thumbnail

ତାଳଦଣ୍ଡା କେନାଲରେ ବୁଡ଼ିଲା କାର, ସ୍ବାମୀ ମୃତ ଓ ସ୍ତ୍ରୀ ଗୁରୁତର

By

Published : May 29, 2023, 5:52 PM IST

କଟକ: ତାଳଦଣ୍ଡା କେନାଲ ଭିତରକୁ ପଶିଗଲା କାର । ପାଣିରେ ବୁଡି କାରରେ ଥିବା ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଗୁରୁତର ଅଛନ୍ତି  । କଟକ ସ୍ଥିତ ମତୃଭବନ ନିକଟ ତାଳଦଣ୍ଡା କେନାଲରେ ଏଭଳି ଦୁଃଖଦ ଘଟଣା ଘଟିଛି । କନ୍ଦରପୁର ଅଞ୍ଚଳର ଜ୍ଞାନ ରଞ୍ଜନ ଜେନା ଓ ତାଙ୍କ ପତ୍ନୀ ଅଞ୍ଜନ ଜେନା ସିଡିଏର ଏକ ଘରୋଇ ହସ୍ପିଟାଲରୁ ଚିକିତ୍ସା ହୋଇ ଛତ୍ର ବଜାର ତାଳଦଣ୍ଡା କେନାଲ ରାସ୍ତା ଦେଇ ଘରକୁ ଫେରୁଥିଲେ । ନିଜ ପତ୍ନୀଙ୍କ ଆଣ୍ଠୁରେ ଅସ୍ତ୍ରୋପଚାର କରିବା ପାଇଁ ଡାକ୍ତରୀ ପରାମର୍ଶ କରିବାକୁ ଯାଇଥିଲେ । ଡାକ୍ତରଖାନାରୁ ଘରକୁ ଫେରୁଥିଲେ ଉଭୟ ସ୍ୱାମୀ ଓ ସ୍ତ୍ରୀ । ତାଳଦଣ୍ଡା କେନାଲ ରାସ୍ତା ଦେଇ ଯିବା ସମୟରେ ଆଗକୁ ଆଉ ରାସ୍ତା ନଥିବାରୁ କାର ପଛକୁ କରୁଥିବା ସମୟରେ ମାଟି ଧସି ଗାଡ଼ିଟି ରାସ୍ତାରୁ ପ୍ରାୟ ୨୦ ଫୁଟ ତଳକୁ କେନାଲରେ ପଶିଗଲା ।

ସ୍ଥାନୀୟ ବାସିନ୍ଦା ଏବଂ ପୋଲିସ ସେମାନଙ୍କୁ ଉଦ୍ଧାର କରି ଏସସିବି ମେଡିକାଲକୁ ପଠାଇଥିଲେ । ହେଲେ ଜ୍ଞାନ ରଞ୍ଜନ ଜେନାଙ୍କୁ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ । ଅନ୍ୟପଟେ ସ୍ତ୍ରୀ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି କ୍ରେନ୍ ଜରିଆରେ କାରକୁ କେନାଲରୁ ଉଦ୍ଧାର କରାଗଲା । କାରରେ ପ୍ରାୟ ନଗଦ ୨ ଲକ୍ଷ ଟଙ୍କା ସହ କିଛି କାଗଜପତ୍ର ଥିଲା । ଯାହାକୁ ପୋଲିସ ଜବତ ଏହି ଘଟଣାର ତଦନ୍ତ କରୁଛି । ସେପଟେ ଜିଲ୍ଲା ପ୍ରଶାସନର ଅବହେଳା ଯୋଗୁଁ ଏପରି ଘଟଣା ଘଟିଛି ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ଦୀର୍ଘଦିନ ଧରି ଏହି କେନାଲ କାମ ଜାରି ରହିଛି । ହେଲେ ଲୋକଙ୍କ ସୁରକ୍ଷା ପାଇଁ ନା ରହିଛି ସୂଚନା ଫଳକ ଆଉ ନା ନିର୍ମାଣଧୀନ ରାସ୍ତା ପାର୍ଶ୍ଵକୁ ବାରିକେଡ ଦ୍ୱାରା ବନ୍ଦ କରାଯାଇଛି । ନିର୍ମାଣକାରୀ ସଂସ୍ଥା ପକ୍ଷରୁ କୌଣସି ସୁରକ୍ଷା ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି ।

ଇଟିଭି ଭାରତ, କଟକ 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.