଳି ଏକ ନିଆରା ପ୍ରୟାସ କରାଯାଇଛି । ତେବେ ଏନେଇ ଶିଶୁ ମଙ୍ଗଳ ପ୍ରକାଶ କୁମାର କହିଛନ୍ତି, "ଏହା ଅସହାୟ ପିଲାମାନଙ୍କ ପାଇଁ ଗୋଟେ ସୁଯୋଗ । ସେମାନଙ୍କର ବି ଖେଳ ପ୍ରତି ଆଗ୍ରହ ରହିଛି । ଏଭଳି ଏକ ସୁଯୋଗ ପାଇ ସେମାନେ ବହୁତ ଉତ୍ସାହିତ ଅଛନ୍ତି ।"
ଇଟିଭି ଭାରତ, ଭୁବନେଶ୍ବର