ଶ୍ରମ ବିଭାଗ ପାଳିଲା ଶ୍ରମ ଦିବସ, ଯାଜପୁରରେ ଶ୍ରମିକଙ୍କୁ ମିଳିଲା ଆର୍ଥିକ ସହାୟତା

By

Published : May 1, 2023, 4:24 PM IST

thumbnail

ଯାଜପୁର: ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ବ୍ୟାସଦେବ ସଂସ୍କୃତି ଭବନ ପରିସରରେ ଜିଲ୍ଲାସ୍ତରୀୟ ଶ୍ରମ ଦିବସ ପାଳିତ ହୋଇଯାଇଛି । ଆଜି ଜିଲ୍ଲା ଶ୍ରମ ଅଧିକାରୀ ସନ୍ତୋଷ କୁମାର ମହାନ୍ତିଙ୍କ ସଭାପତିତ୍ବରେ ଆୟୋଜିତ ଜିଲ୍ଲାସ୍ତରୀୟ ଶ୍ରମ ଦିବସ କାର୍ଯ୍ୟକ୍ରମରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶ୍ବ ଗଠନରେ ଶ୍ରମିକମାନଙ୍କ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ କୋରେଇ ବିଧାୟକ ଅଶୋକ କୁମାର ବଳ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ନଳିନୀପ୍ରଭା ଜେନା, ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ କୁମାର ମଲ୍ଲିକ ଓ ବ୍ୟାସନଗର ପୌର ପରିଷଦର ଉପାଧ୍ୟକ୍ଷ ସୁବାଷ ଚନ୍ଦ୍ର ବଳ ଯୋଗ ଦେଇ ଶ୍ରମିକମାନଙ୍କ ସୁରକ୍ଷା ଉପରେ ଆଲୋଚନା କରିଥିଲେ । ଏହି ଅବସରରେ ଜିଲ୍ଲାର ୧୦ଟି ବ୍ଲକ ଓ ପୌର ପରିଷଦର ଶ୍ରମିକମାନେ ଯୋଗଦେଇ ବିଭିନ୍ନ ଶ୍ରମ ଆଇନ ଉପରେ ଆଲୋଚନା କରିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ର ପାଇଁ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ ଶ୍ରମିକମାନଙ୍କୁ ଆର୍ଥିକ ସହାୟତା ରାଶି ପ୍ରଦାନ କରିଥିଲେ ।

ଏହି ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ୩୨୨ ଜଣ ନିର୍ମାଣ ଶ୍ରମିକଙ୍କ ବିବାହ ପାଇଁ ୧ କୋଟି ୫୫ ଲକ୍ଷ ୭୫ ହଜାର, ମହିଳାଙ୍କ ପ୍ରସ୍ତୁତିକାଳୀନ ସହାୟତା ୧୫ ଜଣଙ୍କୁ ୧ ଲକ୍ଷ ୫୦ ହଜାର ଓ ୨୨୧ ଜଣ ନିର୍ମାଣ ଶ୍ରମିକଙ୍କ ପିଲାଛୁଆଙ୍କ ପଠାପଢା ପାଇଁ ୨୦ ଲକ୍ଷ ୪୮ ହଜାର ୪ ଶହ ଟଙ୍କା, ଏହିଭଳି ସର୍ବମୋଟ ୧ କୋଟି ୭୭ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିବା ଜିଲ୍ଲା ଶ୍ରମ ଅଧିକାରୀ ସୂଚନା ଦେଇଛନ୍ତି । ଆଜି ଏହି ଶ୍ରମିକ ଦିବସକୁ ବିଶେଷ ଭାବରେ କଳିଙ୍ଗନଗର ଅଞ୍ଚଳରେ ଥିବା କାରଖାନା ଓ ଖଣି ଅଞ୍ଚଳରେ ଶ୍ରମିକମାନେ ବିଶେଷ ଉତ୍ସାହର ସହିତ ପାଳୁଥିବା ଦେଖିବାଳୁ ମିଳିଛି ।

ଇଟିଭି ଭାରତ, ଯାଜପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.