ଘଟଗାଁ ରେଞ୍ଜରେ ବୁଲୁଛି ମହାବଳ, ନିର୍ଦ୍ଦେଶନାମା ଜାରି କଲା ବନବିଭାଗ - ବୁଲୁଛି ମହାବଳ ବାଘ
🎬 Watch Now: Feature Video
କେନ୍ଦୁଝର: ଘଟଗାଁ ରେଞ୍ଜ ଅଧୀନ ଅଟେଇ ସଂରକ୍ଷିତ ଜଙ୍ଗଲରେ ବୁଲୁଛି ମହାବଳ ବାଘ । ଜଙ୍ଗଲର ସଲଗ୍ନ ୩ଟି ପଞ୍ଚାୟତର ସରପଞ୍ଚଙ୍କୁ ନୋଟିସ୍ ଜାରି କରିଲା ଘଟଗାଁ ବନ ବିଭାଗ । ସର୍ବସାଧାରଣଙ୍କ ନିମନ୍ତେ ଅଟେଇ ସଂରକ୍ଷିତ ଜଙ୍ଗଲ ଭିତରକୁ ପ୍ରବେଶ ମନା ସହ ଗୃହ ପାଳିତ ପଶୁମାନଙ୍କୁ ମଧ୍ୟ ନ ଛାଡିବାକୁ ବନ ବିଭାଗ ପକ୍ଷରୁ ନୋଟିସ ଜାରି କରାଯାଇଛି । ଏହାସହ ସ୍ଥାନୀୟ ୪୦ ଜଣ ମଇଁଷି ମାଲିକଙ୍କୁ ମଧ୍ୟ ନୋଟିସ ଜାରି କରାଯାଇଛି । ଜଙ୍ଗଲରେ ମହାବଳ ବାଘ ବୁଲୁଥିବାରୁ ବନ ବିଭାଗ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ।
ଅନ୍ୟପକ୍ଷରେ ବନ୍ୟଜନ୍ତୁ ଦ୍ୱାରା ଗୃହ ପାଳିତ ପଶୁ କିମ୍ବା ଲୋକଙ୍କ କ୍ଷତି ହେଲେ ବନ୍ୟ ଜନ୍ତୁ ସଂରକ୍ଷଣ ଆଇନ 1974 DD(iii)ରେ କୌଣସି କ୍ଷତି ପୂରଣ ଦିଆଯିବ ନାହିଁ ବୋଲି ଉପରଡିହା, ବଡଜାମୁପଶି, ସହ କୋଳିମାଟି ପଞ୍ଚାୟତକୁ ନୋଟିସ ଜାରି କରିଛି ବନ ବିଭାଗ l ଜାଣିଶୁଣି ନୋଟିସ ଅମାନ୍ୟ କଲେ ନିୟମ ଅନୁଯାୟୀ ଦଣ୍ଡ ବିଧାନ କରାଯିବ ବୋଲି କହିଛନ୍ତି ଡିଏଫଓ । ଏହା ସହ ଉକ୍ତ ଅଞ୍ଚଳର ଲୋକଙ୍କ ଜୀବନ ଜୀବିକରେ ଉନ୍ନତି ପାଇଁ ବିଭିନ୍ନ ପ୍ରକାରର ଯୋଜନା ଲାଗୁ କରାଯାଇ କହିଛନ୍ତି ବନଖଣ୍ଡ ଅଧିକାରୀ ।
ଇଟିଭି ଭାରତ, କେନ୍ଦୁଝର