thumbnail

ନ୍ୟୁୟର୍କର ଐତିହାସିକ ଟାଇମ୍ସ ସ୍କୋୟାରରେ ଶୋଭା ପାଇଲା କୋଣାର୍କ ସୂର୍ଯ୍ୟ ମନ୍ଦିର ଚକ୍ର

By

Published : Aug 16, 2023, 4:43 PM IST

ୱାଶିଂଟନ: ବିଦେଶ ମାଟିରେ ଉତ୍କଳ କାରୁକାର୍ଯ୍ୟର ଝଲକ । ନ୍ୟୁୟର୍କର ଐତିହାସିକ ଟାଇମ୍ସ ସ୍କୋୟାରରେ କୋଣାର୍କ ସୂର୍ଯ୍ୟ ମନ୍ଦିର ଚକ୍ରର ଏକ ପ୍ରତିରୂପ ଉନ୍ମୋଚନ କରାଯାଇଛି । ୭୭ତମ ସ୍ବାଧୀନତା ଦିବସ ଅବସରରେ ଭାରତର ଷ୍ଟାର ସେଫ୍ ବିକାଶ ଖନ୍ନା ଏହି ବିଶାଳର ମୂର୍ତ୍ତିର ଉନ୍ମୋଚନ କରିଛନ୍ତି । ଏହାର ଓଜନ ପ୍ରାୟ ୧୮୦୦ କିଲୋଗ୍ରାମ ଥିବା ସୂଚନା ମିଳିଛି । ଇଣ୍ଡୋ-ଆମେରିକୀୟ କଳା ପରିଷଦ, ନ୍ୟୁୟର୍କରେ ଥିବା କନସୁଲେଟ୍ ଜେନେରାଲ ଅଫ ଇଣ୍ଡିଆ ଏବଂ ଦ ସିଟି ଅଫ୍ ନ୍ଯୁୟର୍କର ମିଳିତ ସହଯୋଗରେ ଆୟୋଜିତ ହୋଇଥିବା ଭାରତୀୟ ସ୍ବାଧୀନତା ପ୍ରଦର୍ଶନୀରେ ଏହି ଐତିହ୍ୟପୂର୍ଣ୍ଣ ମୂର୍ତ୍ତିର ପ୍ରଦର୍ଶନୀ କରାଯାଇଛି । 

କୋଣାର୍କ ଚକ୍ରର ସୂକ୍ଷ୍ମ କାରୁକାର୍ଯ୍ୟ ବିଦେଶୀଙ୍କୁ ବିମୋହିତ କରିଛି । ଏନେଇ ବିକାଶ ଖନ୍ନା କହିଛନ୍ତି, "ଆଜି ପ୍ରତି ଭାରତୀୟଙ୍କ ପାଇଁ ଏକ ଐତିହାସିକ ଦିନ । ପ୍ରାୟ ୫ ବର୍ଷ ଧରି କୋଣାର୍କ ମନ୍ଦିରର ଏହି ଚକ୍ର ନ୍ୟୁୟର୍କକୁ ଆଣିବା ପାଇଁ ପ୍ରଚେଷ୍ଟା ଜାରି ରହିଥିଲା । ଆଜି ସ୍ବପ୍ନ ପୂରଣ ହୋଇଛି । ମୋ ପାଇଁ ଏହା ଏକ ଭାବପ୍ରବଣ ମୂହୁର୍ତ୍ତ ଅଟେ ।" ଓଡ଼ିଶାର କାରୁକାର୍ଯ୍ୟକୁ ସେ ଭୁରିଭୁରି ପ୍ରଂଶସା କରିଛନ୍ତି । ଆଗାମୀ ଦିନରେ ନ୍ୟୁୟର୍କରେ ହେବାକୁ ଥିବା ବିକାଶଙ୍କ ରେସ୍ତୋରାଂରେ ଏହି ଚକ୍ର ସ୍ଥାପିତ କରାଯିବ ବୋଲି ସେ କହିଛନ୍ତି । ବିଦେଶରେ ଓଡ଼ିଶାର କଳା ଓ କାରୁକାର୍ଯ୍ୟର ପ୍ରଦର୍ଶନୀ କରିଥିବାରୁ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏବଂ ଓଡ଼ିଶା ପର୍ଯ୍ୟଟନ ବିକାଶ ଖନ୍ନାଙ୍କୁ ଧନ୍ୟବାଦ ଜଣାଇଛନ୍ତି । 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.