ଧରାପଡ଼ିଲା ଖଲିସ୍ତାନୀ ନେତା ଅମ୍ରିତପାଲ, ପଞ୍ଜାବ ସରକାରଙ୍କୁ ଓଡ଼ିଶା AAP ଦେଲା ଧନ୍ୟବାଦ - ଓଡିଶା ଆମ୍ ଆଦମୀ ପାର୍ଟି ଆବାହକ ନିଶିକାନ୍ତ ମହାପାତ୍ର
🎬 Watch Now: Feature Video
ଭୁବନେଶ୍ବର: ପଞ୍ଜାବର ରୋଡେ ଗ୍ରାମରେ ଥିବା ଗୁରୁଦ୍ବାରରୁ ଉଗ୍ରବାଦୀ ଅମ୍ରିତପାଲ୍ ସିଂହକୁ ପଞ୍ଜାବ ପୋଲିସ ୩୬ ଦିନ ପରେ ଗିରଫ କରିଛି । ଖଲିସ୍ତାନୀ ଆନ୍ଦୋଳନକୁ ପୁଣିଥରେ ଆରମ୍ଭ କରିବାକୁ ଯୋଜନା କରୁଥିବା ଅମ୍ରିତପାଲ୍ 'ୱାରିସ ପଞ୍ଜାବ ଦେ' ନାମକ ସଂଗଠନର ମୁଖ୍ୟ ଥିଲା । ତେବେ ବିଦେଶୀଙ୍କ ସହାୟତା ଏବଂ ଚାନ୍ଦା ବଳରେ ପଞ୍ଜାବରେ ଖଲିସ୍ତାନ ଆନ୍ଦୋଳନକୁ ପୁନର୍ଜୀବିତ କରିବାକୁ ଚାଲିଥିବା ଷଡ଼ଯନ୍ତ୍ରକୁ ଅମ୍ରିତପାଲର ଗିରଫଦାରୀ ପରେ ବଡ ଧକ୍କା ଲାଗିଛି । ଅନ୍ୟପଟେ ଅମ୍ରିତପାଲ ସିଂହର ଗିରଫଦାରୀ ଆପ ସରକାରର ସଫଳତା ବୋଲି ଦର୍ଶାଇବା ସହ ପଞ୍ଜାବ ସରକାରଙ୍କୁ ଶୁଭେଚ୍ଛା ଜଣାଇଛି ଓଡ଼ିଶା ଆମ ଆଦମୀ ପାର୍ଟି ।
ପଞ୍ଜାବ ପୋଲିସ ବାହିନୀ ଗୁଇନ୍ଦା ସୂଚନାକୁ ଆଧାର କରି ଅମ୍ରିତପାଲ୍ ରହିଥିବା ଗୁରୁଦ୍ବାରକୁ ଚାରିପଟୁ ଘେରି ଯାଇଥିଲେ । ଗୁରୁଦ୍ବାରର ପବିତ୍ରତାକୁ ନଷ୍ଟ ନକରି ଅମ୍ରିତପାଲକୁ ଗିରଫ କରାଗଲା । ଏହା ଆମ୍ ଆଦ୍ମୀ ପାର୍ଟି ସରକାର ଏବଂ ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂହ ମାନଙ୍କର ଏକ ବଡ ସଫଳତା ବୋଲି କହିଛନ୍ତି ଓଡିଶା ଆମ୍ ଆଦମୀ ପାର୍ଟି ଆବାହକ ନିଶିକାନ୍ତ ମହାପାତ୍ର । ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, "ଧୈର୍ଯ୍ୟର ସହିତ ବିନା ସାଂପ୍ରଦାୟିକ ଉତ୍ତେଜନାରେ ଗୁଳିଗୋଳା ନଚଳାଇ ଏହି ସମସ୍ୟାର ଯେଉଁଭଳି ଭାବରେ ସରକାର ସମାଧାନ କଲେ, ତାହା ସମସ୍ତଙ୍କ ପାଇଁ ଉଦାହରଣ । ରାଷ୍ଟ୍ରୀୟ ଅଖଣ୍ଡତା ଏବଂ ସୁରକ୍ଷାର ପ୍ରଶ୍ନରେ ଉଭୟ କେନ୍ଦ୍ର ସରକାର ଏବଂ ପଞ୍ଜାବ ସରକାର ମିଳିତ ଭାବରେ ଯେଉଁପରି କାମ କଲେ ତାହା ମଧ୍ୟ ଅନୁକରଣୀୟ । ଅମ୍ରିତପାଲ୍ ସିଂହଙ୍କୁ ଗିରଫ କରିବା ସହିତ ତାଙ୍କ ସହିତ ଜଡିତ ସମସ୍ତ ଖଲିସ୍ତାନୀ ଆତଙ୍କବାଦୀଙ୍କ ବିରୋଧରେ ଦୃଢକାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବାରୁ ଆମ୍ ଆଦମୀ ପାର୍ଟି ଓଡିଶା ତରଫରୁ ପଞ୍ଜାବ ସରକାରଙ୍କୁ ଶୁଭେଚ୍ଛା ଜଣାଉଛି । ଆମ୍ ଆଦ୍ମୀ ପାର୍ଟି ଦେଶର ଅଖଣ୍ଡତା ଏବଂ ପଞ୍ଜାବରେ ଶାନ୍ତିପୂର୍ଣ୍ଣ ସରକାର ଚଳାଇବା ପାଇଁ ପ୍ରତିଶୃତି ବଦ୍ଧ । ଆଇନ ଶୃଙ୍ଖଳାର ପରିସର ଭିତରେ ରହି ଆଇନ ଅନୁଯାୟୀ ଦୋଷୀକୁ ଦଣ୍ଡିତ କରିବାରେ ଯେଉଁ ପ୍ରକ୍ରିୟା, ତାହା ଆଜି ପ୍ରମାଣିତ ହୋଇଛି । ତେଣୁ ପଞ୍ଜାବ ସରକାରଙ୍କୁ ଧନ୍ୟବାଦ । ଏହା ସହିତ ଆଗକୁ ମଧ୍ୟ ଦୃଢ଼ ପଦକ୍ଷେପ ନେଇ ଖଲିସ୍ତାନୀ ମାନଙ୍କ ସହିତ ମୁକାବିଲା କରିବା ପାଇଁ ଆମ୍ ଆଦମୀ ପାର୍ଟି ପ୍ରସ୍ତୁତ ।"
ଇଟିଭି ଭାରତ, ଭୁବନେଶ୍ବର